ଯୁଦ୍ଧର ଭୟାବହତା ବଖାଣିଲେ ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ର ସିଦ୍ଧାର୍ଥ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଲେ ପିତାମାତା

ବୌଦ୍ଧ : ଅନେକ ବାଧା ବିଘ୍ନର ସମ୍ମୁଖିନ ହୋଇ ଶେଷରେ ୟୁକ୍ରେନରୁ ଆସି ବୌଦ୍ଧରେ ପହଞ୍ଚିଛନ୍ତି ଡାକ୍ତରୀଛାତ୍ର ସିଦ୍ଧାର୍ଥ ରାହୁଲ ମହାପାତ୍ର। ପିତା ବୌଦ୍ଧ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର ଓ ଅଧ୍ୟାପିକା ଗୀତାରାଣୀ ମହାପାତ୍ରଙ୍କ ଏକମାତ୍ର ପୁତ୍ର ସିଦ୍ଧାର୍ଥ ଘରକୁ ଫେରିଆସିବାପରେ ପରିବାର ପକ୍ଷରୁ ଆନନ୍ଦ ପ୍ରକାଶ କରାଯାଇଛି। ଏଥିପାଇଁ ଭାରତ ସରକାର, ଓଡ଼ିଶା ସରକାରଙ୍କ ସମେତ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଓ ଏସପି ଜ୍ଞାନରଞ୍ଜନ ମହାନ୍ତିଙ୍କ ସହଯୋଗ ପାଇଁ ସିଦ୍ଧାର୍ଥଙ୍କ ପରିବାର କୃତଜ୍ଞତା ଜଣାଇଛନ୍ତି। ସେଠାରେ ଚାଲିଥିବା ଯୁଦ୍ଧର ଭୟାବହତା ସମ୍ପର୍କରେ ୟୁକ୍ରେନ ଫେରନ୍ତା ଛାତ୍ର ସିଦ୍ଧାର୍ଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗତ ୧୨ ତାରିଖରେ ସିଦ୍ଧାର୍ଥଙ୍କ ଭିସା ସରିଯାଉଥିବାରୁ ସେ ୟୁକ୍ରେନ ଯିବାକୁ ବାଧ୍ୟ ହୋଇଥିଲେ। ସେଠାରେ ପହଞ୍ଚିବା ପରେ ଯଦିଓ ଦୁଇଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚି ସାରିଥିଲା ଯୁଦ୍ଧ ଆରମ୍ଭ ହୋଇନଥିଲା। ଭାରତୀୟ ଦୂତାବାସ ପକ୍ଷରୁ ଯେଉଁମାନେ ଚାହିଁବେ ସ୍ୱଦେଶ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହଠାତ ଯୁଦ୍ଧ ଆରମ୍ଭ ହେବାପରେ ତୁରନ୍ତ ୟୁକ୍ରେନ ଛାଡିବାକୁ ଭାରତୀୟ ଦୁତାବାସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସିଦ୍ଧାର୍ଥ ଅନ୍ୟ ତିନିଜଣ ଭାରତୀୟ ଛାତ୍ରଙ୍କ ସହିତ କିଭ ସିଟିର ଡ୍ରାଗମାନବ ଷ୍ଟ୍ରିଟ ଷ୍ଟିଟରେ ରହୁଥିଲେ। ଯୁଦ୍ଧ ପରିସ୍ଥିତି ପରେ ସେଠାରୁ ସେ ଭାରତୀୟ ହଷ୍ଟେଲର ବଙ୍କରକୁ ଚାଲିଆସିଥିଲେ। ସେଠାରେ ୟୁକ୍ରେନ ସରକାରଙ୍କ ପକ୍ଷରୁ ମାଗଣାରେ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଥିଲା। ଯୁଦ୍ଧ ପରିସ୍ଥିତି ଅଧିକ ଜଟିଳ ହେବାପରେ ଭାରତୀୟ ଦୂତାବାସ ପକ୍ଷରୁ ନିଜ ରିସ୍କରେ ୟୁକ୍ରେନ ଛାଡିବାକୁ ନିର୍ଦ୍ଦେଶ ଜାରି କରାଯାଇଥିଲା।

