ସମୂହ ଛୁଟିରେ ପ୍ରାଣୀ ଚିକିତ୍ସକ ଗଣ; ଅସୁବିଧାରେ ଜନ ସାଧାରଣ

ବୌଦ୍ଧ: ପ୍ରାଣୀ ଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣ ତଥା ପ୍ରାଣୀ ଚିକିତ୍ସକଙ୍କ କ୍ୟାଡ଼ର ପୁନର୍ଗଠନ, କେନ୍ଦ୍ରୀୟ ହାରରେ ଡି ଏ ସି ପି ଓ ଏନ ପି ଏ ପ୍ରଦାନ, ନିଶୁଳ୍କ, ନିରାମୟ ଓ ନିରନ୍ତର ପ୍ରାଣୀ ଚିକିତ୍ସା ଯୋଗାଇ ଦେବା ଆଦି ୪ଦଫା ଦାବୀ ନେଇ ଓଡ଼ିଶା ପ୍ରାଣୀ ଚିକିତ୍ସକ ସେବା ସଂଘ ତରଫରୁ ଦୀର୍ଘ ଦୁଇ ବର୍ଷ ଧରି ସରକାରଙ୍କ ନିକଟରେ ବାରମ୍ବାର ଦାବୀ ଉପସ୍ଥାପନ କରାଯାଉଛି। ଏହାସତ୍ତ୍ୱେ ସରକାର ଏ ଦିଗରେ କୌଣସି ପଦକ୍ଷେପ ନନେବା ଓ ରାଜ୍ୟ ସରକାରଙ୍କ ଏହି ଉଦାସୀନତା ପ୍ରତିବାଦରେ ସମୂହ ଛୁଟିରେ ଯାଇଛନ୍ତି ବୌଦ୍ଧର ପ୍ରାଣୀ ଚିକିତ୍ସକ ଗଣ। ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ ଡାକରାରେ ବୌଦ୍ଧ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ୧୮.୦୧.୨୦୨୪ଠାରୁ ସମୂହ ଛୁଟିରେ ଯୋଗ ଦେଇଛନ୍ତି। ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ୧୮ ଜଣ ପ୍ରାଣୀ ଚିକିତ୍ସକ ସମୂହ ଛୁଟିରେ ଯୋଗ ଦେଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରତ। ଯାହା ଫଳରେ ୩ଟି ବ୍ଲକରେ ଥିବା ୭ଟି ପ୍ରାଣୀ ଚିକିତ୍ସାଳୟରେ ପ୍ରାଣୀ ଚିକିତ୍ସା ସେବା ଠପ୍ ହୋଇଯାଇଛି। ଏହା ଦ୍ବାରା ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ଗରିବ ଚାଷୀ ଓ ପ୍ରାଣୀ ପାଳକମାନେ। ଗାଈ, ଗୋରୁ, ଛେଳି, ମେଣ୍ଢା, କୁକୁର ଆଦି ନିରୀହ ପ୍ରାଣୀମାନେ ଜରୁରୀକାଳୀନ ଚିକିତ୍ସା ପାଇବାରୁ ବଞ୍ଚିତ ହୋଇ କଷ୍ଟ ପାଉଛନ୍ତି। ସମସ୍ତ ପ୍ରାଣୀ ଚିକିତ୍ସାଳୟରେ ଡାକ୍ତରମାନଙ୍କ ଅନୁପସ୍ଥିତି ଯୋଗୁଁ ଜିଲ୍ଲାରେ ପ୍ରାଣୀ ଚିକିତ୍ସା ସେବାରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ପ୍ରାଣୀ ଚିକିତ୍ସା ସେବା ସହିତ ଗାଈ, ଛେଳି, କୁକୁଡ଼ା ଫାର୍ମ ଆଦିର ସରକାରୀ ସବ୍‌ସିଡି ପାଇବାକୁ ଗରିବ ହିତାଧିକାରୀ ତଥା ମହିଳା ସ୍ଵୟଂ ସହାୟକ ଦଳର ମାଆମାନେ ବଞ୍ଚିତ ହେଉଛନ୍ତି, ଯାହା ପାଇଁ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ସରକାର ପ୍ରାଣୀ ଚିକିତ୍ସକମାନଙ୍କ ଦାବୀର ଯଥାର୍ଥତାକୁ ବିଚାର କରି ଉଚିତ୍ ପଦକ୍ଷେପ ନେବା ସହିତ ପ୍ରାଣୀ ଚିକିତ୍ସା ସେବାକୁ ନିରନ୍ତର କରିବା ଦିଗରେ ଯଦି କୌଣସି ପଦକ୍ଷେପ ନ ନିଅନ୍ତି ଆଗାମୀ ଦିନରେ ପ୍ରାଣୀ ପାଳକମାନେ ଅଧିକରୁ ଅଧିକ କ୍ଷତିଗ୍ରସ୍ତ ହେବେ ଓ ଏଥିପାଇଁ ଚାଷୀ, ଗୋଶାଳା, ପ୍ରାଣୀ କଲ୍ୟାଣ ସ୍ଵେଚ୍ଛାସେବୀ ସଂଗଠନ ଓ ବୁଦ୍ଧିଜୀବୀମାନେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଛନ୍ତି।

Comments are closed.