ଆର୍ଥିକ ଦୁର୍ବଳ ଓ ଗରୀବ ଲୋକଙ୍କୁ ବାସହୀନ କରି ରଖିବା ଶାସକ ବିଜେଡିର ଜନବିରୋଧୀ ମାନସିକତାକୁ ସ୍ପଷ୍ଟ କରିଛି:ସମୀର ମହାନ୍ତିି
ପୁରୀ ଓ କଟକ ଜିଲାର ବିଭିନ୍ନ ସ୍ଥାନରେ ବିଜେପି ରାଜ୍ୟ ସଭାପତିଙ୍କ ପଞ୍ଚାୟତ ନିର୍ବାଚନୀ ପ୍ରଚାର
ଭୂବନେଶ୍ୱର: ଫନୀ ବାତ୍ୟାର ୨୪ ଘଣ୍ଟା ଭିତରେ ମୋଦି ସରକାର କେନ୍ଦ୍ରରୁ କ୍ଷତିଗ୍ରସ୍ତ ବାସହୀନଙ୍କ ଘର ନିର୍ମାଣ ବାବଦରେ ହଜାର ହଜାର କୋଟି ଟଙ୍କା ପଠାଇଥିଲେ, ଯାହାକୁ ପ୍ରକୃତ ଗରୀବ ବାସହୀନଙ୍କ ପାଖକୁ ଆଜି ପର୍ଯ୍ୟନ୍ତ ପହଞ୍ଚି ପାରିଲା ନାହିଁ। ଆଜି ବି ଗରୀବ ଓ ନିଃସହାୟ ଲୋକମାନେ ଭଙ୍ଗା ଘରେ, ଛାତ ବିହୀନ ଘରେ ବାସ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଅନୁମୋଦନ ସତ୍ତ୍ବେ ଲକ୍ଷ ଲକ୍ଷ ଘର ଆବଣ୍ଟନ ହୋଇନପାରି ରାଜ୍ୟ ସରକାରଙ୍କ ପାଖରେ ପଡିରହିଛି। ‘ପିସି ଷ୍ଟପ୍’ ର ବାହାଷ୍ପୋଟ ମାରୁଥିବା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବର୍ତ୍ତମାନ ପିସି ପ୍ରତିଶତ ୩୦ ରୁ ୪୦ କୁ ବୃଦ୍ଧି ପାଇଛି। ଦଳୀୟ ଆଧାରରେ ବାସଗୃହ ବଣ୍ଟନନ କରି ରାଜ୍ୟର ଅଗଣିତ ଆର୍ଥିକ ଦୁର୍ବଳ ଓ ଗରୀବ ଲୋକଙ୍କୁ ବାସହୀନ କରି ରଖିବା ଶାସକ ବିଜେଡିର ଜନବିରୋଧୀ ମାନସିକତାକୁ ସ୍ପଷ୍ଟ କରିଛି। ଏହା ଅତ୍ୟନ୍ତ ଦୁର୍ଭଗ୍ୟଜନକ ଏବଂ ରାଜ୍ୟରେ ବାସଗୃହ ଆବଣ୍ଟନ ଦାୟିତ୍ୱରେ ଥିବା ଶାସକ ବିଜୁ ଜନତା ଦଳ ପାଇଁ ଏହା ବଡ ଲଜ୍ଜାର ବିଷୟ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।
ଚଳିତ ପଞ୍ଚାୟତ ନିର୍ବାଚନ ପ୍ରଚାର ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ପୁରୀ ଜିଲା ସତ୍ୟବାଦୀ କଣାସ ଜୋନ-୪ର ପାଣ୍ଡିଆକେରା, ବଡପୁଟ, ସାନପୁଟ ଦୋକନ୍ଦା, ନାନେକେରା, ବଡାସ, ଛୋଡିଯୋଡି ଆଦି ବିଭିନ୍ନ ଗ୍ରାମ ଗସ୍ତ କରି ଦଳୀୟ ପ୍ରାର୍ଥୀ ସୈାମ୍ୟ ରଂଜନ ବଳିଆରସିଂହ ସପକ୍ଷରେ ଭୋଟ ନିବେଦନ କରିଛନ୍ତି। ଏହି ଅବସରରେ ବରିଷ୍ଠ ନେତା କୃଷ୍ଣ ଜଗଦ୍ଦେବ, ରାଜ୍ୟ ମୁଖପାତ୍ର ରମାରଂଜନ ବଳିୟାରସିଂହ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓମପ୍ରକାଶ ମିଶ୍ର ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
