ଭଗାମୁଣ୍ଡା ଅଙ୍ଗନୱାଡିରେ ତାଲା ଠୁଙ୍କିଲେ ଅଭିଭାବକ

ସହାୟକ ନିଯୁକ୍ତିରେ ବିଳମ୍ବ

ହରଭଙ୍ଗା : ହରଭଙ୍ଗା ବ୍ଲକ କୁଶଙ୍ଗ ପଂଚାୟତ ଅର୍ନ୍ତଗତ ଭଗାମୁଣ୍ଡା ଅଙ୍ଗନୱାଡି କେନ୍ଦ୍ରରେ ସହାୟକ (ହେଲପର) ନିଯୁକ୍ତିରେ ଅହେତୁକ ବିଳମ୍ବ ପ୍ରତିବାଦରେ ଅଭିଭାବକମାନଙ୍କ ପକ୍ଷରୁ ଅଙ୍ଗନୱାଡି କେନ୍ଦ୍ରରେ ତାଲା ପକାଯାଇଛି। ଅଙ୍ଗନୱାଡି କେନ୍ଦ୍ରରେ ତାଲା ଝୁଲିବା ସହିତ ପ୍ରାକ୍ ଶିଶୁଙ୍କ ପାଠପଢା ବାଧାପ୍ରାପ୍ତ ହୋଇଛି। ପ୍ରକାଶ ଯେ ଭଗାମୁଣ୍ଡା ଅଙ୍ଗନୱାଡି କେନ୍ଦ୍ରରେ ୨୭ଜଣ ଶିଶୁ ପ୍ରାକ୍ ଶିକ୍ଷା ଗ୍ରହଣ କରୁଛନ୍ତି। ଗତ ଜାନୁୟାରୀ ମାସରେ ସହାୟକ (ହେଲପର) ଦାୟିତ୍ୱରେଥିବା ରାଧା ହାତୀଙ୍କ ଅବସର ପରେ ଏହି ପଦବୀ ଖାଲିପଡିଛି। ୩ମାସ ପରେ ମଧ୍ୟ ଏହି ପଦବୀ ପୂରଣ ପାଇଁ ଅଭିଭାବକ ମହଲରୁ ବାରମ୍ବାର ଦାବୀ ହୋଇଆସୁଥିଲେ ମଧ୍ୟ ତାହା ପୁରଣ ହୋଇପାରୁନାହିଁ। ଯାହାଫଳରେ ଶିଶୁଙ୍କ ପାଇଁ ଖାଦ୍ୟ ରନ୍ଧା ହୋଇ ପାରୁନାହିଁ। କେବଳ ଶିଶୁଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବା ଘଟଣାକୁ ନେଇ ଅଭିଭାବକମାନେ ୨୦ଦିନ ହେଲା ପିଲାଙ୍କୁ କେନ୍ଦ୍ରକୁ ଛାଡୁ ନାହାଁନ୍ତି । ଗତକାଲି ଶିଶୁଙ୍କ ଅଣ୍ଡା, ଛତୁଆ ମଧ୍ୟ ଫେରାଇ ଦେଇଥିବା ଜଣାପଡିଛି । ତୁରନ୍ତ ସହାୟକ (ହେଲପର) ନିଯୁକ୍ତି ପାଇଁ ଅଭିଭାବକ ରଞନ ମୁଣ୍ଡା,ସନ୍ତୋଷ ସାହୁ, ଚୈତନ୍ୟ ମାହାର, ତପନ ମୁଣ୍ଡା, ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି । ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବି ହେଉଛି । ଏ ସର୍ମ୍ପକରେ ହରଭଙ୍ଗା ସିଡିପିଓ ନିରୁପମା ପାଣିଙ୍କୁ ପଚାରିବାରୁ ନୂଆ ମାର୍ଗ ଦର୍ଶିକା ଅନୁସାରେ ସହାୟକ (ହେଲପର) ନିଯୁକ୍ତି କରାଯିବ। ତେଣୁ ବିଳମ୍ବ ଘଟୁଛି। ଏହାର ସମାଧାନ ପାଇଁ କୁଶଙ୍ଗ ସରପଂଚଙ୍କୁ ଦାୟିତ୍ୱ ଦିଆଯାଇଛି। ତୁରନ୍ତ ସମାଧାନ କରାଯିବ ବୋଲି କହିଥିଲେ।

Comments are closed.