ବିହାର ସାମ୍ପ୍ରଦାୟିକ ହିଂସା; ୨୧୫ ଗିରଫ

0

ପାଟନା : ବିହାରର ବିଭିନ୍ନ ଜିଲାରେ ସାମ୍ପ୍ରଦାୟିକ ହିଂସାକୁ ନେଇ ଏପର୍ଯ୍ୟନ୍ତ ୧୫ଟି ମାମଲା ରୁଜୁ କରାଯାଇଛି ଓ ୨୧୫ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ୍‌ ଡିଜି କେଏସ୍‌ ଦ୍ୱିବେଦୀ ପ୍ରକାଶ କରିଛନ୍ତି । ମାର୍ଚ୍ଚ ୧୭ ରାମନବମୀ ଦିନ ଭାଗଲପୁର ଜିଲା ନାଥନଗର ବ୍ଲକ୍‌ରେ ସାମ୍ପ୍ରଦାୟିକ ହିଂସା ଆରମ୍ଭ ହୋଇଛି । ଏହାପରେ ଏହା ଗୋଟିଏ ପରେ ଗୋଟିଏ ଜିଲାକୁ ବ୍ୟାପିଥିଲା। ମାର୍ଚ୍ଚ ୩୧ ସୁଦ୍ଧା ସାମ୍ପ୍ରଦାୟିକ ହିଂସା ୧୧ଟି ଜିଲାକୁ ଗ୍ରାସି ସାରିଛି। ସାମ୍ପ୍ରଦାୟିକ ସୌହାର୍ଦ୍ଧ୍ୟ ଓ ଶାନ୍ତି ବଜାୟ ରଖିବା ପାଇଁ ପ୍ରୟାସ କରାଯାଉଛି । କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଓ ରାଜ୍ୟ ପୁଲିସ୍‌ କର୍ମୀଙ୍କ ସହାୟତାରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ଡିଜି ଶ୍ରୀ ଦ୍ୱିବେଦୀ କହିଛନ୍ତି । ବିହାରର ଭାଗଲପୁର, ସିୱାନ, ଔରଙ୍ଗାବାଦ, ଗୟା, କାଇମୁର, ସମସ୍ତିପୁର, ମୁଙ୍ଗେର, ଜାମୁଇ, ଶେଖପୁରା, ନାଳନ୍ଦା ଏବଂ ନାୱାଦା ଜିଲାରେ ସାମ୍ପ୍ରଦାୟିକ ହିଂସାରେ କୋଟି କୋଟି ଟଙ୍କା ନଷ୍ଟ ହୋଇଯାଇଛି । ଶାନ୍ତି ବଜାୟ ରଖିବା ପାଇଁ ସଦଭାବନା ଶୋଭାଯାତ୍ରାମାନ ଆୟୋଜନ କରାଯାଉଛି । ଔରଙ୍ଗାବାଦ ସାମ୍ପ୍ରଦାୟିକ ହିଂସାରେ ସଂପୃକ୍ତ ଲୋକଙ୍କୁ ଧରିବା ପାଇଁ ବିହାର ପୁଲିସ୍‌ ୩୦୦ ଜଣ ସ୍ୱତନ୍ତ୍ର ପୁଲିସ୍‌ କର୍ମୀଙ୍କୁ ନିୟୋଜିତ କରିଛି । ଔରଙ୍ଗାବାଦରେ ୨୦୦ ଲୋକଙ୍କ ବିରୋଧରେ ୯ଟି ମାମଲା ରୁଜୁ କରାଯାଇଛି । ହିଂସାକାଣ୍ଡରେ ୭୦ଟି ଦୋକାନକୁ ଜାଳି ଦିଆଯାଇଥିବାବେଳେ ୯୦ରୁ ଅଧିକ ଦୋକାନୀ କ୍ଷତିଗ୍ରସ୍ତ ହୋଇଛନ୍ତି ।

Leave A Reply