ଶୀତ ରାତିର ସାଥୀ : ହାଡଭଙ୍ଗା ଶୀତ, ଅବହେଳିତ ମଣିଷ

ବଲାଙ୍ଗୀର : ହାଡଭଙ୍ଗା ଶୀତ, ଅବହେଳିତ ମଣିଷ। ଶୀତୁଆ ରାତ୍ରିରେ ଘର ଭିତରେ ରହିବା ମୁସ୍କିଲ ହୋଇପଡିଥିବା ବେଳେ ବଲାଙ୍ଗୀରରେ ଏହିଭଳି ଅନେକ ସ୍ଥାନ ରହିଛି ଯେଉଁଠି ଲୋକେ ବିନା ଚାଦରରରେ ରାତ୍ରି ବିତାଇଥାନ୍ତି। ସହର ଭିତରେ ଥିବା ରେଳଷ୍ଟେସନ, ସରକାରୀ ବସଷ୍ଟାଣ୍ଡ, ଡାକ୍ତରଖାନା, ଦୈନିକ ବଜାର ଏମିତି ଅନେକ। କେବଳ ଏହି ସ୍ଥାନ ନୁହଁ ସହରରେ ବହୁ ମାନସିକ ରୋଗୀ କିଏ ରାସ୍ତା କଡରେ ରାତ୍ରି କାଟୁଛି ତ ପୁଣି ଆଉ କିଏ କାହାଘରର ପିଣ୍ଢା ଉପରେ ଶୋଇ ଶୀତୁଆ ରାତ୍ରି କାଟିଦେଉଛି। ସତେ ଯେମିତି ଶୀତୁଆ ରାତି ସେମାନଙ୍କ ସାଥୀ ପାଲଟିଯାଇଛନ୍ତି। ତେବେ ବଲାଙ୍ଗୀରରେ କିଭଳି ରହିଛି ଶୀତୁଆ ରାତି ଦେଖିବା ପାଇଁ ଆମେ ବାହାରିଥିଲୁ ରାତ୍ରିରେ ସହର ବୁଲିବାକୁ।
ବଲାଙ୍ଗୀରରେ ଶୀତୁଆ ରାତ୍ରିରେ ବୁଲିବା ଅନୁଭୁତି କିଛି ଅଲଗା। ଦୋକାନ ବଜାର ବନ୍ଦ, ରାସ୍ତା ଗୁଡିକ ଖାଁ ଖାଁ। କେଉଁଠି କେମିତି ପୁଲିସ କର୍ମଚାରୀ ମାନେ ବିଚରଣ କରୁଥିବାର ଦୃଶ୍ୟ। ରାତ୍ରି ୧୨ଟା ପରେ ଟ୍ରକ ଗୁଡିକ ଯାତାୟାତ ଆରମ୍ଭ ହୋଇଯାଉଥିବା ବେଳେ କାଁ ଭାଁ କେମିତି ରାତ୍ରିକାଳୀନ ବସ୍ ଗୁଡିକ ସହର ରାସ୍ତା ଦେଇ ଚାଲିଯାଉଥାଏ। ଆମେ ପ୍ରଥମେ ବାହାରିଥିଲୁ ବଲାଙ୍ଗୀର ରେଳଷ୍ଟେସନ ଅଭିମୁଖେ। ରାସ୍ତା ଖାଲି ଥିବା ବେଳେ ଷ୍ଟେସନ ଭିତରେ ଦୂରରାସ୍ତା ଯିବା ପାଇଁ ଟ୍ରେନ ଅପେକ୍ଷାରେ ରହିଥିଲେ ଯାତ୍ରୀମାନେ। ରେଳଷ୍ଟେସନକୁ ଯାଇଥିବା ପିଚୁ ରାସ୍ତା ଉପରେ ଅନେକ ଦାମୀ ଗାଡି ଯାଉଥାଏ ଆସୁଥାଏ। କିନ୍ତୁ କାହାରି ନଜର ପଡୁନଥିଲା କିଛି ଶିଶୁଙ୍କ ଉପରେ। ରାସ୍ତା