ବିଏସ୍‍ଏଫ୍‍ ଯବାନଙ୍କ ଆସ୍ଥାର ପ୍ରତୀକ : ମା’ ନାଡ଼େଶ୍ୱରୀ ମନ୍ଦିର

0

ଭାରତରେ ବିଭିନ୍ନ ପ୍ରସିଦ୍ଧ ଧାର୍ମିକ ସ୍ଥଳ ରହିଛି। ସବୁ ସ୍ଥାନର ଏକ ବିଶେଷ ମହତ୍ତ୍ୱ ଓ ତାହା ସହିତ କିଛି ପୌରାଣିକ ଗାଥା ଜଡ଼ିତ ରହିଛି। ସେହିପରି ଏକ ଧାର୍ମିକ ସ୍ଥଳ ହେଉଛି ମା’ ନାଡ଼େଶ୍ୱରୀଙ୍କ ମନ୍ଦିର। ଏହି ମନ୍ଦିର ଗୁଜୁରାଟର ବନାସକାଣ୍ଠା ସୀମା ସ୍ଥିତ ସୁଇ ଗାଁ’ରେ ଅବସ୍ଥିତ। ଏହି ମନ୍ଦିର ସାଧାରଣ ଲୋକଙ୍କ ସହ ସୀମା ସୁରକ୍ଷା ବଳ(ବିଏସ୍‍ଏଫ୍‍) ଯବାନମାନଙ୍କ ପାଇଁ ମଧ୍ୟ ଶ୍ରଦ୍ଧା ଓ ଆସ୍ଥାର ଏକ ବଡ଼ ଧାର୍ମିକ ସ୍ଥଳ ପାଲଟିଛି। ବନାସକାଣ୍ଠା ସୀମାରେ ଯେଉଁ ଯବାନଙ୍କର ଡ଼୍ୟୁଟି ପଡ଼େ ସେମାନେ ଡ଼୍ୟୁଟିରେ ଯୋଗ ଦେବା ପୂର୍ବରୁ ମା’ ନାଡ଼େଶ୍ୱରୀଙ୍କ ଦର୍ଶନ କରି ଯାଇଥାଆନ୍ତି। ବିଶ୍ୱାସ ରହିଛି ଯେ ମା’ ନାଡ଼େଶ୍ୱରୀ ଏଠାରେ ଯବାନମାନଙ୍କ ରକ୍ଷା କରିଥାଆନ୍ତି।

ପୂର୍ବେ ଏଠାରେ କୌଣସି ମନ୍ଦିର ନଥିଲା, କେବଳ ମା’ଙ୍କର ଏକ ଛୋଟ ଆସ୍ଥାନ ରହିଥିଲା। ୧୯୭୧ ମସିହାର ଯୁଦ୍ଧ ପରେ ତତ୍‍କାଳୀନ କମାଣ୍ଡାଣ୍ଟ ଏହି ମନ୍ଦିରର ନିର୍ମାଣ କରାଇଥିଲେ। ଏହି ମନ୍ଦିରର ଅନ୍ୟ ଏକ ବିଶେଷତ୍ୱ ହେଉଛି ବିଏସ୍‍ଏଫ୍‍ ର ଜଣେ ଯବାନ ଏଠାରେ ପୂଜାରୀ ଭାବେ କାର୍ଯ୍ୟ କରିଥାଆନ୍ତି। ଏଠାରୁ ପ୍ରାୟ ୨୦ କିମି ଦୂରରେ ପାକିସ୍ତାନର ସୀମା ଆରମ୍ଭ ହୋଇଥାଏ। ଏହି କ୍ଷେତ୍ର ସର୍ବଦା ବିଏସ୍‍ଏଫ୍‍ଙ୍କ ତୀକ୍ଷ୍ଣ ଦୃଷ୍ଟିରେ ରହିଥାଏ।
ମନ୍ଦିର ନିର୍ମାଣର କାହାଣୀ ମଧ୍ୟ ଅତୀବ ମନୋରମ। ୧୯୭୧ ମସିହାରେ ପାକିସ୍ତାନ ସହ ଯୁଦ୍ଧ ସମୟରେ କିଛି ଭାରତୀୟ ସେନା ଭୁଲ୍‍ ବଶତଃ ପାକିସ୍ତାନ ସୀମା ମଧ୍ୟରେ ପ୍ରବେଶ କରିଯାଇଥିଲେ। ଏହାପରେ ସେମାନେ ବାଟବଣା ହୋଇ ଯାଇଥିଲେ। ଯୁଦ୍ଧ କ୍ଷେତ୍ର ହୋଇଥିବାରୁ ସେମାନେ ସଠିକ୍‍ ଭାବେ ରାସ୍ତା ପାଉନଥିଲେ। କୁହାଯାଏ ଯେ, ସେହି ସମୟରେ କମାଣ୍ଡାଣ୍ଟ ନିଜେ ମା’ ନାଡ଼େଶ୍ୱରୀଙ୍କୁ ସାହାଯ୍ୟ ପାଇଁ ପ୍ରାର୍ଥନା କରିଥିଲେ ଓ ସୁରକ୍ଷିତ ଭାବେ ଉଚିତ ଠିକଣାରେ ପହଞ୍ଚାଇବା ପାଇଁ ମିନତୀ କରିଥିଲେ। ଏହାପରେ ମା’ ଦୀପର ଆଲୋକ ଦେଖାଇ ବାଟବଣା ହୋଇଯାଇଥିବା ଭାରତୀୟ ସେନାଙ୍କୁ ସାହାଯ୍ୟ କରିଥିଲେ ଓ ସୁରକ୍ଷିତ ଭାବେ ତାଙ୍କ ଶିବିର ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥିଲେ।
ଏପରି ବିଶ୍ୱାସ ରହିଛି ଯେ, ମା’ ନାଡ଼େଶ୍ୱରୀ ଦେବୀ ଏଠାରେ ବିରାଜମାନ ଥିବା ପର୍ଯ୍ୟନ୍ତ କୌଣସି ଯବାନଙ୍କର କିଛି କ୍ଷତି ହେବ ନାହିଁ।

Leave A Reply