ପୁଣି ବ୍ୟାଙ୍କକୁ ୨୬୫୪ କୋଟି ଚୂନ

0

ନୂଆଦିଲ୍ଲୀ : ନିରବ ମୋଦିଙ୍କ ଦ୍ୱାରା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‍ବି)ରେ ସଂଘଟିତ ମହାଠକେଇ ପରେ ଦୁର୍ନୀତି ଏବଂ ଠକେଇ ବ୍ୟାଙ୍କଗୁଡିକର ପିଛା ଛାଡୁନି। ଆଉ ଏକ ଘଟଣାକ୍ରମେ ଆଜି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି (ସିବିିଆଇ) ଭଦୋଦରାଭିତ୍ତିକ ବିଦ୍ୟୁତ ଯନ୍ତ୍ରାଂଶ ନିର୍ମାତାଙ୍କ ଦ୍ୱାରା ହୋଇଥିବା ୨୬୫୪ କୋଟି ଟଙ୍କା ଠକେଇ ଘଟଣାର ପର୍ଦାଫାସ କରିଛି। ଏଥିରେ କମ୍ପାନୀ ମାଲିକ ସୁରେଶ ନରେନ୍‍ ଭଟ୍ଟନାଗର ୧୧ ବ୍ୟାଙ୍କକୁ ନେଇ ଗଠିତ କନ୍‍ସୋର୍ଟିୟମ୍‍କୁ ୨୬୫୪ କୋଟି ଟଙ୍କାର ଚୂନ ଲଗାଇଛନ୍ତି।
ଠକେଇ ଘଟଣା ଜଣାପଡିବା ପରେ ସିବିଆଇ ଡାଏମଣ୍ଡ୍‍ ପାୱାର ଇନ୍‍ଫ୍ରାଷ୍ଟ୍ରକଚର ଲିମିଟେଡ୍‍ (ଡିପିଆଇଏଲ୍‍) ଏବଂ ଏହାର ସ୍ୱତ୍ୱାଧିକାରୀ ସୁରେଶ ନରେନ୍‍ ଭଟ୍ଟନାଗର ଓ ତାଙ୍କ ପୁତ୍ର ଅମିତ୍‍ ଭଟ୍ଟନାଗର ଏବଂ ସୁମିତ୍‍ ଭଟ୍ଟନାଗରଙ୍କୁ ଗିରଫ କରିଛି। ଏମାନଙ୍କ ନାମରେ ୧୧ ବ୍ୟାଙ୍କକୁ ନେଇ ଗଠିତ କନ୍‍ସୋର୍ଟିୟମ୍‍କୁ ୨୬୫୪ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି। ଗିରଫ କରିବା ପରେ ସିବିଆଇ ପକ୍ଷରୁ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରାଯାଇଛି। ତେବେ କୌତୂହଳର ବିଷୟ ହେଉଛି ରିଜର୍ଭ ବ୍ୟାଙ୍କ ଏବଂ ରପ୍ତାନି କ୍ରେଡିଟ୍‍ ଗ୍ୟାରେଣ୍ଟି କର୍ପୋରେଶନ୍‍ (ଇସିଜିସି)ର ଖିଲାପକାରୀ ତାଲିକାରେ ରହିଥିବା ସତ୍ତ୍ବେ କମ୍ପାନୀକୁ ଋଣ ସୁବିଧା ପ୍ରଦାନ କରାଯାଇଛି। ତେବେ ବିଭାଗୀୟ ଅଧିକାରୀଙ୍କ କହିବାନୁଯାୟୀ, ବ୍ୟାଙ୍କ ଅଧିକାରୀଙ୍କ ବିନା ସମ୍ପୃକ୍ତିରେ ଏଭଳି ଋଣ ପ୍ରଦାନ କରିବା ସମ୍ଭବପର ନୁହେଁ। ଘଟଣାକୁ ନେଇ ଗୁରୁବାର ସିବିଆଇ ପକ୍ଷରୁ କମ୍ପାନୀ ମାଲିକ ଶ୍ରୀ ଭଟ୍ଟନାଗରଙ୍କ ଭଦୋଦରାସ୍ଥିତ କାର୍ୟ୍ୟାଳୟ ଏବଂ ବାସଭବନ ସମେତ ଅନେକ ସ୍ଥାନରେ
ଚଢାଉ କରାଯାଇଛି। ଇଲେକ୍‍ଟ୍ରିକ୍‍ କେବୁଲ ଏବଂ ଯନ୍ତ୍ରାଂଶ ଉତ୍ପାଦନ ସହ ଜଡିତ ଡିପିଆଇଏଲ୍‍ ୨୦୦୮ଠାରୁ ୧୧ ବ୍ୟାଙ୍କର କନ୍‍ସୋର୍ଟିୟମ୍‍ରୁ ଜାଲିଆତି କରି କ୍ରେଡିଟ୍‍ ସୁବିଧା ହାତେଇ ନେଇଛି। ଏଥିରେ ଏକ୍ସିସ୍‍ ବ୍ୟାଙ୍କର ୨୫୫.୩୨ କୋଟି, ବ୍ୟାଙ୍କ ଅଫ୍‍ ଇଣ୍ଡିଆର ୬୭୦.୫୧ କୋଟି, ବ୍ୟାଙ୍କ ଅଫ୍‍ ବରୋଦାର (ବିଓବି)ର ୩୪୮.୯୯ କୋଟି, ଆଇସିଆଇସିଆଇ ବ୍ୟାଙ୍କ ୨୭୯.୪୬ କୋଟି, ଆହ୍ଲାହାବାଦ ବ୍ୟାଙ୍କ ୨୨୭.୯୬%, ଦେନା ବ୍ୟାଙ୍କ ୧୭୭.୧୯ କୋଟି, ଏସ୍‍ବିଆଇ ୨୬୬.୩୭ କୋଟି ଏବଂ କର୍ପୋରେଶନ୍‍ ବ୍ୟାଙ୍କ ୧୦୯.୧୨ କୋଟି ଟଙ୍କା ଋଣ ଅର୍ଥ ସାମିିଲ। ସିବିଆଇ ନିକଟରୁ ମିଳିଥିବା ତଥ୍ୟାନୁଯାୟୀ, କମ୍ପାନୀ ବ୍ୟାଙ୍କକ୍‍ୁ ଏହାର ଷ୍ଟକ ସମ୍ପର୍କିତ ଜାଲ ତଥ୍ୟ ପ୍ରଦାନ କରିଥିଲା।

Leave A Reply