୧୮ ବର୍ଷରୁ ଊର୍ଦ୍ଧ୍ବ ଅବିବାହିତା କନ୍ୟା ପିତାଙ୍କଠାରୁ ଭରଣପୋଷଣ ଦାବି କରିପାରିବେ : ବମ୍ବେ ହାଇକୋର୍ଟ

0

ମୁମ୍ବଇ : ପିତାଙ୍କ ବିବାହ ବିଚ୍ଛେଦ ସତ୍ତ୍ୱେ ୧୮ ବର୍ଷରୁ ଊର୍ଦ୍ଧ୍ବ ଅବିବାହିତା କନ୍ୟା ତାଙ୍କଠାରୁ ଭରଣପୋଷଣ ଅର୍ଥ ଦାବି କରିପାରିବେ ବୋଲି ବମ୍ବେ ହାଇକୋର୍ଟ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ଏପରିକି ଜଣେ ମହିଳା ନିଜର ସାବାଳିକା କନ୍ୟାଙ୍କ ତରଫରୁ ଭରଣପୋଷଣ ସଂକ୍ରାନ୍ତ ଆବେଦନପତ୍ର ଦାଖଲ କରିପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ମୁମ୍ବଇର ଜଣେ ମହିଳାଙ୍କୁ ତାଙ୍କ ପତି କିଛି ବର୍ଷ ପୂର୍ବେର୍ ଛାଡପତ୍ର ଦେଇଥିଲେ। ସେମାନଙ୍କର ୧୯ ବର୍ଷର ଏକ କନ୍ୟା ସନ୍ତାନ ରହିଛି। ବିବାହ ବିଚ୍ଛେଦ ପରେ ସାବାଳିକା କନ୍ୟାର ଭରଣପୋଷଣ ବାବଦକୁ ପୂର୍ବତନ ସ୍ୱାମୀ ଅର୍ଥ ପ୍ରଦାନ କରନ୍ତୁ ବୋଲି ଦାବି କରି ମହିଳା ଜଣକ ପ୍ରଥମେ ଫ୍ୟାମିଲି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ତେବେ ଅଦାଲତ ତାଙ୍କର ଆବେଦନକୁ ଖାରଜ କରିବାପରେ ସେ ହାଇକୋର୍ଟରେ ଏକ ପିଟିସନ ଦାଏର କରିଥିଲେ।
ସଂପୃକ୍ତ ପତିପତ୍ନୀ ୧୯୮୮ରେ ବିବାହ କରିଥିବାବେଳେ ୧୯୯୭ରେ ଛାଡପତ୍ର ଦେଇଥିଲେ। ସେମାନଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି। ତିନିଜଣ ସନ୍ତାନ ବର୍ତ୍ତମାନ ମାଆଙ୍କ ପାଖରେ ରହୁଛନ୍ତି। ତିନି ସନ୍ତାନ ନାବାଳକ ଥିବା ପର୍ଯ୍ୟନ୍ତ ପତି ପ୍ରତ୍ୟେକ ସନ୍ତାନ ପିଛା ଭରଣପୋଷଣ ଅର୍ଥ ଦେଇଆସୁଥିଲେ। ତେବେ ଇତିମଧ୍ୟରେ ଝିଅକୁ ୧୮ ବର୍ଷ ହେବାପରେ ପିତା ତାଙ୍କୁ ସାବାଳକ ଦର୍ଶାଇ ଏହି ଅର୍ଥ ବନ୍ଦ କରିଦେଇଥିଲେ। ମହିଳା ଜଣକ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି ଯେ ଝିଅ ସାବାଳକ ହୋଇସାରିଥିଲେ ସୁଦ୍ଧା ଝିଅର ପାଠପଢା ଖର୍ଚ୍ଚ ତୁଲାଇବାକୁ ସେ ଅକ୍ଷମ। ଦୁଇ ପୁଅଙ୍କ ମଧ୍ୟରୁ ଜଣେ ପାଠପଢା ବାବଦକୁ ନେଇଥିବା ଋଣ ପରିଶୋଧ କରୁଥିବାବେଳେ ଅନ୍ୟ ପୁଅ ଏପର୍ଯ୍ୟନ୍ତ ଚାକିରି କରିନାହିଁ। ତେଣୁ ପୂର୍ବତନ ସ୍ୱାମୀ ଝିଅର ପାଠପଢା ଖର୍ଚ୍ଚ ବହନ କରିବା ଉଚିତ ବୋଲି ମହିଳା ଜଣକ ଦାବି କରିଛନ୍ତି। ବର୍ତ୍ତମାନ ମହିଳା ଜଣକ ପୂର୍ବତନ ସ୍ୱାମୀଙ୍କଠାରୁ ଭରଣପୋଷଣ ବାବଦରେ ମାସିକ ୨୫,୦୦୦ ଟଙ୍କା ପାଉଥିବାବେଳେ ଆଉ ୧୫,୦୦୦ ଟଙ୍କା ଅଧିକ ଦାବି କରିଛନ୍ତି। ନିୟମ ମୁତାବକ କେବଳ ନାବାଳକ ସନ୍ତାନଙ୍କ ପିଛା ଭରଣପୋଷଣ ବ୍ୟବସ୍ଥା ରହିଥିବାରୁ ଫ୍ୟାମିଲି ଅଦାଲତ ଉକ୍ତ ମହିଳାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ତେବେ ହାଇକୋର୍ଟ ଏହି ପ୍ରସଙ୍ଗରେ ପୂର୍ବରୁ ସୁପ୍ରିମକୋର୍ଟ ଓ ଅନ୍ୟ ହାଇକୋର୍ଟଙ୍କ ରାୟକୁ ଆଧାର କରି ମହିଳାଙ୍କ ସପକ୍ଷରେ ରାୟ ପ୍ରଦାନ କରିଛନ୍ତି। ସାବାଳିକା କନ୍ୟା ଜଣକ ଆର୍ଥôକ ଦୃଷ୍ଟିକୋଣରୁ ସ୍ୱାବଲମ୍ବୀ ହେବାପର୍ଯ୍ୟନ୍ତ ତାଙ୍କର ଭରଣପୋଷଣ ଖର୍ଚ୍ଚ ବହନ କରିବାକୁ ପିତା ବାଧ୍ୟ ବୋଲି ହାଇକୋର୍ଟ କହିଛନ୍ତି।

Leave A Reply