ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ପରିସରରେ ଜଳ ଓ ପରିମଳ ମିଶନ ପକ୍ଷରୁ ବ୍ଲକ ସ୍ତରୀୟ ବାହ୍ୟ ମଳମୁକ୍ତ ପଞ୍ଚାୟତ ଗଠନ ପାଇଁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ମେହେର, ଡିଏସସି ମଧୁସୂଦନ ସେଠି ଓ ଲିଙ୍ଗରାଜ ଦାଶ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ମନିସିବା ମହାପାତ୍ର, ଉପାଧ୍ୟକ୍ଷ ଅନନ୍ତ ମେହେର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ବ୍ଲକର ୨୪ଟି ପଞ୍ଚାୟତର ପ୍ରତି ଗାଁରେ କୋଡ଼ିଏ ହଜାରରୁ ଉର୍ଦ୍ଧ୍ବ ପାଇଖାନା ନିର୍ମାଣ ହୋଇଛି । ଏହି ପାଇଖାନା ଗୁଡ଼ିକ ଏକ ଟାଙ୍କି ବିଶିଷ୍ଟ ଥିବାରୁ ଏଥିରେ ଆଉ ଗୋଟିଏ ଲେଖାଏଁ ପାଇଖାନା ଟାଙ୍କି ନିର୍ମାଣ କରାଯାଇ ପାରିବ ନା ନାହିଁ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା । ପଞ୍ଚାୟତ ପାଣ୍ଠିରୁ ୩୫୦୦ ଟଙ୍କା ବ୍ୟୟ କରାଯାଇ ଏହି ଟାଙ୍କି ନିର୍ମାଣ କରାଯିବ ବୋଲି ଉପସ୍ଥିତ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରତି ଗାଁରେ ବାହାରେ ମଳତ୍ୟାଗ କରୁଥିବା ଲୋକଙ୍କୁ ଏହି ପାଇଖାନା ବ୍ୟବହାର କରି ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ସଚେତନ କରିବା ଲାଗି ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଦାୟିତ୍ଵ ଦିଆଯାଇଥିଲା। ଏହା ଦ୍ବାରା ଗାଆଁ ମାନଙ୍କର ପରିବେଶ ସୁସ୍ଥ ରହିବା ସହ ଗ୍ରାମବାସୀ ବିଭିନ୍ନ ରୋଗରୁ ମଧ୍ୟ ଦୂରେଇ ରହିବେ। ମଶା ମାଛିଙ୍କ ପ୍ରାଦୁର୍ଭାବ କମିଯାଇ ତତ୍ ଜନିତ ରୋଗରୁ ମୁକ୍ତ ହେବେ ବୋଲି ଏହି ସ୍ବଚ୍ଛତା କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି। ତେଣୁ ସମସ୍ତେ ଏଥିପ୍ରତି ସଚେତନ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବେ ବୋଲି ଶ୍ରୀ ମେହେର କହିଥିଲେ। ଏଥିରେ ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସାହୁ ଧନ୍ୟବାଦ ଦେଇଥିଲେ।
Comments are closed.