ବାଙ୍କୀ ଏନଏସି: ମତଦାନ ହାର ୭୮.୦୫%
୩୬ ଇଭିଏମରେ ୫୦ପ୍ରାର୍ଥିଙ୍କ ଭାଗ୍ୟ
ବାଙ୍କୀ: ବାଙ୍କୀ ଏନଏସିର ୧୭ଗୋଟି ୱାର୍ଡର ୧୮ଟି ମତଦାନ କେନ୍ଦ୍ରରେ ଜଣେ ପୌରାଧ୍ୟକ୍ଷ ଏବଂ ୧୭ପାରିଷଦ ପଦବୀ ପାଇଁ ଗୁରୁବାର ସକାଳ ୮ଟାରୁ ୫ଘଟିକା ମଧ୍ୟରେ ମତଦାନ ପ୍ରକ୍ରିୟା ଶୃଙ୍ଖଳାର ସହ ଶେଷ ହୋଇଛି।
ସୂଚନା ଅନୁଯାୟୀ, ବାଙ୍କୀ ଏନଏସିର ଗୋଟିଏ ଅଧ୍ୟକ୍ଷ ପଦବୀ ପାଇଁ ୪ଜଣ ପ୍ରାର୍ଥି ଏବଂ ୧୭ଟି ପାରିଷଦ ପଦବୀ ପାଇଁ ୪୬ଜଣ ପାରିଷଦ ପ୍ରାର୍ଥି ପ୍ରତିଦ୍ୱନ୍ଦିତା କରିଛନ୍ତି। ସମସ୍ତ ୧୮ଗୋଟି କେନ୍ଦ୍ରରେ ଧାଡିରେ ଶୃଙ୍ଖଳାର ସହିତ ମତଦାନ ହୋଇଥିବା ଦେଖିବାକୁ ମିଳିଛି। ଭୋଟରମାନେ ଏଥର ଉତ୍ସାହର ସହ ମତଦାନ କେନ୍ଦ୍ରରେ ଉପସ୍ଥିତ ରହି ମତଦାନ କରିଛନ୍ତି। ସ୍ଥାନୀୟ ଚର୍ଚ୍ଚିକା ନୋଡାଲ ବିଦ୍ୟାଳୟ ପରିସରରେ ଆଦର୍ଶ ମତଦାନ କେନ୍ଦ୍ର କରାଯାଇଥିଲା ବେଳେ ବାଙ୍କୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପିଙ୍କ୍ ବୁଥ ସଞ୍ଚାଳିତ ହୋଇଥିଲା। ସୂଚନା ଅନୁଯାୟୀ, ଅପରାହ୍ନ ୫ଘଟିକା ଶୁଦ୍ଧା ସମସ୍ତ ୧୮ଗୋଟି କେନ୍ଦ୍ରରେ ମୋଟ ୫୭୧୩ଜଣ ପୁରୁଷ ଏବଂ ୫୨୭୩ଜଣ ମହିଳାଙ୍କୁ ମିଶାଇ ସର୍ବମୋଟ ୧୦ହଜାର ୯୮୬ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଆଜି ବାଙ୍କୀ ଏନଏସିରେ ମତଦାନ ହାର ୭୮.୦୫% ରହିଛି। ବୁଥ ନଂ ୧ରେ ମୋଟ ମତଦାନ ୬୧୨, ବୁଥ ନଂ ୨ରେ ୫୦୨, ବୁଥ ନଂ ୩ରେ ୮୨୨, ବୁଥ ନଂ ୪ରେ ୫୧୦, ବୁଥ ନଂ ୫ରେ ୭୮୦, ବୁଥ ନଂ ୬ରେ ୪୨୯, ବୁଥ ନଂ ୭ରେ ୬୦୧, ବୁଥ ନଂ ୮ରେ ୩୧୫, ବୁଥ ନଂ ୯ରେ ୭୪୩, ବୁଥ ନଂ ୧୦ରେ ୮୯୩, ବୁଥ ନଂ ୧୧ରେ ୭୫୩, ବୁଥ ନଂ ୧୨ରେ ୪୪୧, ବୁଥ ନଂ ୧୩ରେ ୫୪୪, ବୁଥ ନଂ ୧୪ରେ ୭୦୯, ବୁଥ ନଂ ୧୫ରେ ୬୬୮, ବୁଥ ନଂ ୧୬ରେ ୬୫୩, ବୁଥ ନଂ ୧୭ରେ ୩୯୫ ଓ ୧୮ନଂ ବୁଥରେ ୬୧୬ଜଣ ମତଦାନ କରିଛନ୍ତି। ସମସ୍ତ ଉତ୍ତେଜନା ଓ ଅତି ଉତ୍ତେଜନାପୂର୍ଣ୍ଣ କେନ୍ଦ୍ରରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ବେଳେ ୩ଜଣ ସେକ୍ଟର ଅଫିସର ପ୍ରତି ୨ଘଣ୍ଟା ଅନ୍ତରରେ ମତଦାନର ସ୍ଥିତି ଅନୁଧ୍ୟାନ କରିଥିଲେ। ନିର୍ବାଚନ ଅଧିକାରୀ ତଥା ବାଙ୍କୀ ତହସିଲଦାର ସତ୍ୟରଞ୍ଜନ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ନିର୍ବାଚନ କାର୍ଯ୍ୟ ସଞ୍ଚାଳିତ ହୋଇଥିଲା। ୫ଟା ପରେ କଡା ସୁରକ୍ଷା ମଧ୍ୟରେ ପୁଲିଂ ପାର୍ଟି ସ୍ଥାନୀୟ ଚର୍ଚ୍ଚିକା ନୋଡାଲ ସ୍କୁଲ ପରିସରରେ ଥିବା ଷ୍ଟ୍ରଙ୍ଗରୁମ୍ ନିକଟରେ ପହଞ୍ଚି ଇଭିଏମ୍ ମେସିନ ସହ ସମସ୍ତ ସରଞ୍ଜାମ ପୈଠ କରିଛନ୍ତି। ୩୬ଟି ଇଭିରମ୍ ମେସିନରେ ୪ଜଣ ନଗରପାଳ ପ୍ରାର୍ଥି ଏବଂ ୪୬ଜଣ ପାରିଷଦ ପ୍ରାର୍ଥିଙ୍କ ଭାଗ୍ୟ ମୁଦ ରହିଥିବା ଜଣାପଡିଛି। ଆସନ୍ତା ୨୬ତାରିଖ ଦିନ ଭୋଟ ଗଣତି ହେବ ବୋଲି ସୂଚନା ମିଳିଛି।
Comments are closed.