କଳେ ବଳେ ଗଢ଼ିବା ସରକାର

0

-୧୫ଦିନରେ ସବୁ ୱାର୍ଡରେ ପହଞ୍ଚାଅ ପଦ୍ମ, -ବିକାଶ ନାହିଁ, ଗାଦି ଛାଡୁ ବିଜେଡି

ଭୁବନେଶ୍ୱର: ମଣିପୁରରେ ବିଜେପିକୁ ମାତ୍ର ୨ପ୍ରତିଶତ ଭୋଟ ମିଳିଥିଲା, ହେଲେ ସେଠାରେ ବିଜେପି ସରକାର ଗଢ଼ିବାରେ ସକ୍ଷମ ହୋଇପାରିଲା। ଖାଲି ମଣିପୁର ନୁହେଁ, ଆସାମ ଓ ମେଘାଳୟ ଭଳି ଅଣବିଜେପି ଶାସନାଧୀନ ୧୦ଟି ରାଜ୍ୟରେ ଗତ କିଛିମାସ ମଧ୍ୟରେ ବିଜେପି ସରକାର ଗଢ଼ିଛି। ତେଣୁ ଓଡ଼ିଶାରେ ସରକାର କରିବାରେ କାହିଁକି ସମ୍ଭବ ହେବନାହିଁ। ଆମକୁ ନିରବଚ୍ଛିନ୍ନ ଓ କଠିନ୍‌ ପରିଶ୍ରମ କରିବାକୁ ପଡିବ। କଳ,ବଳ ପ୍ରୟୋଗ ପରେ ଯଦିି ଆବଶ୍ୟକ ପଡେ ତେବେ କୌଶଳ ମଧ୍ୟ ପ୍ରୟୋଗ କରାଯିବ। ଏଥର ଓଡ଼ିଶାରେ ନିଶ୍ଚିତ ଭାବେ ବିଜେପି ସରକାର ଗଢ଼ିବ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ବିଜେପି କାର୍ଯ୍ୟାଳୟଠାରେ ୨୧ଟି ନିର୍ବାଚନ ମଣ୍ଡଳୀର ସମୀକ୍ଷା ବୈଠକ ଓ ପଞ୍ଚାୟତସ୍ତରର ପ୍ରମୁଖସ୍ତରୀୟ ବୈଠକ ଅବସରରେ ଶ୍ରୀ ଶାହା କହିଥିଲେ ଯେ ଏବେ ସୁଦ୍ଧା ଆମେ ୨୧ହଜାର ବୁଥ୍‌କୁ ନିଜ ଅକ୍ତିଆରକୁ ନେଇ ସାରିଛେ। ଯଦି କର୍ମୀମାନେ ଏହିଭଳି ପରିଶ୍ରମ ଜାରି ରଖିବେ ତେବେ ୫ମାସ ମଧ୍ୟରେ ଆଉ ୫ହଜାର ବୁଥ୍‌ ଅକ୍ତିଆରକୁ ଆସିଯିବ। ରାଜ୍ୟରେ ଏବେ ଏକ ଅପରାଗ ଓ ସ୍ଥାଣୁ ସରକାର ରହିଥିବାବେଳେ କେନ୍ଦ୍ରରେ ଏକ ଜନକଲ୍ୟାଣକାରୀ ସରକାର କାର୍ଯ୍ୟ କରୁଛି। କେନ୍ଦ୍ର ଓ ରାଜ୍ୟର ଯୋଜନାଗୁଡିକ କିଭଳି ତୃଣମୂଳସ୍ତରରେ କାର୍ଯ୍ୟକାରୀ ହେଉଛି ତାହା ଲୋକଙ୍କୁ ଭଲ ଭାବେ ଅବଗତ କରାଅ, ସାଧାରଣ ଲୋକଙ୍କୁ ବୁଝାଅ ଯେ ଉପା ସରକାରଠାରୁ ଏବର ଏନ୍‌ଡିଏ ସରକାର ଚତୁର୍ଦଶ ଅର୍ଥକମିଶନରେ ଓଡ଼ିଶାକୁ ୨.୨୦ଲକ୍ଷ କୋଟି ଟଙ୍କା ଦେଇଛନ୍ତି। ଓଡ଼ିଶା ସରକାର କେନ୍ଦ୍ରୀୟ ଯୋଜନା ବାବଦ ଅର୍ଥ ଠିକଣା ଭାବେ ଖର୍ଚ୍ଚ କରିପାରୁ ନାହିଁ। ତେବେ ଯେଉଁସବୁ ବୁଥ୍‌ ଓ ୱାର୍ଡରେ ଏପର୍ଯ୍ୟନ୍ତ ପଦ୍ମ ପହଞ୍ଚି ନାହିଁ ତାହା ଆସନ୍ତା ୧୫ଦିନ ଭିତରେ ପହଞ୍ଚିବା ଆବଶ୍ୟକ। ବିଦୁ୍ୟତ୍‌ ତାରରେ ଯେଭଳି କରେଣ୍ଟ ଲାଗିଲେ ନିମିଷକ ମଧ୍ୟରେ ଖେଳି ଯାଏ ଠିକ୍‌ ସେହିପରି ତୁମେ ତୃଣମୂଳସ୍ତରରେ ନିଜକୁ ଚଳଚଞ୍ଚଳ କର। କେନ୍ଦ୍ର ସରକାରଙ୍କ ଯୋଜନାକୁ ନେଇ ଗଭୀରରୁ ଗଭୀରତମ ପ୍ରଦେଶକୁ ଛୁଇଁଯାଅ ବୋଲି ଶ୍ରୀ ଶାହା କର୍ମୀମାନଙ୍କୁ ଗୁରୁମନ୍ତ୍ର ବାଣ୍ଟିଛନ୍ତି।
