ବୌଦ୍ଧ ପୌର ନିର୍ବାଚନରେ ବିଜେଡିର ବାଜିମାତ, ଅଧ୍ୟକ୍ଷ ହେଲେ ମୃତ୍ୟୁଞ୍ଜୟ ମିଶ୍ର
୧୫ ୱାର୍ଡରେ ବିଜେଡି, ୨ରେ ବିଜେପି
ବୌଦ୍ଧ:ବୌଦ୍ଧଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲାପରିଷଦ ଅଧ୍ୟକ୍ଷ ପଦବୀ ହାସଲ କରିବାପରେ ପୌର ନିର୍ବାଚନରେ ମଧ୍ୟ ବିଜେଡିକୁ ବିପୁଳ ବିଜୟ ମିଳିଛି। ୧୭ ୱାର୍ଡ ବିଶିଷ୍ଟ ବୌଦ୍ଧ ଏନଏସିରେ ପ୍ରତ୍ୟକ୍ଷ ନିର୍ବାଚନରେ ବିଜେଡିର ମୃତ୍ୟୁଞ୍ଜୟ ମିଶ୍ର ୪୮୮୧ଟି ଭୋଟ ପାଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ଗଣେଷ ପ୍ରସାଦ ଅଗ୍ରୱାଲାଙ୍କୁ ୧୩୪୦ଟି ଭୋଟରେ ପରାଜିତ କରିଛନ୍ତି। ଜିଲା ପରିଷଦରେ ୨ଟି ଆସନ ଅକ୍ତିଆର କରିବାପରେ ପୌର ନିର୍ବାଚନରେ ସଫଳତା ନେଇ ଉତଫୁଲ୍ଲିତ ବିଜେପିକୁ ପୌର ନିର୍ବାଚନରେ ତୃତୀୟ ସ୍ଥାନ ସହିତ ସନ୍ତୁଷ୍ଟ ହେବାକୁ ପଡିଛି। ବିଜେଡିର ଦକ୍ଷ ନେତୃତ୍ୱ ପୌର ନିର୍ବାଚନରେ ସଫଳତା ଦେଇଥିବାବଳେ ଦୀର୍ଘଦିନ ହେଲା ଉପଯୁକ୍ତ ନେତୃତ୍ୱ ନପାଇ ପୌରାଞ୍ଚଳରୁ ଲୋପ ପାଇବାକୁ ବସିଥିବା କଂଗ୍ରେସ ଆଶ୍ଚର୍ଯ୍ୟଜନକ ଭାବରେ ନିଜର ଭୋଟ ହାରକୁ ବୃଦ୍ଧି କରିବାସହ ଦ୍ୱିତିୟ ସ୍ଥାନ ଦଖଲ କରିବାରେ ସଫଳ ହୋଇଛି। ସେହିପରି ଅଧ୍ୟକ୍ଷ ନିର୍ବାଚନରେ ଉପଯୁକ୍ତ ପ୍ରାର୍ଥୀ ନପାଇ କଂଗ୍ରେସର ଜଣେ ପୂର୍ବତନ କାଉନସିଲରଙ୍କୁ ପ୍ରାର୍ଥୀ କରିଥିବା ବିଜେପିକୁ ନିରାଶ ହେବାକୁ ପଡିଛି। ସେହିପରି ୱାର୍ଡ ସଭ୍ୟ ନିର୍ବାଚନରେ ୧୭ ଗୋଟି ୱାର୍ଡ ମଧ୍ୟରୁ ୧୫ଟି ୱାର୍ଡ ଦଖଲ କରିବା ସହିତ ବିଜେଡିକୁ ବିପୁଳ ସଫଳତା ମିଳିଥିବାବେଳେ ୪ଟି ୱାର୍ଡସଭ୍ୟ ଦେଇପାରିନଥିବା କଂଗ୍ରେସ ଗୋଟିଏ ହେଲେ ୱାର୍ଡ ଜିତିବାରେ ସଫଳ ହୋଇନାହିଁ। ଅପରପକ୍ଷରେ ଅଧ୍ୟକ୍ଷ ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ବିଜେପି ୨ ଗୋଟି ୱାର୍ଡ ଦଖଲ କରିବାରେ ସଫଳ ହୋଇଛି।
