Patra electronics

ଫରେଷ୍ଟର୍‌ ଆତ୍ମହତ୍ୟା ଘଟଣାରେ ଭିନ୍ନମୋଡ଼, ଡିଏଫ୍‌ଓଙ୍କ ଚାପ ଅଭିଯୋଗ !

ଭବାନୀପାଟଣା: କଳାହାଣ୍ଡି ଜିଲା ସଦର ମହକୁମା ଭବନୀପାଟଣା ନିକଟ ଜାରିଂ ହାଇଟେକ୍ ନର୍ସରୀ ଦାୟିତ୍ୱରେ ଥିବା ଫରେଷ୍ଟର ସଞ୍ଜୟ ନାୟକ(୩୪)ଙ୍କ ଆତ୍ମହତ୍ୟା ଘଟଣା ଭିନ୍ନ ମୋଡ଼ ନେଇଛି। ରାୟଗଡ଼଼଼ା ସ୍ଥିତ ବିଭାଗୀୟ ଡିଏଫ୍‌ଓଙ୍କ ଚାପରେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଟାଉନ୍ ଥାନା ପୁଲିସ ଏ ସଂକ୍ରାନ୍ତରେ ୨ଟି ମାମଲା ରୁଜୁ କରି ତଦନ୍ତ କରୁଛି। ତେବେ ମୃତକଙ୍କ ନିକଟରୁ ପାଇଥିବା ଏକ ସୁଇସାଇଡ ନୋଟ୍ ସଂକ୍ରାନ୍ତରେ ପୁଲିସ ମୁହଁ ଖୋଲୁନଥିବାରୁ ଘଟଣା ରହସ୍ୟମୟ ହେଉଛି।

ମୃତ ଫରେଷ୍ଟର ସଞ୍ଜୟଙ୍କ ଭାଇ ରବି ନାରାୟଣ ନାଏକଙ୍କ ଅଭିଯୋଗ ଅନୁଯାୟୀ, ରାୟଗଡ଼଼଼ା ଡିଏଫ୍‌ଓ ଭାଇଙ୍କୁ ଟଙ୍କା ପାଇଁ ଚାପ ପକାଉଥିଲେ। ବିଭିନ୍ନ ସମୟରେ ସେ ଡିଏଫ୍‌ଓଙ୍କୁ ନଗଦ ଟଙ୍କା ଦେବା ସହିତ ଗୃହ ଉପକରଣ ଦେଉଥିଲେ। ତାଙ୍କୁ ଅଧିକ ଟଙ୍କା ପାଇଁ ଡିଏଫ୍‌ଓ ଚାପ ଦେଉଥିବା ମୃତ ଫରେଷ୍ଟରଙ୍କ ଭାଇ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କୁ ବଲାଙ୍ଗିର ବଦଳି କରି ଟଙ୍କା ଦେଲେ ରିଲିଭ୍‌ ହେବ ବୋଲି କୁଆଡେ ଡିଏଫଓ ତାଗିଦ୍ କରିଥିଲେ। ଏଣୁ ତାଙ୍କ ଭାଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅଭିଯୋଗକାରୀ ଲିଖିତ ଭାବେ ପୁଲିସକୁ ଜଣାଇଛନ୍ତି। ପୁଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ଓ ରବିଙ୍କ ଅଭିଯୋଗ ଭିତ୍ତିରେ ଭାରତୀୟ ନ୍ୟାୟ ସଂହିତାର ୧୦୮ ଦଫାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ମଙ୍ଗଳବାର ପୁଲିସ ଠାରୁ ସୂଚନା ପାଇ ମୃତକଙ୍କ ପରିବାର ଲୋକଙ୍କ ସମେତ ବିଭାଗୀୟ ଏସିଏଫ୍‌ ତାପସ ବେହେରା ଓ ରେଞ୍ଜର ପ୍ରକାଶ ରଥ ରାୟଗଡ଼଼ାରୁ ଏଠାକୁ ଆସିଥିଲେ। ଉଲ୍ଲେଖଯୋଗ୍ୟ, ୨୬ ନମ୍ୱର୍ ଜାତୀୟ ରାଜପଥର ଜାରିଂ ନିକଟରେ ବନ ବିଭାଗର ହାଇଟେକ୍ ନର୍ସରୀ ରହିଛି। ରାୟଗଡ଼଼ା ବନତତ୍ତ୍ବ ବିଭାଗ ଅଧିନରେ ପ୍ରାୟ ୧୪୨ ହେକ୍ଟର ଅଞ୍ଚଳରେ ଥିବା ଏହି ବନ ଗବେଷଣା କେନ୍ଦ୍ରରେ ବିଭିନ୍ନ ବାଉଁଶ ଚାରା ତଥା ଲୁପ୍ତପ୍ରାୟ ଗଛର ଚାରା ଉତ୍ପାଦନ କରାଯାଏ। ହେଲେ ଏହାର ମୁଖ୍ୟ କାର୍ଯ୍ୟାଳୟ ରାୟଗଡ଼଼ାରେ ରହିଥିବାରୁ ଓ ଜଣେ ଫରେଷ୍ଟର ଦାୟିତ୍ୱରେ ଏହି କେନ୍ଦ୍ର ଥିବାରୁ ଜିଲା ବନ ବିଭାଗ କିମ୍ବା ସାଧାରଣ ଲୋକଙ୍କ ପାଖରେ ଏହାର ସୂଚନା ନଥାଏ। ବର୍ଷ ତମାମ ଏହି କେନ୍ଦ୍ରର ଫାଟକରେ ତାଲା ପଡୁଥିବାରୁ ବିଭିଗୀୟ ୩, ୪ଜଣ କର୍ମଚାରୀଙ୍କ ବ୍ୟତୀତ ଆଉ କେହି ଭିତରକୁ ଯାଆନ୍ତି ନାହିଁ। ଏଣୁ ୨୦୦୫ରୁ ଆରମ୍ଭ ହୋଇଥିବା ଏହି କେନ୍ଦ୍ରର ଖର୍ଚ୍ଚ ତଦନ୍ତ କରାଗଲେ ଅନେକ ରହସ୍ୟ ଉନ୍ମୋଚିତ ହେଇ ପାରିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ରାୟଗଡ଼ା ଡିଏଫଓଙ୍କ ମତାମତ ମିଳିପାରିନାହିଁ।

Comments are closed.