ସମ୍ଭାଗ ସ୍ତରୀୟ ବିଦ୍ୱତ୍ ପରିଷଦ ଆଲୋଚନାଚକ୍ର

କେନ୍ଦୁଝରଗଡ଼ : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଝରଗଡଠାରେ ଗୁରୁବାର ସମ୍ଭାଗସ୍ତରୀୟ ବିଦ୍ୱତ୍ ପରିଷଦ ପକ୍ଷରୁ ଭାରତର ‘ସ୍ୱ’ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସୁକିନ୍ଦା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଅନିରୁଦ୍ଧ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତର ‘ସ୍ୱ’ ବିଷୟରେ ଆଲୋକପାତ କରିଥିଲେ । ଶିକ୍ଷାବିକାଶ ସମିତି ଓଡିଶାର ବିଦ୍ୱତ୍ ପରିଷଦ ସଂଯୋଜକ ଅଶ୍ୱିନୀ ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତର ନିଜସ୍ୱ ସାହିତ୍ୟ, ସଂସ୍କୃତି, ପରମ୍ପରା, ବିଚାର, ଇତିହାସ, ଶିକ୍ଷା, କୌଳିକ ବୃତ୍ତି, ଜୀବନଶୈଳୀ, ପରିବାର ବ୍ୟବସ୍ଥା, ସଂସ୍କାର ସମ୍ପର୍କରେ ଅଲୋଚନା କରିଥିଲେ । ଏହି ଆଲୋଚନାଚକ୍ରରେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଡ. ସୁନୀଲ କୁମାର ରଥ ସଭାପତିତ୍ୱ କରିଥିବା ବେଳେ ବିଭାଗ ନିରୀକ୍ଷକ କ୍ଷେତ୍ରମୋହନ ଦାଶ ଆଲୋଚନାଚକ୍ରର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ଅଗସ୍ତି ପ୍ରାରମ୍ଭରେ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଚାଳନା ସମିତି ସମ୍ପାଦକ ସୁଧାଂଶୁ ଶେଖର ପଣ୍ଡା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ୧୧୨ଜଣ ଶିକ୍ଷାବିତ, ଶିକ୍ଷକ, ଶିକ୍ଷୟିତ୍ରୀ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗଦେଇ ଆଲୋଚନାଚକ୍ରକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଉକ୍ତ ସଭାକୁ ସହପ୍ରଧାନାଚାର୍ଯ୍ୟ ଅଲେଖ ଚନ୍ଦ୍ର ମହାନ୍ତ, ଉତ୍ତମ କୁମାର ପରିଡା, ପ୍ରହ୍ଲାଦ ମହାନ୍ତ, ମୋତିଲାଲ ମହାନ୍ତ ପ୍ରମୁଖ ପରିଚାଳନା କରିଥିଲେ।

Comments are closed.