ଭୁବନେଶ୍ବର: କ୍ଷମତାରୁ ଯିବା ପରେ ବିଜେଡି ପାଇଁ ପ୍ରତିପକ୍ଷ ରାଜନୈତିକ ଦଳ ଅପେକ୍ଷା ନିଜ ଦଳର ନେତାଙ୍କ ବିଷୋଦ୍ଗାର ଶିର ପୀଡ଼ାର କାରଣ ହୋଇଛି। ଶାସନରୁ ହଟିବା ପରେ ଜଣଙ୍କ ପରେ ଜେଣ ନେତାଙ୍କ ଦଳର ଶୀର୍ଷ ନେତୃତ୍ବଙ୍କ ପ୍ରତି ବୟାନବାଜିକୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନାହିଁ। ମାସକ ଭିତରେ ଦଳର ଦୁଇ ବଡ଼ ମୁଣ୍ଡଙ୍କୁ ବାହାର ଦ୍ବାର ଦେଖାଇ ଦିଆଗଲାଣି। ତଥାପି ଏପରି କାର୍ଯ୍ୟାନୁଷ୍ଠାନ ଦଳ ଭିତରେ ଶୃଙ୍ଖଳା ଆଣିବାରେ କେତେଦୂର ସହାୟକ ହେବ ତାହା ସମୟ କହିବ।
ସାମାଜିକ ଗଣମାଧ୍ୟମରେ କ୍ରମାଗତ ଭାବେ ଦଳର ଶୀର୍ଷ ନେତୃତ୍ବଙ୍କୁ ସମାଲୋଚନା କରି ଆସୁଥିବା ବିଜେଡି ମହିଳା ବ୍ୟାପାର ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ରଙ୍କୁ ଆଜି ନିଲମ୍ବନ କରାଯାଇଛି। ଶେଷ ମୁହୂର୍ତ୍ତରେ ଭୁବନେଶ୍ବର ଲୋକସଭା ସାଂସଦ ଟିକଟରୁ ବଞ୍ଚିତ ହେବା ପରେ ସାମାଜିକ ଗଣମାଧ୍ୟମରେ ସେ ଦଳକୁ ତୀବ୍ର ସମାଲୋଚନା କରି ଆସୁଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଜି ଦିନକରେ ତିନିଜଣଙ୍କୁ ଦଳରୁ ନିଲମ୍ବନ କରାଗଲା ବୋଲି ବିଜେଡି ନିର୍ଦେଶନାମାରେ କୁହାଯାଇଛି। ଏହା ପୂର୍ବରୁ ଚଳିତ ମାସ ୧୨ରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳ ନିଲମ୍ବନ କରିଥିଲା। କିନ୍ତୁ ଶ୍ରୀ ମଲ୍ଲିକ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଁ ପ୍ରଥମେ ଇସ୍ତଫା ଦେଇଛି, ତେଣୁ ମୋତେ ନିଲମ୍ବନ କରିବା କେବଳ ଲୋକ ଦେଖାଣିଆ ସଦୃଶ। ଏହା ପୂର୍ବରୁ ଶ୍ରୀ ମଲ୍ଲିକ ଗଣମାଧ୍ୟମରେ ଦଳର ନିଷ୍ପତ୍ତି ତଥା ପରିଚାଳନା ପ୍ରତି ପ୍ରଶ୍ନ ଉଠାଇ ଆବଶ୍ୟକ ହେଲେ ଦଳ ଛାଡ଼ିବା ପାଇଁ ଚେତାବନୀ ଦେଇଥିଲେ। ଦଳର ଜଣକ ପରେ ଜଣେ ନେତାଙ୍କ ସମାଲୋଚନା ଅନ୍ୟ ଅସନ୍ତୁଷ୍ଟଙ୍କୁ ଖୋରାକ େଯାଗାଉଛି।
