BJD Bijuli 480×75 Mob

ବିଳମ୍ବରେ ବଳାତ୍କାର ମାମଲା ରୁଜୁ ମିଥ୍ୟା ଅଭିଯୋଗକୁ ବୁଝାଏ ନାହିଁ : ମୁମ୍ବଇ ହାଇକୋର୍ଟ

BJD Bijuli 480×75 Mob
0

ମୁମ୍ବଇ : ଲଜ୍ଜାଶୀଳ ଭାରତୀୟ ମହିଳା ବଳାତ୍କାର ଭଳି ଅତ୍ୟାଚାର ପ୍ରସଙ୍ଗରେ ପୁଲିସ ନିକଟରେ ଅଭିଯୋଗ ପ୍ରକାଶ କରିବାକୁ ସାଧାରଣତଃ ଅନିଚ୍ଛା ପ୍ରକାଶ କରିଥାଆନ୍ତି। ଏଣୁ ବିଳମ୍ବରେ ବଳାତ୍କାର ମାମଲା ରୁଜୁ କରିବା ଘଟଣାରେ ଅଭିଯୋଗକାରିଣୀ ମିଥ୍ୟା ଅଭିଯୋଗ ଆଣିଛନ୍ତି ବୋଲି କୁହାଯାଇପାରିବ ନାହିଁ। କାରଣ ଭାରତୀୟ ମହିଳା ଏଭଳି ମିଥ୍ୟା ଅଭିଯୋଗ ଆଣିବା ଘଟଣା ଖୁବ୍‌ କମ୍‌ ଦେଖିବାକୁ ମିଳିଥାଏ। ଏକ ଗଣବଳାତ୍କାର ମାମଲାର ଶୁଣାଣି କରି ମୁମ୍ବଇ ହାଇକୋର୍ଟ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଏଥିସହ ମାମଲାର ୪ ଅଭିଯୁକ୍ତଙ୍କ ପୂର୍ବ ଦଣ୍ଡାଦେଶକୁ ହାଇକୋର୍ଟ ବିଚାରପତି ଏ. ଏମ୍‌. ବଦାର କାଏମ ରଖିଛନ୍ତି। ୨୦୧୨ ମାର୍ଚ୍ଚ ୧୫ରେ ନାସିକ୍‌ସ୍ଥିତି ତୈ୍ରମ୍ବକେଶ୍ୱର ମନ୍ଦିରରୁ ଫେରିବା ବାଟରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରିବା ତଥା ତାଙ୍କ ବନ୍ଧୁଙ୍କୁ ନିସ୍ତୁକ ମାଡ଼ ମାରିବା ନେଇ ଦତ୍ତତ୍ରୟ କୋର୍ଡେ, ଗଣେଶ ପରଦେଶୀ, ପିଣ୍ଟୁ ଖୋସ୍କାର ଏବଂ ଗଣେଶ ଜୋଲୋଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଅଭିଯୁକ୍ତମାନଙ୍କୁ ୨୦୧୩ ଏପ୍ରିଲରେ ଫୌଜଦାରୀ କୋର୍ଟ ୧୦ ବର୍ଷ କାରାଦଣ୍ଡାଦେଶ ଦେଇଥିଲେ। ଅଭିଯୁକ୍ତମାନେ ଏହି ଦଣ୍ଡାଦେଶ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଅଭିଯୋଗକାରିଣୀ ଏବଂ ତାଙ୍କ ବନ୍ଧୁଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରି ପୁଲିସରେ ଦେବାକୁ କହିବାରୁ ସେମାନଙ୍କ ବିରୋଧରେ ଗଣବଳାତ୍କାରର ମିଥ୍ୟା ଅଭିଯୋଗ ଅଣାଯାଇଥିବା ଅଭିଯୁକ୍ତମାନେ ଦର୍ଶାଇଥିଲେ। ଅନ୍ୟପଟେ ଘଟଣାଟି ମାର୍ଚ୍ଚ ୧୫ରେ ଘଟିଥିବା ଅଭିଯୋଗରେ ଦର୍ଶାଯାଇଥିବା ବେଳେ ଅଭିଯୋଗକାରିଣୀ ଏହାର ଦୁଇ ଦିନ ପରେ କାହିଁକି ମାମଲା ରୁଜୁ କଲେ ବୋଲି ସେମାନେ କୋର୍ଟରେ ଯୁକ୍ତି ବାଢିଥିଲେ। ଅନ୍ୟପଟେ ମହିଳାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିବାରୁ ତାଙ୍କୁ ବଳାତ୍କାର କରାଯାଇ ନ ଥିବା ସେମାନେ ଦର୍ଶାଇଥିଲେ।
କିନ୍ତୁ ହାଇକୋର୍ଟ ବିଚାରପତି ବଦାର ପୂର୍ବରୁ ସୁପ୍ରିମକୋର୍ଟ ଏକ ମାମଲାରେ ଦେଇଥିବା ରାୟର ଉଦାହାରଣ ଉପସ୍ଥାପନ କରି କହିଥିଲେ, ଭାରତର ରକ୍ଷଣଶୀଳ ସମାଜର ଝିଅ ଅଥବା ମହିଳା ଏବଂ ସ୍ୱାମୀଙ୍କଠାରୁ ଅଲଗା ରହୁଥିବା ମହିଳା ନିଜର ପବିତ୍ରତା ଉପରେ ଆଞ୍ଚ ନ ଆଣିବା ଉଦ୍ଦେଶ୍ୟରେ ଏଭଳି ଅଭିଯୋଗ ଅଣିବାକୁ ଭୟ କରିଥାଆନ୍ତି। ସମ୍ଭବତଃ ଜଣେ ପୁରୁଷଙ୍କ ସହିତ ବନ୍ଧୁତ୍ୱ ଥିବା କାରଣରୁ ଏଭଳି ଘଟଣା ଲୋକଲୋଚନକୁ ଆସିଲେ ତାଙ୍କୁ ଅପବାଦର ସମ୍ମୁଖୀନ ହେବାକୁ ପଡିବ ଭାବି ଅଭିଯୋଗକାରିଣୀ ମାମଲା ରୁଜୁ କରିବାରେ ବିଳମ୍ବ କରିଛନ୍ତି। କିନ୍ତୁ ଏହାଦ୍ୱାରା ତାଙ୍କ ମାମଲା ଦୁର୍ବଳ ହୋଇନାହିଁ। ଏଥିସହ ପୀଡ଼ିତାଙ୍କ ଶରୀରରେ କ୍ଷତଚିହ୍ନ ନ ଥିବାରୁ ସେ ଯୌନ ଅତ୍ୟାଚାରର ଶିକାର ହୋଇ ନ ଥିବା ମଧ୍ୟ କୁହାଯାଇପାରିବ ନାହିଁ ବୋଲି ବିଚାରପତି ରାୟ ଦେଇଛନ୍ତି।

Leave A Reply