ଶାରଦେଶ୍ୱରୀ ଆୟୁର୍ବେଦ ଡାକ୍ତରଖାନା: ସଫେଇ କର୍ମଚାରୀ ସାଜିଛନ୍ତି ଫାର୍ମାସିଷ୍ଟ, ବାଣ୍ଟୁଛନ୍ତି ଔଷଧ
ବଲାଙ୍ଗିର: ଡାକ୍ତରଙ୍କୁ ଭେଟୁଛନ୍ତି ରୋଗୀ। ଔଷଧ ଚିଠା ଆଣି ମାଗଣା ଔଷଧ ବିତରଣ କେନ୍ଦ୍ରରୁ ଔଷଧ ନେଉଛନ୍ତି। ଔଷଧ ଦେବା ବେଳେ ଖାଲି ପେଟରେ ମହୁ ମିଶାଇ ସକାଳେ ଖାଇବ, ସୋରିଷ ତେଲ ମିଶାଇ ତୈଳ ଯୁକ୍ତ ଔଷଧକୁ ଗୋଡରେ ଲଗାଇବ ବୋଲି ରୋଗୀଙ୍କୁ ଝର୍କା ସେପଟେ ବିତରଣ ଦାୟିତ୍ୱରେ ବସିଥିବା ଯୁବକ ପରାମର୍ଶ ଦେଉଛନ୍ତି। ଔଷଧ ଦେଉଥିବା ଯୁବକଜଣଙ୍କ ନିଶ୍ଚୟ ଡାକ୍ତରଖାନାର ଫାର୍ମାସିଷ୍ଟ! କିନ୍ତୁ ନା….ସ୍ପଷ୍ଟ ଓ ପ୍ରାଞ୍ଜଳ ଭାବେ ଔଷଧ ଖାଇବା ଓ ଉପଲବ୍ଧ ଔଷଧ ରୋଗୀଙ୍କ ହାତକୁ ବଢାଇ ଦେଉଥିବା ଯୁବକଜଣଙ୍କ ଡାକ୍ତରଖାନାର ସଫେଇ କର୍ମଚାରୀ। ସୋମବାର ଭଳି ମଙ୍ଗଳବାର ଡାକ୍ତରଖାନାର ଔଷଧ ବିତରଣ ଦାୟିତ୍ୱରେ ଆଉ ଜଣେ ଯୁବକ। ସେ ବି ଫାର୍ମାସିଷ୍ଟ ନୁହନ୍ତି, ଡାକ୍ତରଖାନାର ଆଟେଣ୍ଡାଣ୍ଟ। ବଲାଙ୍ଗିର ଦୈନିକ ବଜାର ଅଞ୍ଚଳରେ ଥିବା ଶାରଦେଶ୍ୱରୀ ସରକାରୀ ଆୟୁର୍ବେଦ ଡାକ୍ତରଖାନାର ଏହା ହେଉଛି ଏକ ନିଚ୍ଛକ ଛବି। ଫାର୍ମାସିଷ୍ଟଙ୍କ ଅନୁପସ୍ଥିତରେ ସେମାନେ ଔଷଧ ବିତରଣ କରୁଥିବା ଅଭିଯୋଗ ହୋଇଛି।
୧୯୩୮ ମସିହାରେ ଏହି ଡାକ୍ତରଖାନା ପ୍ରତିଷ୍ଠା ହୋଇଥିଲା। ବଲାଙ୍ଗିର ସରକାରୀ ଆୟୁର୍ବେଦିକ ମେଡିକାଲ କଲେଜ ଓ ଡାକ୍ତରଖାନା ଅଧୀନରେ ଏହି ଡାକ୍ତରଖାନା ରହିଛି। ଏଠାରେ କର୍ମଚାରୀ ମନଇଚ୍ଛା ଯିବାଆସିବା କରନ୍ତି। ସେମାନଙ୍କ ଉପରେ କାହାରି ଲଗାମ ନାହିଁ। ପରୀକ୍ଷା ପାଇଁ ଲେବ୍ରୋଟାରୀ ମନଇଚ୍ଛା ଖୋଲୁଥିବା, ରୋଗୀ ଦୀର୍ଘ ଦିନରୁ ଖଟ କବ୍ଜା କରି ରଖିଥିବା ଅଭିଯୋଗ ହେଉଛି। ଏସଂପର୍କରେ ଡାକ୍ତରଖାନାର ଭାରପ୍ରାପ୍ତ ଉପ ଅଧିକ୍ଷକ ଡା.ପ୍ରସନ୍ନ ମିଶ୍ର କହିଛନ୍ତି ଯେ ଅଭିଯୋଗର ସତ୍ୟତା ନାହିଁ, ଡାକ୍ତରଖାନାକୁ ବଦନାମ କରିବା ପାଇଁ କିଛି ଲୋକ ଉଦ୍ୟମ କରୁଛନ୍ତି। ଡାକ୍ତରଖାନାର ସମସ୍ୟା ସଂପର୍କରେ କଲେଜ ଅଧ୍ୟକ୍ଷଙ୍କୁ ଜଣାଇଛୁ। ସେ ହେଲେ ଆମ ଉପରିସ୍ଥ ଅଧିକାରୀ। ଡାକ୍ତରଖାନାର ବିକାଶ ପାଇଁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଛୁ ବୋଲି ଡା.ମିଶ୍ର କହିଛନ୍ତି।
Comments are closed.