ବୌଦ୍ଧ: ବୌଦ୍ଧ ସହରର ବିକାଶରେ ଜବରଦଖଲ ଏକ ମୁଖ୍ୟ ସମସ୍ୟା ହୋଇ ଦେଖାଦେଇଛି। ରାସ୍ତା, ଘାଟ, ଡ୍ରେନ ସରକାରୀ ସ୍ଥାନ ସବୁଠି ଜବରଦଖଲ। ଅନେକ ସରକାରୀ ଚାକିରୀଆ ମଧ୍ୟ ଜବରଦଖଲ କରି ପରେ ନିଜ ନାମରେ ସରକାରୀ ସ୍ଥାନ ସବୁ ରେକର୍ଡ କରାଇ ନେଇଥିବା ଅଭିଯୋଗ ହେଉଛି। ଫଳରେ ସହର ମଧ୍ୟରେ ରାସ୍ତା ନିର୍ମାଣ ହେଉ କି ଅନ୍ୟ କୌଣସି ପ୍ରକଳ୍ପ ଜବରଦଖଲକାରୀମାନେ ବିଭିନ୍ନ ଉପାୟ ଅବଲମ୍ବନ କରିବା ସହିତ ଅଦାଲତର ଆଶ୍ରୟ ନେଇ ଉନ୍ନୟନ ପ୍ରକଳ୍ପ ଗୁଡିକରେ ବାଧା ଉପୁଜାଉଥିବା ଦେଖିବାକୁ ମିଳୁଅଛି। ବର୍ତମାନ ବୌଦ୍ଧ ସହରର ଅନେକ ରାସ୍ତା ସଂପ୍ରସାରଣ ହୋଇସାରିଥିବାବେଳେ ଅନେକ ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ସେହିପରି ସହରର ପ୍ରମୁଖ ଛକଗୁଡିକରୁ ଜବରଦଖଲ ହଟାଯାଇ ତାହାକୁ ନୂଆରୂପ ଦିଆଯାଉଅଛି। କିନ୍ତୁ ନିର୍ମାଣ କାର୍ଯ୍ୟ ସମୟରେ ଜବରଦଖଲକାରୀମାନେ ସମସ୍ୟା ସୃଷ୍ଟି କରୁଥିବାରୁ ପ୍ରକଳ୍ପ କାର୍ଯ୍ୟଗୁଡିକ ଅଧାରେ ଅଟଳି ରହୁଛି।
ତେଣୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଐତିହାସିକ ବୌଦ୍ଧ ସହରର ସୌନ୍ଦର୍ଯ୍ୟକରଣ ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିଷ୍ପତି ଗ୍ରହଣ କରାଯାଇଛି। ପ୍ରକଳ୍ପ କାର୍ଯ୍ୟକାରୀ କରିବା ସମୟରେ ଯେଉଁଠାରେ ଜବରଦଖଲ ସମସ୍ୟା ହେଉଛି ତୁରନ୍ତ ପଦକ୍ଷେପ ଗ୍ରହଣ କରି ଜବରଦଖଲ ହଟାଇବାକୁ ବିଭିନ୍ନ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ସୂଚନା ମୁତାବକ ରାମେଶ୍ୱର ଠାରୁ ବାଘଗୁଡା ଛକ ଦେଇ ହାତୀଶାଳ ଛକ,ବୁଟୁପାଲି ଓ ରଇଠାଣୀ ବାଇପାଶ ପର୍ଯ୍ୟନ୍ତ ଚାରିଲେନ ବିଶିଷ୍ଟ ରାସ୍ତା ନିର୍ମାଣ ସହ ଡିଭାଇଡର ନିର୍ମାଣ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ସେହିପରି ବାଘଗୁଡା ଛକଠାରୁ ଓୟାରଲେସ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ସରକାରୀ ଯାଗାକୁ ଆଉଥରେ ଚିହ୍ନଟ କରାଯାଇ ରାସ୍ତା ଓ ଡିଭାଇଡର ନିର୍ମାଣ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି।
ବାଘଗୁଡା ଛକ,ହାତୀଶାଳ ଛକ,ବୁଟୁପାଲି ବଘିଆପଡ଼ାଛକ ଓ ବାଇପାଶ ଛକର ସୌନ୍ଦର୍ଯ୍ୟକରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ଏହାବ୍ୟତୀତ ସହରର କେନ୍ଦ୍ରସ୍ଥଳରେ ଥିବା ଐତିହାସିକ ରାମେଶ୍ୱର ମନ୍ଦିରର ଚାରିପଟରୁ ଜବରଦଖଲ ଉଛେଦ କରାଯାଇ ଏହାର ଉନ୍ନତିକରଣ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ଗଡ଼ଖାଇ ପୁନରୁଦ୍ଧାର କାର୍ଯ୍ୟ ତ୍ୱାରାନ୍ୱିତ କରାଯିବାକୁ ବୈଠକରେ ଆଲୋଚନା କରାଯାଇଛି। ସହର ମଧ୍ୟରେ ପାର୍କିଂ ଜୋନ ଚିହ୍ନଟ କରାଯିବାକୁ ନିର୍ବାହୀ ଅଧିକାରୀ ବୌଦ୍ଧ ଏନଏସି ଓ ତହସିଲଦାର ବୌଦ୍ଧଙ୍କୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ନୋ ପାର୍କିଂ ଜୋନ ଚିହ୍ନଟ କରିବା ବୋର୍ଡ ଲଗାଇବାକୁ ପୁର୍ତ୍ତବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସହରର ସୌନ୍ଦର୍ଯ୍ୟକରଣ ପାଇଁ ସହରବାସୀ ସହଯୋଗ କରିବାକୁ ଜିଲାପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିବା ବେଳେ ନିଜେ ଜବରଦଖଲ କରିଥିବା ସ୍ଥାନ ତୁରନ୍ତ ଖାଲି କରିବାକୁ ଅନୁରୋଧ କରାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ସମେତ ପୁର୍ତବିଭାଗ,ତହସିଲ,ପୋଲିସ ଓ ଏନଏସି ଆଦି ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।



