ଦଳିତ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା

0

ନୂଆଦିଲ୍ଲୀ : ଅନୁସୂଚିତ ଜାତି ଓ ଜନଜାତି (ଏସସି/ଏସଟି) ଅତ୍ୟାଚାର ନିରୋଧ ଆଇନ ୧୯୮୯ ଉପରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶକୁ ବିରୋଧ କରି ବିଭିନ୍ନ ଦଳିତ ସଂଗଠନ ପକ୍ଷରୁ (ଏପ୍ରିଲ ୨) ସୋମବାର ଭାରତ ବନ୍ଦ ଡାକରା ଦିଆଯାଇଛି। ସମ୍ବିଧାନ ବଞ୍ଚାଅ ସଂଘର୍ଷ ସମିତି ନେତୃତ୍ବରେ ଏହି ବନ୍ଦ ଡାକରା ଦିଆଯାଇଛି। ସଂଘର୍ଷ ସମିତିର ଏହି ବନ୍ଦ ଡାକରାକୁ ସର୍ବ ଭାରତୀୟ ଆଦି ଧରମ ମିଶନ ଓ ସର୍ବ ଭାରତୀୟ ଆଦି ଧର୍ମ ସାଧୁ ସମାଜ ସମର୍ଥନ ଜଣାଇଛନ୍ତି। ତେବେ ଏହି ବନ୍ଦ ଡାକରାକୁ ପ୍ରତ୍ୟାହାର କରିନେବା ଲାଗି ସରକାର ଉକ୍ତ ସଂଗଠନଗୁଡିକୁ ନିବେଦନ କରିଛନ୍ତି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥୱର ଚାନ୍ଦ ଗେହଲଟ କହିଛନ୍ତି ଯେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ସରକାର ଏସସି/ଏସଟିଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ। ସେ କହିଛନ୍ତି ଯେ ରାୟର ସମୀକ୍ଷା ପାଇଁ ସରକାର ଏକ ପିଟିସନ ଦାୟର କରିଛନ୍ତି। ସୁପ୍ରିମକୋର୍ଟରେ ଦାୟର ସମୀକ୍ଷା ଆବେଦନରେ ମନ୍ତ୍ରଣାଳୟ ଦର୍ଶାଇଛି ଯେ ଏସସି/ଏସଟି ଆଇନ ଅନୁଯାୟୀ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫକୁ ନିଷିଦ୍ଧ କରାଗଲେ ଆଇନ ଦୁର୍ବଳ ହୋଇପଡିବ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଯୋଗୁଁ ଆଇନ ପ୍ରତି ଲୋକଙ୍କ ରହିଥିବା ଭୟ ଦୂର ହୋଇଯିବ ଓ ଦଳିତଙ୍କ ପ୍ରତି ଅଧିକରୁ ଅଧିକ ଅତ୍ୟାଚାର ହେବ।
ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିରୋଧ) ଆଇନର ଦୁରୁପଯୋଗକୁ ରୋକିବାକୁ ସୁପ୍ରିମକୋର୍ଟ ନିକଟରେ କଠୋର ସର୍ତ୍ତାବଳୀ ଧାର୍ଯ୍ୟ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଏହି ଆଇନ ଅନୁଯାୟୀ ଦାୟର ମାମଲାରେ ଅଭିଯୁକ୍ତ ସରକାରୀ କର୍ମଚାରୀଙ୍କୁ ଏଣିକି ତୁରନ୍ତ ଗିରଫ କରାଯାଇପାରିବ ନାହିଁ। ବିଚାରପତି ଆଦର୍ଶ ଗୋଏଲ ଓ ୟୁୟୁ ଲଳିତଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ପୀଠ ତାଙ୍କ ରାୟରେ କହିଛନ୍ତି ଯେ ଏସସି/ଏସଟି ଆଇନ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ବିରୋଧରେ ଦାୟର ହେଉଥିବା ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇପାରିବ ନାହିଁ। ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ (ଡିଏସପି) ପାହ୍ୟାର ଜଣେ ପୁଲିସ ଅଧିକାର ଅଭିଯୋଗର ତଦନ୍ତ କରିବା ପରେ ଅଭିଯୁକ୍ତ ସରକାରୀ କର୍ମଚାରୀଙ୍କୁ ଗିରଫ କରାଯିବ। ଏପରିକି ଅଭିଯୁକ୍ତ ସରକାରୀ କର୍ମଚାରୀଙ୍କୁ ଗିରଫ କରିବାକୁ ହେଲେ ତାଙ୍କ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେବାକୁ ପଡିବ। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ଆଇନ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ବିରୋଧରେ ଦାୟର ହେଉଥିବା ମାମଲାର ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ପ୍ରଦାନରେ କୌଣସି ପ୍ରକାର କଟକଣା ରହିବ ନାହିଁ। ସରକାରୀ କର୍ମଚାରୀଙ୍କ ବିରୋଧରେ ଏସସି/ଏସଟି (ଅତ୍ୟାଚାର ନିରୋଧ) ଅନୁଯାୟୀ ମାମଲା ରୁଜୁ କରାଯାଇ ହଇରାଣ ହରକତ କରାଯାଉଛି। ଏପରି କି ଅନେକ ସମୟରେ ଏହି ଆଇନ ଅନୁଯାୟୀ ମାମଲା ରୁଜୁ କରାଯିବାକୁ ସରକାରୀ କର୍ମଚାରୀଙ୍କୁ ଧମକ ଦିଆଯାଉଛି।

Leave A Reply