କିଛି ଦିନ ତଳେ ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ପୁଣି ଥରେ ଦଳର ନେତୃତ୍ବଙ୍କୁ ଆହ୍ବାନ ଜଣାଇ ଶ୍ରୀମୟୀ ଓ ପ୍ରଫୁଲ୍ଲଙ୍କ ସପକ୍ଷରେ ବାହାରିଥିଲେ। ଏପରିକି ପୂର୍ବତନ ରାଜ୍ୟସଭା ସାଂସଦ ଏନ୍.ଭାସ୍କର ରାଓ ଦଳ ଛାଡ଼ିବାକୁ ନେଇ ମଧ୍ୟ ମନ୍ତବ୍ୟ ଦେଇଥିଲେ। କେବଳ ଏହି ପ୍ରସଙ୍ଗ ନୁହେଁ, ଗତ କିଛି ମାସ ହେଲା ଶ୍ରୀ ସାମନ୍ତରାୟ ଏକାଧିକ ବାର ବିଜେଡିର ପରିଚାଳନା ପ୍ରତି ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ସମାନ ଢଙ୍ଗରେ ଚଳିତ ମାସ ପ୍ରଥମ ସପ୍ତାହେର ପୂର୍ବତନ ରାଜ୍ୟସଭା ସାଂସଦ ଭାସ୍କର ରାଓ ଏବଂ ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକା ବିଜେଡିରୁ ଇସ୍ତଫା ଦେଇ ଶୀର୍ଷ ନେତୃତ୍ବଙ୍କ ପ୍ରତି ଅସନ୍ତୋଷ ପ୍ରକଟ କରିଥିଲେ। ଗତବର୍ଷ ବିଜେଡି କ୍ଷମତାରୁ ଯିବା ପରେ ଅନେକ ନେତା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ସହ ତାଙ୍କ ଏକାନ୍ତ ଅନୁଗତ ଭିକେ ପାଣ୍ଡିଆନଙ୍କୁ ଦାୟୀ କରୁଛନ୍ତି। କେବଳ ରାଜ୍ୟସ୍ତରରେ ନୁହେଁ, ଅନେକ ଜିଲା ସ୍ତରରେ ମଧ୍ୟ ଦଳୀୟ କନ୍ଦଳ ମୁଣ୍ଡ ଟେକିଲାଣି। ଏପରିକି ବିଜେଡି ଟିକଟରେ ନିର୍ବାଚିତ କିଛି ବିଧାୟକମାନେ ସମାଲୋଚନା କରିବାକୁ ପଛାଉ ନାହାନ୍ତି। ଏପରିସ୍ଥଳେ ପ୍ରଫୁଲ୍ଲ ଓ ଶ୍ରୀମୟୀଙ୍କ ଭଳି ନେତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଜରିଆରେ ଅନ୍ୟମାନଙ୍କୁ ଚେତାବନୀ ଦେଇ ଶୃଙ୍ଖଳା ରକ୍ଷା ପାଇଁ ଦଳ ଉଦ୍ୟମ ଚଳାଇଛି ବୋଲି କୁହାଯାଉଛି।
ରାଜନୈତିକ ସମୀକ୍ଷକଙ୍କ ମତରେ ୨୦୨୪ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଜଣକ ପରେ ଜଣେ ନେତା ଶୀର୍ଷ ନେତୃତ୍ବଙ୍କୁ ସମାଲୋଚନା କରି ଚାଲିଛନ୍ତି। ଏପରିକି ଦଳର ନାଲି ଆଖିକୁ ସେମାନଙ୍କର ଭୟ ନାହିଁ। ଦଳର ସଂଗଠନ ଦୁର୍ବଳ ହୋଇ ଚାଲିଥିବା ବେଳେ ନେତାଙ୍କ ବୟାନବାଜି ଆହୁରି ଅଡ଼ୁଆ ସୃଷ୍ଟି କରୁଛି। ତେଣୁ ଏପରି ନିଲମ୍ବନ ଆଦେଶ ଦ୍ବାରା ଅସନ୍ତୁଷ୍ଟ ମୁହଁ ବନ୍ଦ କରିବା ଲାଗି ଏକ ଉଦ୍ୟମ ବୋଲି କୁହାଯାଇ ପାରେ।