କଡରେ ଗଛ ତଳେ ଶୋଇଥିଲେ ଏକ ପରିବାର। ଚାରି ଜଣ ଶିଶୁ, ଜଣେ ଦମ୍ପତ୍ତି ଶୀତ ରାତ୍ରିରେ ଖୋଲା ଆକାଶ ତଳେ ଶୋଇଥିଲେ। ପାଖରେ ଶୀତବସ୍ତ୍ର ଥିଲା ନା ନାହିଁ ତାହା ଜାଣିବାକୁ ମିଳିନଥିବା ବେଳେ ଏକ ଜରିବସ୍ତାରେ ଏକ କମ୍ବଳ ତିଆରି କରି ସମସ୍ତ ଶିଶୁମାନେ ବେଶ୍ ଆରାମରେ ଶୋଇଥିଲେ। ହାଡଭଙ୍ଗା ଶୀତରେ ଶୋଇ ଦେହ ଥରୁଥିଲା ସିନା କିନ୍ତୁ ନିଘୋଡ ନିଦ୍ରାରେ ଶୋଇବା ଭଳି ନା କିଛି ଶୁଣୁଥିଲେ ନା ଉଠି କାହାକୁ କିଛି କହୁଥିଲେ। ଦୃଶ୍ୟଟି ବେଶ୍ ସମ୍ବେଦନଶୀଳ ଥିବା ବେଳେ ଆମେ ଆଗକୁ ବଢିଥିଲୁ। ଷ୍ଟେସନ ବାହାରେ ବାଇକ ପାର୍କିଂ ପାଇଁ ରହିଥିବା ଖାଲି ସ୍ଥାନରେ ମଧ୍ୟ ଦୃଶ୍ୟ ସମାନ। କିଛି ଲୋକେ ତଳେ ନିଜ ସାମଗ୍ରୀ ରଖି ଆରାମରେ ଶୋଇଥିଲେ। ଯାହା ପାଖରେ ରେଜେଇ ଥିଲା ସେ ଢାଙ୍କି ହୋଇ ଶୋଇଲା। ଯାହା ପାଖରେ ନଥିଲା ଗାମୁଛା ଢାଙ୍କି ହୋଇ ଶୋଇଥିଲା। ତେବେ ଏହା ଯାତ୍ରୀମାନେ ଶୋଇଥିବା ସୂଚନା ମିଳିଥିବା ବେଳେ ଏହିଭଳି ସବୁ ସମୟରେ ଲୋକେ ଶୋଉଥିବା ଜାଣିବାକୁ ମିଳିଥିଲା। ତେବେ ଏମାନଙ୍କ ପାଇଁ କୈାଣସି ବ୍ୟବସ୍ଥା ନଥିବା ଭଳି ମନେ ହୁଏ। ରେଳଷ୍ଟେସନରୁ ବାହାରି ଆମେ ପହଞ୍ଚିଥିଲୁ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ଅଭିମୁଖେ। ଡାକ୍ତରଖାନାରେ ମଧ୍ୟ ଦିନ ଭଳି ଗହଳି ଚହଳି ରହିନଥିବା ବେଳେ ବେଶ୍ ନୀରବ ଓ ଶାନ୍ତ ଲାଗୁଥିଲା ଡାକ୍ତରଖାନା। ଡାକ୍ତରଖାନା ଭିତରେ ପଞ୍ଜିକରଣ କାଉଣ୍ଟର ସାମ୍ନାରେ କିଛି ଲୋକ ଶୋଇଥିଲେ। ପାଖକୁ ଯାଇ ପଚାରିବା ପରେ ସେମାନେ ରୋଗୀଙ୍କ ସଂପର୍କିୟ ବୋଲି ସୂଚନା ଦେଇଥିଲେ। ଡାକ୍ତରଖାନା ଭିତରେ ବେଶୀ ସଂପର୍କିୟଙ୍କୁ ଅନୁମତି