‘ପାହାଡ଼ର ବାରାଣସୀ’

0

କେବଳ ଯେ ଯୁବପିଢ଼ି ଭ୍ରମଣ କରିବା ନିମନ୍ତେ ଆଗଭର ଅଛନ୍ତି, ତାହା ଭୁଲ୍। ବୟସ୍କବର୍ଗର ପିଢ଼ି ମଧ୍ୟ ସାଥି ହୋଇ ଭ୍ରମଣ କରିବାକୁ ପସନ୍ଦ କରନ୍ତି। ହିମାଚଳପ୍ରଦେଶର ମଣ୍ଡି ସହରଟି ପ୍ରାକୃତିକ ସୌନ୍ଦର୍ଯ୍ୟର ଅନନ୍ୟ ରୂପ କହିଲେ ଭୁଲ୍ ହେବନାହିଁ। ଏଠାରେ ଉଭୟ ଯୁବବର୍ଗ ଓ ବୟସ୍କ ପିଢ଼ିଙ୍କ ଭିଡ଼ ନିୟମିତ ଜମିଥାଏ। ହିମାଚଳପ୍ରଦେଶର ସାଂସ୍କୃତିକ ରାଜଧାନୀ ଭାବେ ଜଣାଯାଉଥିବା ଏଇ ସହରର ଅନ୍ୟ ନାମ ହେଉଛି ‘ପାହାଡ଼ର ବାରାଣସୀ’। ଛୋଟବଡ଼ ସର୍ବମୋଟ୍ ୩୦୦ ମନ୍ଦିର ଏଠାରେ ଅଛି। ଶିବରାତ୍ରି ଓ ହୋଲି ସମୟରେ ଏଠାରେ ମାତ୍ରାଧିକ ଭିଡ଼ ହୋଇଥାଏ। କାରଣ ସ୍ଥାନୀୟ ଅଞ୍ଚଳର ପୂଜା ସହ ଯାନିଯାତରା ଦେଖିବାକୁ ହିଁ ଲୋକଙ୍କ ଭିଡ଼ ଜମିଥାଏ। ଏହି ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ହଲିଉଡ ନିର୍ଦେଶକମାନେ ମଧ୍ୟ ସୁଟିଂ କରିବାକୁ ଛୁଟି ଆସିଥାନ୍ତି। ସଂଖ୍ୟାଧିକ ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ ଧାରାବାହିକ ମଧ୍ୟ ଏଇ ପାହାଡ଼ରେ ସୁଟିଂ ହୋଇଛି। ଜୁଲାଇ-ନଭେମ୍ବର ମଧ୍ୟରେ ଏଠାରେ ବୟସ୍କବର୍ଗର ପର୍ଯ୍ୟଟକଙ୍କ ସମାଗମ ଅଧିକ ଦେଖାଯାଏ। କାରଣ ଏଇ ସମୟରେ ଅନ୍ୟବର୍ଗର ଲୋକଙ୍କ ଭିଡ଼ ନଥାଏ। ନୀରବ ଓ ନିରୋଳାରେ ସେମାନେ କିଛି ସମୟ କଟାଇବାକୁ ପସନ୍ଦ କରନ୍ତି। ଏଠାକାର ଅନ୍ୟତମ ଆକର୍ଷଣ ହେଉଛି କମରୁ ହ୍ରଦ, ରିବାଲସର ହ୍ରଦ, ସୁନ୍ଦରନଗର ହ୍ରଦ। ମଣ୍ଡି ସହରରେ ଥିବା ୧୩୦ ବର୍ଷ ପୁରାତନ ପୋଲ ମଧ୍ୟ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ। ୧୮୭୭ରେ ମଣ୍ଡିର ତତ୍କାଳୀନ ରାଜା ବିଜୟ ସେନ୍ ଏହାର ନିର୍ମାଣ କରିଥିଲେ। ଐତିହାସିକଙ୍କ ତଥ୍ୟ ଅନୁସାରେ, ସେସମୟରେ ଇଂରେଜମାନେ ଦିଲ୍ଲୀରେ ଏକ ପ୍ରତିଯୋଗିତାର