ବ୍ଲକସ୍ତରୀୟ ‘ସାହିତ୍ୟ ସୃଜନୀ’ ଶିବିର ଉଦ୍ଯାପିତ
ଆଠଗଡ : ଆଠଗଡ ସହରର ବିଶ୍ୱନାଥ ବିଦ୍ୟାପୀଠରେ ୨ଦିନ ଧରି ଚାଲିଥିବା ବ୍ଲକସ୍ତରୀୟ ‘ସାହିତ୍ୟ ସୃଜନୀ’ ଶିବିର ଉଦ୍ଯାପିତ ହୋଇଯାଇଛି । ବ୍ଲକର ବିଭିନ୍ନ ହାଇସ୍କୁଲର ମୋଟ ୨୨ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ରାଜ୍ୟସ୍ତରୀୟ ତାଲିମ ପ୍ରାପ୍ତ ମାଷ୍ଟର ଟ୍ରେନର ଶିବ ପ୍ରସାଦ ବରାଳ ସାହିତ୍ୟ ସୃଜନୀର ଆଭିମୁଖ୍ୟ ଯଥା ସାହିତ୍ୟ କ୍ଷେତ୍ରରେ ସୃଜନୀ ଶକ୍ତିର ବିକାଶ କରିବା, ପୁସ୍ତକ ସମୀକ୍ଷା କରିବା ଓ ପୁସ୍ତକ ରଚନା କରିବା ସଂପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଶିବିରର ପ୍ରଥମ ଦିନରେ ବ୍ଲକ ଶିକ୍ଷାଧିକାରୀ ବିଜୟ ଲକ୍ଷ୍ମୀ ସାମଲ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉକ୍ତ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ‘ସାହିତ୍ୟ ସୃଜନୀ’ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଗୁରୁଦାୟିତ୍ୱ ରହିଛି ଏବଂ ଏହି ବିଷୟବସ୍ତୁ ଉପରେ ନିଷ୍ଠାର ସହିତ ତାଲିମ ଗ୍ରହଣ କରି ‘ସାହିତ୍ୟ ସୃଜନୀ’ର ଅଭିବୃଦ୍ଧି କିପରି କରାଯାଇପାରିବ ସେ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ରଘୁନାଥ ସାସମଲ ସାହିତ୍ୟ ସୃଜନୀର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଅନ୍ତିମ ଦିବସରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୃତ ମୂର୍ଚ୍ଛନା, ବିବିଧ ବର୍ଣ୍ଣାଳୀ, ପ୍ରେରଣା, କାଠଘୋଡା, ଆନନ୍ଦ ମଠ, କଥା କହେ କୋଣାର୍କ ଆଦି ପୁସ୍ତକ ଏହି ଅବସରରେ ବ୍ଲକ ଶିକ୍ଷାଧିକାରୀ ଶ୍ରୀମତୀ ସାମଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।
Comments are closed.