ପ୍ରଦର୍ଶନୀ ପଡିଆରେ କର୍ମୀମାନଙ୍କ ମନ ବଳ ବଢ଼ାଇବାକୁ ଯାଇ ଶ୍ରୀ ଶାହା କହିଥିଲେ ଯେ ସରକାର ଆକାଶରୁ ଗଳି ପଡ଼ିବନାହିଁ। ଆମକୁ ସରକାରକୁ ଆସିବାକୁ ହେଲେ କଠିନ୍‌ରୁ କଠିନ୍‌ ପରିଶ୍ରମ କରିବାକୁ ପଡିବ। ଆମେ ଦଳୀୟ ବିଚାରଧାରାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବାକୁ ପଡିବ। ପ୍ରତ୍ୟେକ ପରିବାରରେ ନପହଞ୍ଚିବା ପର୍ଯ୍ୟନ୍ତ ଥକି ପଡ଼ିବା ନାହିଁ।
ଖଣିଜ ସମ୍ପଦ ଭରା ଓଡ଼ିଶାରେ ବହୁ ସମ୍ଭାବନା ରହିଛି। ଯଦି ପ୍ରାକୃତିକ ସମ୍ବଳର ସୁବିନିଯୋଗ କରାଯିବ ତେବେ ଖାଲି ଓଡ଼ିଶା ନୁହେଁ ସାରା ଭାରତ ମଧ୍ୟ ସୁଖଶାନ୍ତିରେ ଚଳି ପାରିବ। ହେଲେ ରାଜ୍ୟରେ ଗୋଟିଏ ବିଫଳ ସରକାର ଦୀର୍ଘ ୧୮ବର୍ଷ ଧରି ଶାସନଗାଦିରେ ବସି ରହିଛି। ଯାହାଦ୍ୱାରା କି ଓଡ଼ିଶାରେ ଏବେ ବି ୫.୪୦ଲକ୍ଷ ଲୋକେ କୁପୋଷଣର ସମ୍ମୁଖୀନ ହେଉଛନ୍ତି। ସେହିପରି ଜାତୀୟହାର ତୁଳନାରେ ଓଡ଼ିଶାରେ ଗରିବ ଓ ନିରକ୍ଷରତା ଅଧିକ ରହିଥିବାବେଳେ ଏବେ ବି ୫୦ଲକ୍ଷ ପରିବାର ପାଖରେ ପକା ଘର ନାହିଁ କି ବିଜୁଳି ନାହିଁ। ଯେପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଖାଦ୍ୟ ନପହଞ୍ଚିଛି ସେପର୍ଯ୍ୟନ୍ତ ଆମକୁ ସଂଗ୍ରାମ ଜାରି ରଖିବାକୁ ପଡିବ। କେନ୍ଦ୍ର ସରକାର ଓଡ଼ିଶା ଓ ଗୁଜ୍‌ରାଟକୁ ୬୦ହଜାର କୋଟି ଟଙ୍କା ଲେଖାଏଁ ଅନୁଦାନ ଦେଇଛନ୍ତି। ହେଲେ ଗୁଜ୍‌ରାଟ ଆଜି ଦେଶର ରୋଲ ମଡେଲ ପାଲଟିଥିବାବେଳେ ଓଡ଼ିଶା ଗରିବ ରାଜ୍ୟ ହୋଇ ପଡି ରହିଛି। ଏବେ ଓଡ଼ିଶା ପାଇଁ ୪ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ଯୋଜନା କାର୍ଯ୍ୟ ଜାରି ରହିଛି। ଏହାଦ୍ୱାରା ଓଡ଼ିଶାର ସର୍ବାଙ୍ଗୀଣ ବିକାଶ ହେବା କଥା। ହେଲେ ଦୀର୍ଘବର୍ଷର ଶାସନ କାଳ ଭିତରେ ଓଡ଼ିଶାରେ ବିକାଶ ଆକାଶ ଛୁଆଁ ହୋଇ ପାରିଲା ନାହିଁ , ଯେଉଁ ଗରିବକୁ ସେହି ଗରିବ ହୋଇ ରହିଛି। ତେବେ କୋଟି କୋଟି ଲୋକଙ୍କ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ଯେଉଁ ସରକାର ସମ୍ଭାଳି ପାରୁ ନାହାନ୍ତି ସେଭଳି ସ୍ଥାଣୁ ସରକାରର ତିଳେ ହେଲେ କ୍ଷମତାରେ ରହିବାର ଅଧିକାର ନାହିଁ ବୋଲି ଶ୍ରୀ ଶାହା ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି। ବିଭିନ୍ନ ପର୍ଯ୍ୟାୟ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, କେନ୍ଦ୍ରୀୟ ନେତା ସୁରେଶ ପୂଜାରୀ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ବରିଷ୍ଠ ନେତା ଗିରିଧର ଗମାଙ୍ଗୋ, ପୂର୍ବତନ ବିଧାୟକ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ମହିଳା ନେତ୍ରୀ ସୁରମା ପାଢ଼ୀ ପ୍ରମୁଖ ସାମିଲ ଥିଲେ।

Leave A Reply