ଦେଢ କୋଟିର ଖେଳ: ଅଯୋଗ୍ୟ ଓ ସମ୍ପର୍କୀୟଙ୍କୁ ଥଇଥାନ, ଅନ୍ଧାରରେ ଅସ୍ଥାୟୀ ବନ କର୍ମଚାରୀଙ୍କ ଭବିଷ୍ୟତ

ବଲାଙ୍ଗିର: ବଲାଙ୍ଗିର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ ଥିବା ବିଭିନ୍ନ ରେଞ୍ଜମାନଙ୍କରେ କାମ୍ପା ଓ ଆମ ଜଙ୍ଗଲ ଯୋଜନାରେ ବିଭିନ୍ନ ବର୍ଗରେ ଅସ୍ଥାୟୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଦୀର୍ଘ ବର୍ଷ ଧରି ଅସ୍ଥାୟୀ ବନ କର୍ମଚାରୀମାନେ ବନ ବିଭାଗର କାମ କରି ଆସୁଥିବା ବେଳେ ସେମାନଙ୍କ କୋଟି କୋଟି ଟଙ୍କାର ଇପିଏଫ୍‍ ଓ ଇଏସଆଇ ଟଙ୍କା ୟାର ସଂସ୍ଥା କିଭଳି ଚଳୁ କରିଛି ସେ ନେଇ ଦୈନିକ ଖବର କାଗଜ ‘ସମାଜ’ରେ ପ୍ରକାଶିତ ହୋଇଛି। ଗତ ତିନି ଦିନ ଧରି ବଲାଙ୍ଗିର ବନ ବିଭାଗର ଅନେକ ଅନିୟମିତତା, ଦୁର୍ନୀତି ଲୋକଲୋଚନକୁ ଆସିଥିବା ବେଳେ ‘ସମାଜ’ ହାତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି।

ଶିଳ୍ପ ବିହୀନ ବଲାଙ୍ଗିର ଜିଲା। ସରକାରୀ ଚାକିରୀ ଖଣ୍ଡିଏ ଉଚ୍ଚ ଶିକ୍ଷିତ ଯୁବକ, ଯୁବତୀଙ୍କ ପାଇଁ ସ୍ୱପ୍ନ। ଜିଲାରେ ବିଗତ କିଛି ବର୍ଷ ହେଲା ହୁହୁ ହୋଇ ବଢି ଚାଲିଛି ବେକାରୀ ସମସ୍ୟା। ଯାହା ଫଳରେ ବାହାର ରାଜ୍ୟକୁ ଦାଦନ ଖଟି ଯାଉଥିବା ବେଳେ ବିଭିନ୍ନ ସମୟରେ ମନରେଗା ଶ୍ରମିକ ଭାବେ କାର୍ଯ୍ୟ କରୁଥିବାର ଗଣମାଧ୍ୟମର ଶିରୋନାମାରେ ଖବର ରହି ଆସିଛି।

ଜିଲାରେ ୨୦୧୬ ମସିହାରେ ଠିକ୍‍ ବନ ବିଭାଗରେ ଅସ୍ଥାୟୀ କର୍ମଚାରୀଙ୍କ ଭତ୍ତି ପାଇଁ ବିଭାଗ ତରଫରୁ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଏହାର ଭରପୁର ସୁଯୋଗ ନେଇଥିଲା ବେସରକାରୀ ଅନୁଷ୍ଠାନ ୟୁଥ୍‍ ଏସୋସିଏସନ ଫର୍‍ ରୁରାଲ ରିକ୍ରନଷ୍ଟ୍ରକସନ(ୟାର୍‍)। ଏହି ବେସରକାରୀ ଅନୁଷ୍ଠାନର ସମ୍ପାଦକ ଥିବା ଶିକ୍ଷା ବିଭାଗର କନିଷ୍ଠ କିରାଣୀ ସୁରେଶ ଷଡଙ୍ଗୀ ଓ ସଭାପତି ଚିତ୍ତରଂଜନ ବରାଡ ଓରଫ ମଣ୍ଟୁ ପ୍ରାର୍ଥୀମାନଙ୍କୁ ସରକାରୀ ଚାକିରୀ ଦେବାକୁ କହି ପ୍ରାର୍ଥୀ ପିଛା ଲକ୍ଷାଧିକ ଟଙ୍କା ନେଇଥିବା ବିଭାଗୀୟ କର୍ମଚାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ତଥ୍ୟ ରଖିବା ସହ ଅଭିଯୋଗ କରିଛନ୍ତି। ଇପିଏଫ, ଇଏସଆଇ ଟଙ୍କା ନେଇ ମୁହଁ ଖୋଲିଲେ ଚାକିରୀରୁ ସିଧାସଲଖ ବରଖାସ୍ତ କରିଦିଆଯିବାର ଧମକ ଦିଆଯାଉଥିବାରୁ କେହି କିଛି ମୁହଁ ଖୋଲୁନାହାନ୍ତି।

