BJD Bijuli 480×75 Mob

ଦିବାରାତ୍ର ଟେଷ୍ଟମ୍ୟାଚ୍‍ ଆୟୋଜନ ନେଇ ସିଓଏ ସହ ଆଲୋଚନା କରିବେ କୋହଲି

BJD Bijuli 480×75 Mob
0

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ ୱେଷ୍ଟଇଣ୍ଡିଜ ସହ ଭାରତୀୟ କ୍ରିକେଟ୍‍ ଦଳର ପ୍ରଥମ ଦିବାରାତ୍ର ଟେଷ୍ଟ ଖେଳିବାକୁ ବିସିସିଆଇ ଯୋଜନା ଚଳାଇଥିବା ବେଳେ ଏହାକୁ ନେଇ କ୍ରିକେଟ୍‍ ପ୍ରଶାସକ କମିଟି (ସିଓଏ) ସହ ମତପାର୍ଥକ୍ୟ ଦେଖାଦେଇଛି। ଟେଷ୍ଟ ମ୍ୟାଚ୍‍ ପ୍ରତି ଦର୍ଶକଙ୍କ ଆକର୍ଷଣ ଫେରାଇ ଆଣିବା ଦୃଷ୍ଟିରୁ ଭାରତୀୟ ଦଳ ଦିବାରାତ୍ର ଟେଷ୍ଟ ମ୍ୟାଚ୍‍ ଖେଳିବା ଉଚିତ୍‍ ବୋଲି ବିସିସିଆଇର କାର୍ଯ୍ୟନିର୍ବାହୀ ସମ୍ପାଦକ ଅମିତାଭ ଚୌଧୁରୀ ମତ ଦେବା ସହ ଏ ସଂପର୍କରେ ନିଜ ମତାମତ ଦେବାକୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ କହିଥିଲେ। ଦିବାରାତ୍ର ଟେଷ୍ଟ ମ୍ୟାଚ୍‍ ଆୟୋଜନ ପାଇଁ ରବି ଶାସ୍ତ୍ରୀ ସବୁଜ ସଙ୍କେତ ଦେଇଥିବା ଜଣାପଡ଼ିଛି। ତେବେ ଏ ସଂର୍ପକରେ ଆଇପିଏଲ୍‍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ସିଓଏ ସଦସ୍ୟଙ୍କ ସହ ଆଲୋଚନା କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ଦିବାରାତ୍ର କ୍ରିକେଟ୍‍ ମ୍ୟାଚ୍‍ ଆୟୋଜନ ପୂର୍ବରୁ ଖେଳାଳିଙ୍କ ସହ ଆଲୋଚନା କରିବା ନିହାତି ଆବଶ୍ୟକ ବୋଲି ସିଓଏ ମୁଖ୍ୟ ବିନୋଦ ରାୟ ମତ ଦେଇଥିଲେ। ଅନ୍ୟପକ୍ଷରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍‍ରେ କେତେ ସମୟ ଫ୍ଲଡ ଲାଇଟ୍‍ରେ ଖେଳାଯିବ ତାହାକୁ ନେଇ କୋହଲି ସନ୍ଦିହାନ ଥିବା କୁହାଯାଉଛି। ୱେଷ୍ଟଇଣ୍ଡିଜ ବିରୋଧରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍‍ ଖେଳାଗଲେ ଅତିବେଶୀରେ ଗୋଟିଏ ସେସନ୍‍ ଫ୍ଲଡ୍‍ଲାଇଟ୍‍ରେ ଆୟୋଜନ କରାଯିବା ଉଚିତ୍‍ ବୋଲି କୋହଲି ଚିନ୍ତା କରୁଛନ୍ତି। ଫ୍ଲଡଲାଇଟ୍‍ରେ ଭାରତୀୟ ଖେଳାଳି ଏପର୍ଯ୍ୟନ୍ତ ଗୋଟିଏ ହେଲେ ଟେଷ୍ଟ ମ୍ୟାଚ୍‍ ଖେଳିନଥିବାରୁ ଗୋଲାପୀ ରଙ୍ଗର କୋକାବୁରା ବଲ୍‍ କିପରି ସୁଇଙ୍ଗ ଓ ସ୍ପିନ କରିବ ତାହା ଜାଣିନାହାନ୍ତି। ତେଣୁ ଗୋଟିଏ ସେସନ୍‍ର ଅଧିକ ସମୟ ଫ୍ଲଡଲାଇଟ୍‍ରେ ମ୍ୟାଚ୍‍ ଖେଳିବାକୁ ଚାହୁଁନାହାନ୍ତି କୋହଲି। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ ବିରୋଧରେ ଭାରତ ଦିବାରାତ୍ର ଟେଷ୍ଟ ମ୍ୟାଚ୍‍ ଖେଳିଲେ ଆଗାମୀ ଦିନରେ ଅଷ୍ଟ୍ରେଲିଆ ମଧ୍ୟ ଭାରତ ସହ ଦିବାରାତ୍ର ଟେଷ୍ଟ ମ୍ୟାଚ୍‍ ଖେଳିବାକୁ ଦାବି ଉଠାଇପାରେ ବୋଲି କୁହାଯାଉଛି। ଫ୍ଲଟ୍‍ଲାଇଟ୍‍ରେ ଗୋଟିଏ ସେସନ୍‍ରୁ ଅଧିକ ଖେଳାଯିବାକୁ ଅଷ୍ଟ୍ରେଲିଆ ଦଳ ନିଶ୍ଚିତ ଭାବେ ଚାହିଁବ। ତେବେ ଭାରତୀୟ ଖେଳାଳିଙ୍କ ନିକଟରେ ଦିବାରାତ୍ର କ୍ରିକେଟ୍‍ ଖେଳିବାର ଅଭିଜ୍ଞତା ନ ଥିବାରୁ ସେମାନେ ଅଷ୍ଟ୍ରେଲିଆ ବିରୋଧରେ ଗୋଟିଏ ସେସନ୍‍ରୁ ଅଧିକ ସମୟ ଫ୍ଲଡଲାଇଟ୍‍ରେ ମ୍ୟାଚ୍‍ ଖେଳିବାକୁ ଚାହୁଁନାହାନ୍ତି। ଯଦି ଦିବାରାତ୍ର ଟେଷ୍ଟ ମ୍ୟାଚ୍‍ ଖେଳାଯାଏ ତେବେ ଏହା ମୁମ୍ବଇ, ବାଙ୍ଗାଲୋର, କଲକାତା କିମ୍ବା ଦିଲ୍ଲୀ ଭଳି ବଡ଼ ସହରରେ ଆୟୋଜନ କରାଯିବା ଉଚିତ୍‍ ବୋଲି ସିଓଏ ତରଫରୁ ମତପ୍ରକାଶ ପାଇଛି। ସିଓଏ ସଦସ୍ୟ ଓ କୋହଲିଙ୍କ ମଧ୍ୟରେ ଆଲୋଚନା ପରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍‍ ଆୟୋଜନ ନେଇ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି।

Leave A Reply