ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ୧୦୪ତମ ବାର୍ଷିକ ସାଧାରଣ ସଭା, ବ୍ୟାଙ୍କର ଅଂଶଧନ ପରିମାଣ ୨୮କୋଟି ୫୪ଲକ୍ଷ ୮ହଜାର ୧୦୬ଟଙ୍କା
ବାଙ୍କୀ: ସୋମବାର ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ପରିସରରେ କେନ୍ଦ୍ର ସମବାୟ ବ୍ୟାଙ୍କର ୧୦୪ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ପ୍ରଶାସନ କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ପକ୍ଷରୁ ବାଙ୍କୀ ଉପଜିଲାପାଳ ରଞ୍ଜନ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବନଶ୍ରୀ ମଲ୍ଲିକ ସ୍ୱାଗତ ଭାଷଣ ତଥା ବାର୍ଷିକ ବିବରଣୀ ପାଠ କରିଥିଲେ। ପରିଚାଳକ ଶ୍ରୀଲଗ୍ନା ଶ୍ରୀସମ୍ବିତାଙ୍କ ସଞ୍ଜୋଜନାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ସମବାୟ ସମିତି କଟକ ଉପନିବନ୍ଧକ ଲକ୍ଷ୍ମୀଧର ସୁବୁଦ୍ଧି, ଆଠଗଡ ସହକାରୀ ଉପନିବନ୍ଧକ ଅଶୋକ କୁମାର ପାଣି, ବାଙ୍କୀ ସହକାରୀ ଉପନିବନ୍ଧକ ସମବାୟ ସମିତି ଦେବୀପ୍ରସନ୍ନ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ।
ଏହି ଅବସରରେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସହିତ ସଂଶ୍ଲିଷ୍ଟ ଥିବା ୧୧ଗୋଟି ଶାଖା ବ୍ୟାଙ୍କ ସହିତ ୯୮ଗୋଟି କୃଷି ସେବା ସମବାୟ ସମିତିର କାର୍ଯ୍ୟକାରିତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ୨୦୨୦-୨୧ବର୍ଷ ଶୁଦ୍ଧା ବ୍ୟାଙ୍କର ମୋଟ ସମିତିସଭ୍ୟ ଓ ରାଜ୍ୟ ସରକାର ତଥା ନୋମିନାଲ ସଭ୍ୟଙ୍କୁ ମିଶାଇ ୬ହଜାର ୧୩୭ଜଣ ସଭ୍ୟ ରହିଛନ୍ତି। ସେହିପରି ଅଂଶରାଶି ବାବଦରେ ୨୦୨୧ ମସିହା ଶୁଦ୍ଧା ବ୍ୟାଙ୍କର ସରକାରୀ ଓ ସଭ୍ୟ ମାନଙ୍କ ଠାରୁ ମିଶାଇ ଅଂଶଧନ ପରିମାଣ ୨୮କୋଟି ୫୪ଲକ୍ଷ ୮ହଜାର ୧୦୬ଟଙ୍କା ହୋଇଥିବା ସୂଚନା ମିଳିଛି। ସେହିପରି ବ୍ୟାଙ୍କର ଜମାଟଙ୍କା ପରିମାଣ ୨ଶହ ୫୯କୋଟି ୬୧ଲକ୍ଷ ୯୦ହଜାର ଟଙ୍କା ହୋଇଛି। ଏହି ଟଙ୍କା କ୍ରମଶଃ ୨ଶହ ୬୦କୋଟିରେ ପହଞ୍ଚିବା ପାଇଁ ବିବରଣୀରେ ପ୍ରକାଶ ପାଇଛି। ବ୍ୟାଙ୍କ ଋଣ ଲଗାଣ, କିଶାନ କ୍ରେଡିଟ୍ କାର୍ଡ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ଯୋଗାଣ ଏବଂ ମିଳିତ ଦେୟ ଗୋଷ୍ଠୀଙ୍କୁ ଋଣ ଯୋଗାଣ କ୍ଷେତ୍ରରେ ଅଗ୍ରାଧିକାର ଦେଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ବନଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି।
Comments are closed.