ସୂଚନା ମୁତାବକ ବିଜେଡିର କାଉନସିଲର ଭାବେ ୱାଡ ନଂ ୧ ରେ ଶ୍ୟାମସୁନ୍ଦର ବାରିକ, ୨ ନଂ ଦେବାଶିଷ ବିଶି , ୩ ନଂ ମଞ୍ଜୁଲତା ସାହୁ, ୪ନଂ ଦାମିନୀ ଅଗ୍ରୱାଲା, ୫ନଂ ମାନିନି ଅମାତ, ୬ ନଂ ସନ୍ତୋଷିନୀ ନେପାକ, ୮ ନଂରେ ଲକ୍ଷ୍ମୀ ମେହେର, ୯ ନଂ ସ୍ୱର୍ଣ୍ଣଲତା ଦଳେଇ, ୧୦ ନଂ ସୁବାଶିନି ସେଠୀ, ୧୧ ନଂ ଭରତ ନାଏକ , ୧୩ ନଂରେ ଧବଳେଶ୍ୱର ମାଝୀ, ୧୪ ନଂ ରେ ରାଧେଶ୍ୟାମ ସେଠୀ, ୧୫ ନଂ ରେ ନାରାୟଣ ଦଳବେହେରା, ୧୬ ନଂ ଚନ୍ଦ୍ରିକା ବେହେରା ଓ ୧୭ ନଂ ଗୁରୁବାରୀ ବେହେରା ବିଜୟୀ ହୋଇଥିବାବେଳେ ବିଜେପି ର ୭ ନଂ ୱାର୍ଡରେ ସସ୍ମିତା ମେହେର ଓ ୧୨ ନଂ ୱାର୍ଡରେ ବୁନ୍ଦୁରୀ ନାଏକ ବିଜୟୀ ହୋଇଛନ୍ତି।
ଅପରାହ୍ନରେ ବିଜେଡି ପକ୍ଷରୁ ଏକ ବିଜୟ ଶୋଭଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା ସହରର ଐତିହାସିକ ରାମେଶ୍ୱର ମନ୍ଦିରଠାରୁ ବାହାରି ସମସ୍ତ ୱାର୍ଡ ପରିକ୍ରମା କରିଥିଲା। ସବୁ ୱାର୍ଡରେ ନୂତନ ଅଧକ୍ଷ୍ୟ ଓ ୱାର୍ଡସଭ୍ୟ ସଭ୍ୟାମାନଙ୍କୁ ଦଳୀୟ ସମର୍ଥକ ଓ ବସ୍ତିବାସୀନ୍ଦାମାନେ ସ୍ୱାଗତ କରିବା ସହ ଆତସବାଜୀରେ ସହର କମ୍ପି ଉଠିଥିଲା। ଏହି ଶୋଭାଯାତ୍ରାରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲା ପରିଷଦ ଅଧକ୍ଷ୍ୟା ପ୍ରଭାସିନୀ ଦାସ, ଜିଲାପରିଷଦ ଉପାଧକ୍ଷ୍ୟ ଶଙ୍କର୍ଷଣ ପ୍ରଧାନ, ସମସ୍ତ ବିଜୟୀ କାଉନସିଲର, ଦଳୀୟ ପର୍ଯ୍ୟବେକ୍ଷକ ସୌଭାଗ୍ୟ କୁମାର ନାୟକଙ୍କ ସମେତ ବରିଷ୍ଠ ବିଜେଡି ନେତା ଓ କର୍ମୀ ସାମିଲ ହୋଇଥିଲେ। ମୋଟାମୋଟି ଭାବରେ କହିବାକୁ ଗଲେ ଅଧ୍ୟକ୍ଷ ପଦବୀ ପାଇଁ ତ୍ରିମୁଖୀ ନିର୍ବାଚନରେ ବିଜେଡି ବାଜିମାତ କରିଥିବାବେଳେ କଂଗ୍ରେସର ସାଂଗଠନିକ ଶକ୍ତି ବୃଦ୍ଧି ହୋଇଛି। ସେହିପରି ବିଜେପି ଏହି ନିର୍ବାଚନରେ ପ୍ରାର୍ଥୀ ଚୟନ ନେଇ କରିଥିବା ଭୁଲକୁ ସୁଧାରି ଆଗକୁ ବଢିବା ପାଇଁ ଏକ ସୁଯୋଗ ସୃଷ୍ଟି କରିବ ବୋଲି ସାଧାରଣରେ ଆଲୋଚନା ହେଉଅଛି।
Comments are closed.