ବୀରେନ୍ଦ୍ର ଲାକ୍ରା ଓ ଅରୂପାନନ୍ଦ ପାଇବେ ‘ଓସଜା’ ବାର୍ଷିକ ପୁରସ୍କାର

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍‍ରେ ବ୍ରୋଞ୍ଜ ଜିତି ବଡ଼ ସଫଳତା ପାଇଥିବା ଭାରତୀୟ ପୁରୁଷ ହକି ଦଳର ସଦସ୍ୟ ବୀରେନ୍ଦ୍ର ଲାକ୍ରା ଏବଂ ଓଡ଼ିଶା ବାସ୍କେଟବଲ୍‍ର ଲିଜେଣ୍ଡ ଅରୂପାନନ୍ଦ ରାଉତରାୟଙ୍କୁ ଚଳିତ ବର୍ଷର ଓସ୍‍ଜା (ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ) ବାର୍ଷିକ ପୁରସ୍କାର ପ୍ରଦାନ କରାଯିବ। ଅର୍ଜୁନ ବିଜେତା ବୀରେନ୍ଦ୍ରଙ୍କୁ ୨୦୨୧ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‍ ଏବଂ ଅରୂପାନନ୍ଦଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯିବ। ଆଗାମୀ ମାର୍ଚ୍ଚ ୨୧ ତାରିଖ ଦିନ ଓସଜାର ସପ୍ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଓସଜାର ସଭାପତି ସନ୍ଦୀପ ମିଶ୍ର ଏକ ପ୍ରେସ୍‍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଓସଜାର ବରିଷ୍ଠ ସଦସ୍ୟ ସୁଶାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଚୟନ ସମିତି ୨୦୨୧ବର୍ଷ ସକାଶେ ବିରେନ୍ଦ୍ର ଏବଂ ଅରୂପାନନ୍ଦଙ୍କୁ ମନୋନୀତ କରିଛନ୍ତି। ଏହି ଦୁଇ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ବିଶେଷ ଟ୍ରଫି, ମାନପତ୍ର ଏବଂ ୨୫ହଜାର ଟଙ୍କା ଦେଇ ସମ୍ମାନିତ କରାଯିବ। ୨୦୧୨ ଲଣ୍ଡନ ଏବଂ ୨୦୨୦ ଟୋକିଓ ଅଲିମ୍ପିକ୍‍ରେ ଦେଶର ପ୍ରତିନିଧିତ୍ୱ କରିଥିବା ବିରେନ୍ଦ୍ର ଲାକ୍ରା ଦେଶର ଅନ୍ୟତମ ପ୍ରମୁଖ ଡିଫେଣ୍ଡର।

 

ବିଗତ ବର୍ଷ ଗୁଡିକର ଭାରତୀୟ ହକି ଦଳର ସଫଳ ପ୍ରଦର୍ଶନରେ ଓଡ଼ିଶାର ଏହି ପ୍ରତିଭାଧାରୀଙ୍କ ଯୋଗଦାନ ବେଶ ରହି ଆସିଛି। ଓଡ଼ିଶା ଓ ଭାରତୀୟ ବାସ୍କେଟବଲ୍‍ ଦୁନିଆର ଲିଜେଣ୍ଡ ହେଉଛନ୍ତି ଅରୂପାନନ୍ଦ ରାଉତରାୟ। ସର୍ଭିସେସ ଓ ଓଡ଼ିଶା ପାଇଁ ସେ ଖେଳିଛନ୍ତି। ଭାରତୀୟ ବାସ୍କେଟବଲର ସିନିୟର ଦଳର ଖେଳିବାରେ ସେ ପ୍ରଥମ ଓଡ଼ିଆ। ଭାରତୀୟ ସିନିୟର ଦଳର କୋଚ ଭାବେ ବି ସେ ଦାୟିତ୍ୱ ତୁଲାଇଛନ୍ତି ଅନେକ ବର୍ଷ। ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ ଅନୁବନ୍ଧିତ ଓସ୍‍ଜା ୨୦୧୮ରୁ ବାର୍ଷିକ ପୁରସ୍କାର ପ୍ରଦାନ କରି ଆସୁଛି। ଓସ୍‍ଜାର ପ୍ରଥମ ବର୍ଷ ବିଜେତା ଥିଲେ ହେପ୍ଟାଥଲନ୍‍ ତାରକା ପୂର୍ଣ୍ଣିମା ହେମ୍ବ୍ରମ୍‍ ଓ ବର୍ଷିୟାନ ଫୁଟବଲର୍‍ ଦେବ ସିଂହ। ସେହିଭଳି ୨୦୧୯ରେ ହକିଷ୍ଟାର ଅମିତ ରୋହିଦାସ ଓ ଦ୍ରୋଣାଚାର୍ଯ୍ୟ ବିଜେତା ବକ୍ସିଂ କୋଚ ବ୍ରଜ ଭୂଷଣ ମହାନ୍ତି, ୨୦୨୦ରେ ପ୍ରମୋଦ ଭଗତ ଓ ପଞ୍ଚାନନ ଗନ୍ତାୟତ ଏବଂ ୨୦୨୧ ମସିହାରେ ଚେସ ଗ୍ରାଣ୍ଡ ମାଷ୍ଟର ସ୍ୱୟମ୍ସ ମିଶ୍ର ଓ ଆଥଲେଟିକ୍ସ କୋଚ ଅରୁଣ ଦାସଙ୍କୁ ପ୍ରଦାନ କରାଯାଇଥିଲା ଓସ୍‍ଜା ବାର୍ଷିକ ସମ୍ମାନ।

 

Comments are closed.