ଦିଆଯାଉନଥିବା ବେଳେ ଡାକ୍ତରଖାନାର ୱାର୍ଡ ବାହାରେ ଏହିଭଳି ଅନେକ ଶୋଉଥିବା ବେଳେ ଶୀତରାତ୍ରିରେ ସମସ୍ୟା ଦ୍ୱିଗୁଣିତ ଥିବା ସଂପର୍କୀୟ ମାନେ ପ୍ରକାଶ କରିଥିଲେ। ବଲାଙ୍ଗିର ସରକାରୀ ବସଷ୍ଟାଣ୍ଡରେ ବି ସମାନ ଅବସ୍ଥା। ରିକ୍ସବାଲା, ଭିକାରୀ, କିଛି ଛୋଟିଆ ବ୍ୟବସାୟୀ ମାନେ ଯେଉଁଠି ଟିକିଏ ସୁରକ୍ଷିତ ଲାଗିଲା ସେଠି ରାତ୍ରି କଟାଇଦେଉଛନ୍ତି। ବସଷ୍ଟାଣ୍ଡ ଭିତରେ ଓ ବାହାରେ ଦୋକାନ ସମ୍ମୁଖରେ ଶୋଇଥିଲେ। ବଲାଙ୍ଗିର ଦୈନିକ ବଜାରରେ ଆଉ ଏକ ସମ୍ବେଦନଶୀଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ରାସ୍ତାକଡରେ ଖୋଲା ଆକାଶ ତଳେ ଜଣେ ବୃଦ୍ଧା ନିଜ ଖାଇବା ତିଆରି କରି ଖାଉଥିଲେ। ତାଙ୍କ ଦୃଶ୍ୟ କଏଦ କରିବାକୁ ଚେଷ୍ଟା କରିବାରୁ ସେ କିଛିଟା ଅସହଜ ପ୍ରତିକ୍ରୀୟା ପ୍ରକାଶ କରିଥିଲେ। ତାଙ୍କ ସହ ଆଲୋଚନା କରିବା ପରେ ସେ ନିଜ ଦୁଃଖର କାହାଣୀ ବଖାଣିଥିଲେ। କିଭଳି ତାଙ୍କ ଜାଗାକୁ ଅନ୍ୟମାନେ ମାଡିବସି ଅକ୍ତିଆର କରିନେଇଛନ୍ତି ତାହା କହିଥିଲେ। ଦୈନିକ ବଜାରରେ ଅନେକ ଲୋକ ଏହିଭଳି ଭାବେ ଅବ୍ୟବସ୍ଥିତ ଅବସ୍ଥାରେ ଶୋଇରହିଥିଲେ।
ସହରରେ ବୁଲିବା ସମୟରେ ଏମିତି ଅନେକ ଦୃଶ୍ୟ ସାମ୍ନାକୁ ଆସିଥିଲା ଯାହାକି ସରକାରୀ ବିଧିବ୍ୟବସ୍ଥାର ବିଫଳତା ପଦାରେ ପକାଇଥିଲା। ଏହି ଅବହେଳିତ ଲୋକଙ୍କ ପାଇଁ ଗୃହ ନିର୍ମାଣ ହୋଇ ଉଦଘାଟନ ହୋଇଛି। ଏହି ମାନସିକ ରୋଗୀ, ରିକ୍ସବାଲା ମାନେ ଶୀତ ରାତ୍ରିରେ ଏହିଭଳି ଭାବେ ଶୋଇରହୁଥିବା ବେଳେ ଏମାନଙ୍କ ପାଇଁ ପ୍ରଶାସନ ତରଫରୁ ବ୍ୟବସ୍ଥା କରିବା ଉଚିତ ବୋଲି ସାଧାରଣରେ ଦାବି ହୋଇଛି।

prayash

kalyan agarbati

Comments are closed.