ଗତ ୨୭ ତାରିଖରେ ସିଦ୍ଧାର୍ଥ ବିଭିନ୍ନ ରାଜ୍ୟର ଅନ୍ୟ ତିନିଜଣ ବନ୍ଧୁଙ୍କ ସମେତ ପ୍ରାୟ ୩୦୦ଭାରତୀୟ ଛାତ୍ରଛାତ୍ରୀ ନିକଟସ୍ଥ ଏକ ରେଳଷ୍ଟେସନରେ ପହଞ୍ଚିବା ପରେ ହଠାତ ବିମାନ ଆକ୍ରମଣ ସାଇରନ ବାଜିବାପରେ ସେଠାରେ ଥିବା ବଙ୍କରରେ ଆଶ୍ରୟ ନେଇଥିଲେ। ପ୍ରାୟ ୪ ଘଣ୍ଟା ଅପେକ୍ଷା କରିବାପରେ ଏକ ଟ୍ରେନ ଆସିଥିଲେ ମଧ୍ୟ ଏତେ ଯାତ୍ରୀ ଥିଲେ ଯେ ହାତରେ ଟିକଟ ଧରି ମଧ୍ୟ ଚଢିପାରିନଥିଲେ। ପରବର୍ତ୍ତି ଟ୍ରେନ ପାଇଁ ପୁନର୍ବାର ୫ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିଥିଲା। ସେଠାରୁ ଟ୍ରେନ ଧରି ୯ ଘଣ୍ଟା ଧରି ହଙ୍ଗେରୀ ସୀମାରେ ପହଞ୍ଚିଥିଲେ। ସେଠାରୁ ଆଉ ଏକ ଟ୍ରେନରେ ସୀମା ପାର ହେବାପରେ ବସ ଯୋଗେ ବୁଦାପେଷ୍ଟରେ ପହଞ୍ଚିଥିଲେ। ହଙ୍ଗେରୀ ସୀମାରେ ପ୍ରବେଶ କରିବାପରେ ଭାରତୀୟ ଦୂତାବାସ ପକ୍ଷରୁ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦିଆଯାଇଥିଲା। ସେଠାରେ ଦୁଇଦିନ ରହିବା ପରେ ସେ ଫ୍ଲାଇଟ ଯୋଗେ ଆସି ମୁମ୍ବାଇରେ ପହଞ୍ଚିଥିଲେ। ସେଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଓଡ଼ିଶା ଭବନରେ ରଖାଯିବା ସହିତ ସମସ୍ତ ପ୍ରକାର ସୁବିଧା ଯୋଗାଇଦିଆଯାଇଥିଲା।

ସେଠାରୁ ରାଜ୍ୟ ସରକାର ନିଜସ୍ୱ ଖର୍ଚ୍ଚରେ ତାଙ୍କୁ ଭୁବନେଶ୍ୱର ଆଣି ରାଜ୍ୟ ପର୍ଯ୍ୟଟନ ବିଭାଗ ଅତିଥିଭବନରେ ରଖାଇଥିଲେ। ସେଠାରୁ ଆସି ସିଦ୍ଧାର୍ଥ ରବିବାର ପ୍ରତ୍ୟୁଷରେ ବୌଦ୍ଧରେ ନିଜ ଘରେ ପହଞ୍ଚିଥିଲେ। କେବଳ ଖଣ୍ଡିଏ ପ୍ୟାଣ୍ଟସାର୍ଟ ପିନ୍ଧି ସେ ୟୁକ୍ରେନରୁ ବାହାରି ଘର ପର୍ଯ୍ୟନ୍ତ ପହଞ୍ଚିଥିବା ସେ ପ୍ରକାଶ କରିଛନ୍ତି। ଫେରିବା ରାସ୍ତାରେ ୟୁକ୍ରେନର କୀଭ ସହରରେ ସ୍ୱଳ୍ପ ଦୂରତାରେ ରକେଟ ମାଡ ହୋଇ ବିଷ୍ଫାରଣ ହେବା ସେ ନିଜେ ଦେଖିବା ସହିତ ମୋବାଇଲରେ ଦୃଶ୍ୟକୁ ରେକର୍ଡ କରିଥିବା ମଧ୍ୟ ଦେଖାଇଥିଲେ। ତେବେ ଘରକୁ ସୁରକ୍ଷିତ ଭାବରେ ଫେରିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ପ୍ରତି ସେ କୃତଜ୍ଞତା ପ୍ରକାଶ କରିଛନ୍ତି। ନିଜର ଭବିଷ୍ୟତ କ୍ୟାରିଅର ପାଇଁ ୟୁକ୍ରେନରେ ସ୍ୱାଭାବିକ ପରିସ୍ଥିତି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ କିମ୍ବା ଭାରତ ସରକାରଙ୍କ ପକ୍ଷରୁ ଯାହା ନିର୍ଦ୍ଦେଶ ଦିଆଯିବ ସେଥିପାଇଁ ଅପେକ୍ଷା କରିଥିବା ସେ ଜଣାଇଛନ୍ତି। ତେବେ ଆଜି ୟୁକ୍ରେନର ମେଡିକାଲ ୟୁନିଭରସିଟି ପକ୍ଷରୁ ଭବିଷ୍ୟତ ପାଠପଢା ନେଇ ଏକ ମେଲ ଆସିଥିବା ମଧ୍ୟ ପ୍ରକାଶ କରିଛନ୍ତି।

Comments are closed.