ବନ ବିଭାଗର ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ସମୟରେ ୟାର୍‍ର କଳାକାରନାମା ନେଇ ସେ ଆହୁରି କହିଛନ୍ତି ଯେ, ଚାକିରୀ ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗିଛି। ଯିଏ ଅଧିକ ଟଙ୍କା ଦେବେ ସିଏ ଚାକିରୀ ପାଇବେ। ବିଶେଷ କରି ଡାଟା ଏଣ୍ଟ୍ରି ଅପରେଟର ଅଫିସ୍‍ ଚାକିରୀ ହୋଇଥିବାରୁ ଏହା ସେ ସମୟରେ ଖୁବ ଚାହିଦା ରହିଥିଲା। ଚାକିରୀ କରିବାର ୬ ବର୍ଷ ପରେ ଠିକା କର୍ମଚାରୀରୁ ନିୟମିତ ହେବା ନେଇ ପ୍ରଲୋଭନ ଦେଖାଯାଇଥିଲା। ପ୍ରାର୍ଥୀ ପିଛା ଲକ୍ଷେରୁ ଦେଢ ଲକ୍ଷ ଟଙ୍କା ନିଆଯାଉଥିବା ବେଳେ ଲୋକ ଦେଖି ଦୁଇ ଲକ୍ଷ ଟଙ୍କା ବି ନେଇଛନ୍ତି। ଏହି ସମୟରେ ପ୍ରାୟ ୧୨୫ ଜଣ ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ଠାରୁ ପ୍ରାୟ ଦେଢ କୋଟି ଟଙ୍କାର ବେପାର ୟାର୍‍ର ସଭାପତି ଓ ସମ୍ପାଦକ କରିଥିବା ଅଭିଯୋଗ ହୋଇଛି।

ସବୁଠୁ ଆଶ୍ଚର୍ଯ୍ୟର କଥା କର୍ମଚାରୀଙ୍କ ନିଯୁକ୍ତି ସମ୍ବନ୍ଧୀୟ କାଗଜପତ୍ର ଠିକ ନଥିବା ବେଳେ ଭଗବାନଙ୍କ ଭରସାରେ ବିଭାଗ ଚାଲିଛି। ଚାକିରୀ ପାଇଁ ଯେଉଁ ସବୁ ଯୋଗ୍ୟତା ଦରକାର ତାହା ପ୍ରାର୍ଥୀଙ୍କ ଠାରେ ନଥାଇ ବି ନିଯୁକ୍ତି ଦିଆଯାଇଛି। ବନ ବିଭାଗର ଅନେକ ଅଧିକାରୀଙ୍କ ନିଜ ଲୋକଙ୍କୁ ଥଇଥାନ କରାଯାଇଥିବା ବେଳେ ଏହାର ଯଦି ଉଚ୍ଚସ୍ତରୀୟ ତଦନ୍ତ କରାଯାଏ ତାହା ହେଲେ ଅନେକ ଗୁମର ଫିଟିବ। ବିଶେଷ କରି ବୟସାଧିକ ଓ ଅଯୋଗ୍ୟ ପ୍ରାର୍ଥୀଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ନିଯୁକ୍ତି ସମ୍ପର୍କିତ ଗାଇଡଲାଇନ ନିଯୁକ୍ତି ସଂସ୍ଥା ୟାର୍‍ ଆଦୌ ପାଳନ କରିନଥିବା ଅଭିଯୋଗ ହୋଇଛି। ଅସ୍ଥାୟୀ ଭାବେ ନିଯୁକ୍ତି ପାଇଥିବା ବନ କର୍ମଚାରୀମାନଙ୍କ ଭବିଷ୍ୟତ ସହ ଖେଳ ଚାଲିଥିବା ବେଳେ ଦରମା ବନ୍ଦ ହେବା ଯୋଗୁଁ ଅସହାୟ ହୋଇପଡିଛନ୍ତି କର୍ମଚାରୀ। ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଆଜି ସେମାନେ ଏଭଳି ଅବସ୍ଥା ଭୋଗୁଥିବା କର୍ମଚାରୀମାନେ ନିଜ ବେଦନା କଥା ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜଣାଇଛନ୍ତି।

ଅଯୋଗ୍ୟ ପ୍ରାର୍ଥୀ ତଥା ବିଭାଗୀୟ ଅଧିକାରୀଙ୍କ ନିଜ ଲୋକଙ୍କୁ ନିଯୁକ୍ତି ଦିଆଯିବା ସମ୍ପର୍କରେ ଡିଏଫଓ ସମୀର କୁମାର ଶତପଥୀଙ୍କୁ ପଚରା ଯିବାରୁ ମୋ ପାଖକୁ ସେଭଳି କିଛି ଅଭିଯୋଗ ଆସିନାହିଁ। ଯଦି ଲିଖିତ ଭାବେ ଅଭିଯୋଗ ଆସେ ତାହା ହେଲେ ତର୍ଜମା କରାଯାଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଶତପଥୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Comments are closed.