ଭାଲୁ ସହ ଧକ୍କା ହୋଇ ବାଇକ୍ ଆରୋହୀ ଗୁରୁତର

ନୀଳଗିରି: ବାଲେଶ୍ବର ଜିଲ ଅଧୀନ ନୀଳଗିରି ଅଞ୍ଚଳରେ ବାଇକରେ ଫେରୁଥିବା ଜଣେ ଯୁବକ ଭାଲୁକୁ ଧକ୍କା ଦେଇ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହେବା ଘଟଣା ସାଧାରଣରେ ହଟଚମଟ ସୃଷ୍ଟି କରିଛି।
ନୀଳଗିରି ମେଡ଼ିକାଲ ପଛ ପାର୍ଶ୍ଵ ତଥା ସାନଅତା ଅଞ୍ଚଳର ହୁସେନ ବକ୍ସଙ୍କ ପୁଅ ଗୌସେନ(୩୩) ଶନିବାର ରାତି ସାଢ଼େ ୯ଟାରେ ରାଇଗାଁ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଛାଡ଼ି ଘରକୁ ଫେରୁଥିଲେ। ତେବେ ମିତ୍ରପୁର-ନୀଳଗିରି ରାସ୍ତାର ଗୋପୀନାଥପୁର ରେଲୱେ କ୍ରସିଂ ନିକଟରେ ଏକ ବିଶାଳ ଭାଲୁଟି ତାଙ୍କ ସମ୍ମୁଖକୁ ଦୌଡ଼ି ଆସିଥିଲା। ରାସ୍ତା ମଝିରେ ଭାଲୁ ସହ ବାଇକର ମୁହାଁମୁହିଁ ଧକ୍କା ହେବା ଯୋଗୁଁ ସମ୍ପୃକ୍ତ ଯୁବକ ତଳେ କଚାଡି ହୋଇ ଗୁରୁତର ହୋଇଛନ୍ତି। ତାଙ୍କ ମୁହଁ, ମୁଣ୍ଡ ଓ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ଦାନ୍ତ ମଧ୍ୟ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ସେଠାରୁ ଉଧାର କରାଯାଇ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ବର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଅନୁରୂପ ଭାବେ ଏହି ଧକ୍କା ଯୋଗୁଁ ଭାଲୁଟି ମଧ୍ୟ ଆହତ ହୋଇ ବିଲ ପଟକୁ ଦୌଡ଼ି ଥିବା କୁହାଯାଇଛି।

Comments are closed.