ଆୟୋଜନ କରିଥିଲେ। ରାଜା ବିଜୟ ସେନ୍ ଏଥିରେ ଭାଗ ନେଇ ବିଜୟୀ ହୋଇଥିଲେ। ପୁରସ୍କାରରେ ସେ ଏକ କାର୍ ପାଇଥିଲେ। ସେଇ କାର୍‌କୁ ମଣ୍ଡି ସହର ପର୍ଯ୍ୟନ୍ତ ଆଣିବା ନିମନ୍ତେ ଏଇ ପୋଲ୍ ତିଆରି କରାଗଲା। ଇଂଲଣ୍ଡର ଦକ୍ଷ ଇଜିଂନିୟରମାନେ ଦିନ କେଇଟାରେ ଏଇ ପୋଲ ତିଆରି କରିବା ସହ ୧ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ପୋଲର ନାମ ‘ଭିକ୍ଟୋରିଆ ବ୍ରିଜ୍’ ରଖାଯାଇଛି। ମଣ୍ଡିକୁ ଦିନକୁଦିନ ପର୍ଯ୍ୟଟକ ବଢ଼ିବାର ମୁଖ୍ୟ କାରଣ ହେଲା ସ୍ଥାନୀୟ ଅଞ୍ଚଳର ସୁଆଦିଆ ବ୍ୟଞ୍ଜନ। ୭୭ ବର୍ଷୀୟ ନେତାରାମ ରାଓ କହିଛନ୍ତି, ଭାରତ ସହ ବିଦେଶର ବିଭିନ୍ନ ପ୍ରାନ୍ତ ସେ ଭ୍ରମଣ କରିଛନ୍ତି। ହେଲେ ପ୍ରତି ବର୍ଷ ଥରୁଟିଏ ସେ ସପତ୍ନୀକ ମଣ୍ଡି ଥରୁଟିଏ ନିଶ୍ଚୟ ବୁଲିଯାନ୍ତି। କାରଣ ହେଲା ସୁଆଦିଆ ବ୍ୟଞ୍ଜନ। ସେଠାକାର ସବୁଠୁ ବିଶେଷ ଖାଦ୍ୟ ହେଲା ‘ଦହି-ବୁନ୍ଦି’। ବେଶ୍ ସାଧାରଣ ସ୍ବାଦର ଏଇ ବ୍ୟଞ୍ଜନକୁ ରସାଳ ଭାବେ ସ୍ଥାନୀୟ ‘ବାବା ସୁଇଟସ୍’ ପ୍ରସ୍ତୁତ କରିଥାଏ। ୭୦ ବର୍ଷ ହେଲାଣି ତାଙ୍କ ଦୋକାନ ସେଠାରେ ଚାଲିଛି। ଦେଶୀ ଅପେକ୍ଷା ବିଦେଶୀ ଲୋକଙ୍କ ଭିଡ଼ ଅଧିକ ବୋଲି ଦୋକାନ ମାଲିକ କହିଛନ୍ତି। ଅତିକମ୍‌ରେ ଦୈନିକ ୧,୫୦୦ ଲୋକେ ତାଙ୍କ ଦୋକାନରେ ଖାଇଥାନ୍ତି। ଅନ୍ୟତମ ଲୋକପ୍ରିୟ ବ୍ୟଞ୍ଜନ ହେଉଛି ‘ସେପୁବଡ଼ି’ ଓ ‘ଟ୍ରାଉଟ୍ ମାଛ’। ଦିଲ୍ଲୀରୁ ମଣ୍ଡି ସହରର ଦୂରତା ହେଉଛି ୪୧୮.୪ କିମି। ଏହାର ନିକଟତମ ବିମାନବନ୍ଦର ହେଉଛି କୁଲୁ ବିମାନବନ୍ଦର, ଯାହା ମଣ୍ଡିଠାରୁ ମାତ୍ର ୭୫ କିମି ଦୂର। ରେଳ ଓ ଟ୍ୟାକ୍ସିରେ ମଧ୍ୟ ଲୋକେ ଯାତାୟାତ କରନ୍ତି। ତେବେ ବୟସ୍କ ପିଢ଼ି ଅଧିକାଂଶ ସଂଖ୍ୟାରେ ବିମାନରେ ଯାତ୍ରା କରୁଥିବାର ସ୍ଥାନୀୟ ଏକ ଭ୍ରମଣକାରୀ ସଂସ୍ଥା ତରଫରୁ କୁହାଯାଇଛି।

Leave A Reply