କିରାସିରା ଗ୍ରାମର ନିରଂଜନ ନାଏକ ହତ୍ୟାମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ
ବୌଦ୍ଧ: ବୌଦ୍ଧ ଥାନା ଅନ୍ତର୍ଗତ କିରାସିରା ଗ୍ରାମରେ ଜମିବାଡି ବିବାଦକୁ ନେଇ ଗତ ୭.୧.୨୧ ତାରିଖରେ ନିରଂଜନ ନାଏକଙ୍କୁ ହତ୍ୟାକରା ଯାଇଥିଲା। ଏହି ହତ୍ୟାକାଣ୍ଡ ମାମଲାର ରାୟ ଆଜି ପ୍ରକାଶ ପାଇଛି। ବୌଦ୍ଧ ଜିଲ୍ଲା ଦୌରାଜଜ ବିକ୍ରମ କୁମାର ପ୍ରଧାନ ଏହି ମାମଲାର ବିଚାର କରି ତାଙ୍କ ରାୟରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ସହିତ ଦଶ ହଜାର ଟଙ୍କା ଜରିମାନା ଆଦେଶ ପ୍ରଦାନ କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ଛଅ ମାସ କାରାଦଣ୍ଡ ବୋଲି ତାଙ୍କ ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଜଣକ ହେଲା କିରାସିରା ଗ୍ରାମର ବିଦ୍ୟାଧର ନାଏକ। ମାମଲାରୁ ପ୍ରକାଶ ଯେ, କିରାସିରା ଗ୍ରାମର ବିଦ୍ୟାଧର ନାଏକ ଓ ନିରଂଜନ ନାଏକ ଙ୍କ ମଧ୍ୟରେ ଜାଗାକୁ ନେଇ ଝଗଡା ଲାଗିରହିଥିଲା।
ବିଦ୍ୟାଧର ନାଏକଙ୍କ ଘର ସହିତ ନିରଂଜନ ନାଏକଙ୍କ ଘର ଲାଗିକରି ରହିଛି। ମଝିରେ ପ୍ରାୟ ଦେଢଫୁଟ ହେବ ଏକ ଗଳି ଅଛି। ଉକ୍ତ ଜାଗାକୁ ନେଇ ବିଦ୍ୟାଧର ନିରଂଜନ ସହିତ ଝଗଡା କରୁଥିଲା। ଯାହାଫଳରେ ନିରଂଜନର ଘର କାନ୍ଥକୁ ପଲସ୍ତରା କରାଇ ଦେଉନଥିଲା ଓ ତାର ସ୍ତ୍ରୀକୁ ଖରାପ ବ୍ୟବହାର ଦେଖାଉଥିଲା। ଖରାପ ବ୍ୟବହାର ପାଇଁ ନିରଂଜନ ଘଟଣାର ଚାରି ମାସେ ତଳେ ବଘିଆପଡା ଫାଣ୍ଡିରେ ଲିଖିତ ଭାବରେ ଜଣାଇଥିଲା। ସେମାନଙ୍କ ମଧ୍ୟରେ ଆପୋସ ମିଳାମିଶା ହୋଇଥିଲା। ଗତ ୭.୧.୨୦୨୧ ତାରିଖ ଦିନ ପ୍ରାୟ ୧୧ ଟା ସମୟରେ ନିରଂଜନ, ତାର ସ୍ତ୍ରୀ ଓ ପୁଅକୁ ଧରି ନଦୀକୁ ଗାଧୋଇବାକୁ ଯାଇଥିଲା। ନିରଂଜନ ପ୍ରଥମେ ଗାଧେଇ ସାରି ଆସି ତାର ଘର ସମ୍ମୁଖରେ ଥିବା ବାରଣ୍ଡାରେ ବସି ଦାନ୍ତ ଘସୁଥିଲା।
ସେତିକି ବେଳେ ଅଭିଯୁକ୍ତ ବିଦ୍ୟାଧର ନାଏକ ଏକ ଟାଙ୍ଗିଆ ଧରି ଆସି ପଛପଟୁ ନିରଂଜନର ବେକରେ ଚୋଟ ଉପରେ ଚୋଟ ମାରିଥିଲା। ନିରଂଜନର ବାପା ଏହାଦେଖି ତାକୁ ନ ମାରିବାକୁ ଅନୁରୋଧ କରିଥିଲେ। ହେଲେ ଅଭିଯୁକ୍ତ ବିଦ୍ୟାଧର ନ ମାନି ହାଣିଥିଲା। ନିରଂଜନ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡ ଭିଆଇ ଅଭିଯୁକ୍ତ ବିଦ୍ୟାଧର ଏକ ସାଇକେଲରେ ଟାଙ୍ଗିଆକୁ ଧରି କମିରା ଗ୍ରାମ ଆଡକୁ ଚାଲିଯାଇଥିଲା। ଏନେଇ ନିରଂଜନର ଭାଇ ବୌଦ୍ଧଥାନାରେ ଏତଲା ଦେଇଥିଲା। ପୁଲିସ ବିଦ୍ୟାଧରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଏହି ମାମଲାଟି ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତରେ ଏସଟି ୩୩/୨୧ରେ ବିଚାର ହୋଇଥିଲା। ୧୫ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତିକରି ଅଦାଲତ ଅଭିଯୁକ୍ତ ବିଦ୍ୟାଧରକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସରକାରୀ ଓକିଲ ସବିତା କୁମାରୀ ପଣ୍ଡା ପରିଚାଳନା କରିଥିଲେ।
Comments are closed.