ସେହିପରି ଅପରାହ୍ନରେ କଟକ ସଦର ନିର୍ବାଚନମଣ୍ଡଳୀର ଜୋନ-୪ରେ ଦଳୀୟ ପ୍ରାର୍ଥିନୀ ସୁଜାତା ଦାସଙ୍କ ସପକ୍ଷରେ ସଇଣ୍ଡା, ନଛିପୁର, ଖଣ୍ଡେଇତା, ଶଙ୍ଖତ୍ରାସ ଗ୍ରାମ ଏବଂ ଜୋନ-୬ରେ ଦଳୀୟ ପ୍ରାର୍ଥିନୀ ମଧୁସ୍ମିତା ସାସମଲଙ୍କ ସପକ୍ଷରେ ବୈାଳିଶମୈାଜା ଅଂଚଳର କୁଳସଂକୁଚୁଆଁ, କଳପଡା, ବେଣ୍ଟପୁର ଗ୍ରାମରେ ବାଇକଯାତ୍ରା ଓ ପଦଯାତ୍ରା କରି ଭୋଟ ନିବେଦନ କରିଥିଲେ। ଏହି ଅବସରରେ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
ଦୀର୍ଘ ୨୨ ବର୍ଷ ଧରି ନିରୁଙ୍କଶ ଭାବେ ରାଜ୍ୟ ଶାସନ କ୍ଷମତାରେ ଥିବା ଶାସକ ବିଜେଡି, ମୋଦି ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାକୁ କପି କରି ନିଜ ନାମରେ ବ୍ରାଣ୍ଡିଂ କରିବା ବ୍ୟତୀତ ଆଉ କିଛି କରିନାହାନ୍ତି। ବର୍ତ୍ତମାନ ମଧ୍ୟ ଗ୍ରାମଂଚଳର ରାସ୍ତାକୁ ସଜାଡି ପାରିଲେ ନାହିଁ। କେନ୍ଦ୍ର ସରକାରଙ୍କୁ ସଠିକ ହିତାଧିକାରୀ ତାଲିକା ନପଠାଇ ପିଏମ କିଷାନ ଯୋଜନାର ସୁଲାଭରୁ ଚାଷୀ ଭାଇଭଉଣୀମାନଙ୍କୁ ବଞ୍ଚିତ ରଖାଯିବା ପଛରେ ଉଦ୍ଦେଶ୍ୟ କଣ ? ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ଧାନମଣ୍ଡି ବ୍ୟବସ୍ଥା କାରଣରୁ ଚାଷୀ ଆଜି ତାର କଷ୍ଟ ଉପାର୍ଜିତ ଶସ୍ୟକୁ ସଠିକ ମୂଳ୍ୟରେ ବିକ୍ରି କରିନପାରି ହନ୍ତସନ୍ତ ହେଉଛି। ସେହିପରି ୧୪ଦଶ ଓ ୧୫ ଦଶ ଅର୍ଥ କମିଶନରେ ଗ୍ରାମାଂଚଳର ବିକାଶ ପାଇଁ ବ୍ୟାପକ ମାତ୍ରରେ ଆର୍ଥିକ ଅନୁଦାନ ମୋଦି ସରକାର ସିଧାସଳଖ ଭାବେ ପଞ୍ଚାୟତକୁ ପଠାଇଲେ। ଏହି ଅର୍ଥରେ ଲୋକମାନଙ୍କ ଜୀବନ ଧରଣମାନର ଉନ୍ନତି ହେବା ପରିବର୍ତେ କୈାଣସି ପରିବର୍ତନ ଲକ୍ଷ୍ୟ ହେଉନାହିଁ। ଏହି ଅର୍ଥକୁ କିଛି ମୁଷ୍ଟିମେୟ ସରକାରୀ ଅଧିକାରୀଙ୍କ ସହାୟତାରେ ଶାସକ ବିଜେଡିର ମନ୍ତ୍ରୀ ଓ ନେତାମାନେ ହରିଲୁଟ୍ କରି ବିକାଶର ବାଧକ ସାଜିଲେ।ରାଜ୍ୟ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତି ଅଭାବ କାରଣରୁ ଗ୍ରାମାଂଚଳର ବିକାଶ ହୋଇପାରୁନାହିଁ। ରାଜ୍ୟର ଗ୍ରାମଂଚଳର ବିକାଶ ପାଇଁ ମୋଦି ସରକାର ପଠାଉଥିବା ଟଙ୍କାକୁ ଶତପ୍ରତିଶତ ଖର୍ଚ୍ଚ କରି ଜୀବନ ଧାରଣମାନ ଉନ୍ନତି ଆଣିବାକୁ ହେଲେ ସୁଦୃଢ ଜିଲା ପରିଷଦ ନେତୃତ୍ୱର ଆବଶ୍ୟକତା ରହିଛି। ଭାରତୀୟ ଜନତା ପାର୍ଟିକୁ ନେଇ ଲୋକମାନଙ୍କର ଯେଉଁ ସ୍ନେହଶ୍ରଦ୍ଧା ପ୍ରକାଶ ପାଇଛି ତାହା ଏଥର ପଂଚାୟତ ନିର୍ବାଚନରେ ଭୋଟରେ ରୁପାନ୍ତରିତ ହୋଇ ବିଜୟ ସୁନିଶ୍ଚିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
Comments are closed.