ବିଦ୍ୟୁତ ଆଘାତରେ ଯୁବକ ମୃତ
ବାଣପୁର : ରବିବାର ଅପରାହ୍ଣରେ ବାଣପୁର ବ୍ଳକ ରାଣିପଡା ଗ୍ରାମରେ ଏକ ଦଃୁଖଦ ଘଟଣା ଘଟିଯାଇଛି । ବିଦ୍ୟୁତ ଆଘାତରେ ଜଣେ ଯୁବ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ବଟୁ ଦାସଙ୍କ ସାନ ମଝିଆ ପୁଅ କବିରାଜ ଦାସ (୨୮) । କବିରାଜଙ୍କ ଘର ସମ୍ମୁଖରେ ଏକ ବିଦ୍ୟୁତ ଖୁଣ୍ଟ ରହିଛି । ମଧ୍ୟାହ୍ନରେ କବିରାଜ ଗ୍ରାମରେ ଚାଲିଥିବା ଗଣେଶ ପୂଜା ପେଣ୍ଡାଲ ନିକଟରେ ବୁଲାବୁଲି କରି ଘରକୁ ଫେରିଥିଲେ ।
ତେବେ ଘର ନିକଟରେ କବିରାଜ ବିଦ୍ୟୁତ ସଂସ୍ପର୍ଶରେ ଆସି ଚେତା ଶୂନ୍ୟ ହୋଇପଡିଥିଲେ । ତୁରନ୍ତ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ମାତ୍ର ସେତେ ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଘର ନିକଟ ବିଦ୍ୟୁତ ଖୁଣ୍ଟରେ ବର୍ଷା ଯୋଗୁ ବିଦ୍ୟୁତ ସଂଚରିତ ହୋଇଥିବା ବେଳେ କବିରାଜ ଏହା ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା କବିରାଜଙ୍କ ମାଆ ଉଲ୍ଳାସ ଦେବୀ ଅଭିଯୋଗ କରିଛନ୍ତି ।
ବାଣପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ମୃତ କବିରାଜ ରାଜ୍ୟ ବାହାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟରତ ଥିବା ବେଳେ ନିକଟରେ ଗ୍ରାମକୁ ଫେରିଥିଲେ । ତାଙ୍କର ପତ୍ନୀଙ୍କ ସମେତ ଦୁଇଟି ସନ୍ତାନ ଅଛନ୍ତି । ମୃତକ ପରିବାରକୁ ସରକାରୀ ସହାୟତା ପାଇଁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି । ଏ’ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
Comments are closed.