ଖାଲିପାଦରେ ଚାଲିଲେ ପିଲାଙ୍କୁ ମିଳିଥାଏ ଏହି ଲାଭ

0

ଆଜିକାଲି ପିଲାମାନେ ପ୍ରାୟତଃ ଅଧିକାଂଶ ସମୟ ପାଦରେ ଜୋତା ପିନ୍ଧି ଚଳପ୍ରଚଳ ହେଉଛନ୍ତି। ଅବିଭାବକମାନେ ତାଙ୍କ ପିଲାଙ୍କୁ ସବୁବେଳେ ମଧ୍ୟ ଜୋତା ପିନ୍ଧାଇବାକୁ ପସନ୍ଦ କରିଥାଆନ୍ତି। ହେଲେ ଏକ ଗବେଷଣାରୁ ଜଣାପଡ଼ିଛି ଯେ ଅଧିକ ସମୟ ଖାଲି ପାଦରେ ରହୁଥିବା ପିଲାମାନଙ୍କର ଡ଼େଇଁବା, କୁଦିବା ଓ ସନ୍ତୁଳନ(ବାଲାନ୍ସ) ରକ୍ଷା କରିବାର ଅଧିକ କ୍ଷମତା ଥାଏ। ସବୁବେଳେ ଜୋତା ପିନ୍ଧି ରହୁଥିବା ପିଲାମାନଙ୍କର ଏହି କ୍ଷମତା ସେମାନଙ୍କ ଅପେକ୍ଷା କମ୍‍ ଥାଏ।
ଦକ୍ଷିଣଆଫ୍ରିକା ସ୍ଥିତ ଷ୍ଟେଲନ୍‍ବୋସ୍କ ବିଶ୍ୱବିଦ୍ୟାଳୟର ଜଣେ ଗବେଷକ କହିଛନ୍ତି, “ଗବେଷଣା ସମୟରେ ଖାଲିପାଦରେ ରହୁଥିବା ପିଲାମାନେ ଅଧିକ ସମୟ ଜୋତା ପିନ୍ଧି ରହୁଥିବା ପିଲାମାନଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରିଥିଲେ। ଏଥିରୁ ପ୍ରମାଣିତ ହୋଇଛି ଯେ ବାଲ୍ୟ ଓ କିଶୋରାବସ୍ଥାରେ ମୌଳିକ ସନ୍ତୁଳନର ବିକାଶ ଅଧିକ ସମୟ ଖାଲିପାଦରେ ରହିବା ଦ୍ୱାରା ହୋଇଥାଏ।”
ଜର୍ମାନୀ ସ୍ଥିତ ଜେନା ବିଶ୍ୱବିଦ୍ୟାଳୟର ଗବେଷକଙ୍କ ମତ ଅନୁସାରେ, “ଖାଲିପାଦରେ ରହିବା ଦ୍ୱାରା ପ୍ରକୃତି ସହ ଅଧିକ ଜଡ଼ିତ ରହିବାର ଅନୁଭବ ହୋଇଥାଏ। ଅଧିକ ସମୟ ଜୋତା ପିନ୍ଧି ଚାଲିବା ଦ୍ୱାରା ପାଦର ସ୍ୱାସ୍ଥ୍ୟ ଓ ସଞ୍ଚାଳନର ଗତି ପ୍ରଭାବିତ ହୋଇଥାଏ।”
‘ଫ୍ରଣ୍ଟିୟର୍ସ ଇନ୍‍ ପିଡ଼ିଆଟ୍ରିକ୍ସ’ ପୁସ୍ତକରେ ପ୍ରକାଶିତ ତଥ୍ୟର ଗବେଷଣା ପାଇଁ ଦକ୍ଷିଣ ଆଫ୍ରିକା ତଥା ଉତ୍ତର ଜର୍ମାନୀର ୬ ରୁ ୧୮ ବର୍ଷ ବୟସର ୮୧୦ଜଣ ପିଲାଙ୍କୁ ସାମିଲ୍‍ କରାଯାଇଥିଲା। ସେମାନଙ୍କ ମଧ୍ୟରେ ସନ୍ତୁଳନ, ଖେଳକୁଦ ଓ ୨୦ ମିଟର ଦୌଡ଼ ଭଳିି ପ୍ରତିଯୋଗୀତା କରାଇ ତାଙ୍କ ଗତିବିଧିକୁ ନିରୀକ୍ଷଣ କରାଯାଇଥିଲା। ସେଥିରେ ଅଧିକ ସମୟ ଖାଲିପାଦରେ ଚାଲୁଥିବା ପିଲାମାନେ ସବୁବେଳେ ଜୋତା ପିନ୍ଧି ଚାଲୁଥିବା ପିଲାମାନଙ୍କ ଠାରୁ ଭଲ ପ୍ରଦର୍ଶନ କରିଥିଲେ।

kalyan agarbati
Leave A Reply