ଆଗ୍ନେୟଗିରି ଉଦ୍‍ଗିରଣ ଯୋଗୁ ବାଲିରେ ବିମାନ ଚଳାଚଳ ରଦ୍ଦ

0

ଡେନ୍‍ପସର : ଇଣ୍ଡୋନେସିଆର ବାଲି ଦ୍ୱୀପସ୍ଥିତ ଆଗୁଙ୍ଗ ଆଗ୍ନେୟଗିରି ଉଦ୍‍ଗିରଣ ଯୋଗୁ ନିକଟସ୍ଥ ନଗୁରା ରାଏ ବିମାନବନ୍ଦରକୁ ଶୁକ୍ରବାର ବନ୍ଦ ରଖାଯାଇଛି। ଏଠାରୁ ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ବିମାନ ଚଳାଚଳ ରଦ୍ଦ ହୋଇଥିବାରୁ ବାଲିରେ ୨୬ ଜଣ ଓଡ଼ିଆଙ୍କ ସମେତ ହଜାରହଜାର ଯାତ୍ରୀ ଅଟକି ରହିଛନ୍ତି। ଗୁରୁବାରଠାରୁ ଆଗୁଙ୍ଗ ଆଗ୍ନେୟଗିରିରେ ଉଦ୍‍ଗିରଣ ଲାଗିରହିଛି। ଏଥିରୁ ନିଃସୃତ ଧୂଆଁ ଏବଂ ପାଉଁଁଷ ୨୩,୦୦୦ ଫୁଟ ଊର୍ଦ୍ଧ୍ବ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ଆଚ୍ଛାଦିତ ହୋଇରହିଛି। ଆକାଶପଥ ସ୍ପଷ୍ଟ ଦୃଶ୍ୟମାନ ହେଉ ନ ଥିବା ବେଳେ ଏଭଳି ସ୍ଥିତିରେ ବିମାନ ଚଳାଚଳ ଦ୍ୱାରା ପାଇଲଟ୍‍ ବିମାନ ଉପରୁ ନିୟନ୍ତ୍ରଣ ହରାଇବା ତଥା ଇଞ୍ଜିନ ଅଚଳ ହେବା ଆଶଙ୍କା ରହିଥିବା ଆଗ୍ନେୟଗିରି ଉଦ୍‍ଗିରଣ ପରାମର୍ଶ କେନ୍ଦ୍ର ଏବଂ ବରିଷ୍ଠ ପାଇଲଟ୍‍ମାନଙ୍କ ଏକ ଦଳ ତଥା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏଣୁ କର୍ତ୍ତୃପକ୍ଷଙ୍କ ନିର୍ଦେଶ କ୍ରମେ ଅପରାହ୍ଣ ୧୨ଟା ୩୦ ମିନିଟ୍‍ରୁ ବିମାନ ବନ୍ଦରରୁ ସମସ୍ତ ବିମାନ ଉଡାଣ ରଦ୍ଦ କରାଯାଇଛି ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ପରିସ୍ଥିତି ଦେଖି ଉପଯୁକ୍ତ ସମୟରେ ବିମାନ ଚଳାଚଳ ପୁନଃ ଆରମ୍ଭ ହେବ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି। ଅନିଚ୍ଛାକୃତ ସମସ୍ୟା ନିମନ୍ତେ ବିମାନ ବନ୍ଦର କର୍ତ୍ତୃପକ୍ଷ ଯାତ୍ରୀମାନଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି। ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି। ବାଲି ଭ୍ରମଣରେ ଯାଇଥିବା ଓଡ଼ିଆ ବ୍ୟବସାୟୀ ତଥା ସନ୍‍ ରାଇଜ୍‍ ଫୁଟବଲ କ୍ଲବର ସମ୍ପାଦକ ତଡ଼ିତ୍‍ କୁମାର ରାଉତ୍‍ ଏବଂ ତାଙ୍କ ସାଥୀମାନେ ଶୁକ୍ରବାର ସେଠାରୁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ବିମାନ ଚଳାଚଳ ରଦ୍ଦ କାରଣରୁ ସେମାନେ ସେଠାରେ ଅଟକି ରହିଛନ୍ତି। ସମସ୍ତ ଓଡ଼ିଆ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ଉପଯୁକ୍ତ ସମୟ ଦେଖି କର୍ତ୍ତୃପକ୍ଷ ବିମାନ ଚଳାଚଳ ଆରମ୍ଭ କରିବା ପରେ ସେମାନେ ରାଜ୍ୟକୁ ଫେରିବେ ବୋଲି ରାଉତ୍‍ ସୂଚନା ଦେଇଛନ୍ତି। ୨୦୧୭ ନଭେମ୍ବରରେ ଏହି ଆଗ୍ନେୟଗିରି ଉଦ୍‍ଗିରଣ ଯୋଗୁ ୨୯,୦୦୦ ସ୍ଥାନୀୟ ବାସିନ୍ଦାଙ୍କୁ ନିଜ ବାସସ୍ଥାନ ଛାଡି ପଳାୟନ କରିବାକୁ ପଡିଥିଲା। ଆଗ୍ନେୟଗିରି ସନ୍ନିକଟସ୍ଥ ଏହି ବିମାନବନ୍ଦରରେ ୨୪ ଘଣ୍ଟା ପାଇଁ ବିମାନ ଚଳାଚଳ ବନ୍ଦ ରହିଥିଲା। ଫଳରେ ୫୯,୦୦୦ ଯାତ୍ରୀ ସେଠାରେ ଅଟକି ରହିଥିଲେ।

kalyan agarbati
Leave A Reply