ବଦଳୁଛି ମାଓ ରଣନୀତି: ସକ୍ରିୟ ହେଉଛି କେକେବିଏନ୍, ଦୁର୍ବଳ ବିବିଏମ୍
ବଲାଙ୍ଗିର: ପୁଞ୍ଜିପତି ରାଜ ଚାଲିବ ନାହିଁ। ଧନୀ-ଗରିବର ଶ୍ରେଣୀ ଭେଦ ନକରାଯାଇ ସମସ୍ତଙ୍କୁ ସମାନ ଅଧିକାର। ଏଭଳି ମତ ଜରିଆରେ ସାଧାରଣ ଲୋକଙ୍କ ମନରେ ବିଦ୍ରୋହ ତିଆରି କରିବା। ମାଓ ପ୍ରବଣ ଅଞ୍ଚଳଗୁଡ଼ିକରେ ନିଜର ଆଧିପତ୍ୟ ବିସ୍ତାର ଚଳାଇଥିଲେ ମାଓବାଦୀ। ସାଧାରଣ ଲୋକଙ୍କୁ ସାମିଲ କରି ସଂଗଠନକୁ ଦୃଢ କରିବାକୁ ଉଦ୍ୟମ କରୁଥିଲେ। ଓଡ଼ିଶା-ଛତିଶଗଡ ସୀମାରେ ମଧ୍ୟ ମାଓବାଦୀ ସଂଗଠନ ମୁଣ୍ଡ ଟେକିଥିଲେ। ଛତିଶଗଡି ମାଓ କ୍ୟାଡରମାନେ ଆସି ଓଡ଼ିଶା ସୀମାନ୍ତ ବରଗଡ-ବଲାଙ୍ଗିର ଓ ମହାସମୁନ୍ଦ ଡିଭିଜନ୍ ଗଠନ କରିଥିଲେ। ସୀମାନ୍ତ ଜିଲାର ଗ୍ରାମାଞ୍ଚଳ ଯୁବକ, ଯୁବତୀଙ୍କୁ ଲୋଭ ଦେଖାଇବା ସହ ସେମାନଙ୍କ ମନରେ ବିଦ୍ରୋହ ସୃଷ୍ଟି କରି ବନ୍ଧୁକ ଧରାଇଥିଲେ। ବିଶେଷ କରି ବଲାଙ୍ଗିର ଜିଲାର ଖପ୍ରାଖୋଲର ଗନ୍ଧମାର୍ଦ୍ଦନ ପାଦଦେଶରେ ଥିବା ଗାଁଗୁଡ଼ିକୁ ମାଓ ସଂଗଠନ ବିବିଏମର ଅବାଧ ଚଳପ୍ରଚଳ ରହିଥିଲା। ଖପ୍ରାଖୋଲ ସହ ତୁରେକେଲା, ବେଲପଡ଼ା ଓ ମୁରିବାହାଲ ଅଞ୍ଚଳରେ ବି ଅନୁପ୍ରବେଶ କରି ସାରିଥିଲେ ମାଓବାଦୀ। ତେବେ ପୁଲିସ, କେନ୍ଦ୍ରୀୟ ସୁରକ୍ଷା ବଳ ସହ ଲଢେଇ କରିବା ବେଳେ କେତେଜଣ ପ୍ରମୁଖ ସାଥୀଙ୍କୁ ହରାଇଥିଲେ। ସଂଗଠନ ଚଳାଇବା ପାଇଁ ପାଣ୍ଠି ଯୋଗାଡରେ ବି ବିଫଳ ହୋଇଥିଲେ। ଏବେ ବିବିଏମ୍ ମାଓ ସଂଗଠନ ସେତେଟା ସକ୍ରିୟ ନଥିବା ବେଳେ ବଲାଙ୍ଗିର ଜିଲା ପାଇଁ ବିପଦ ବଢାଇଛି କଳାହାଣ୍ଡି-କନ୍ଧମାଳ-ବୌଦ୍ଧ ଓ ନୟାଗଡକୁ ନେଇ ଗଠିତ ମାଓ ସଂଗଠନ କେକେବିଏନ୍। ପଞ୍ଚାୟତ ନିର୍ବାଚନ ପାଇଁ କେକେବିଏନ୍ ରକ୍ତମୁଖା। ଅନ୍ୟପଟେ ବିବିଏମ୍ କେବଳ ଦାୟିତ୍ୱ ତୁଲାଇ ଚୁପ୍ ରହିଛି।
ବଲାଙ୍ଗିର-ବରଗଡ ଓ ମହାସମୁନ୍ଦ ମାଓ ସଂଗଠନ(ବିବିଏମ୍) ଖପ୍ରାଖୋଲର ରାଜକିଶୋର ପଣ୍ଡା, କୃଷ୍ଣ ପୁଞ୍ଜି, ଖପ୍ରାଖୋଲର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପୁଅ ସହ ଅନ୍ୟ କେତେଜଣଙ୍କୁ ପ୍ରଜା କୋର୍ଟରେ ପୁଲିସ ସୂଚନାକାରୀ ଦର୍ଶାଇ ହତ୍ୟା କରି ଭୟ ସୃଷ୍ଟି କରିଥିଲେ।
ରେଙ୍ଗାଲି, ମଶିଣା, ସାନ ତେଲେନପାଲି, ବଡ ତେଲେନପାଲି ସହ ବିଭିନ୍ନ ଅପହଞ୍ଚ ଗାଁଗୁଡ଼ିକରେ ନିଜର ଦବଦବା ଜାହିର କରିଥିଲେ। ତେବେ ବଲାଙ୍ଗିର ପୁଲିସ ପ୍ରଥମେ ଜଣେ ମହିଳା ମାଓବାଦୀଙ୍କୁ ଗଳି କରି ଗଡାଇବା ପରେ ପଛଘୁଞ୍ଚା ଦେବା ଆରମ୍ଭ କରିଥିଲା ବିବିଏମ୍। ଜଣଙ୍କୁ ମାରି ଶତାଧିକ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଥିବା ବିବିଏମ୍ ଓ ପୁଲିସ ମଧ୍ୟରେ ବିଭିନ୍ନ ସମୟ ବ୍ୟବଧାନରେ ଲୁଚକାଳି ଖେଳ ଚାଲିଥିଲା। କିନ୍ତୁ କ୍ରମାଗତ ଭାବେ ଜଣେ ପରେ ଜଣେ ମାଓ ସଂଗଠନର ସଦସ୍ୟ ପୁଲିସ ଗୁଳିର ଶିକାର ହେବା, ବିବିଏମ୍ ପାଣ୍ଠି(ସଂଗଠନ ଚଳାଇବାକୁ ଆବଶ୍ୟକ ଅର୍ଥ) ସଂଗ୍ରହରେ ବିଫଳ ଯୋଗୁଁ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ସଂଗଠନକୁ ଦୁର୍ବଳ ନଦେଖାଇବା ପାଇଁ ବିଭିନ୍ନ ସମୟରେ ବିବିଏମ୍ର କ୍ୟାଡର୍ମାନେ ପଇଁତରା ମାରିବା ସହ ଭୟ ସୃଷ୍ଟି କରୁଥିଲେ ଲୋକଙ୍କ ମଧ୍ୟରେ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିବିଏମ୍ରେ ଛତିଶଗଡି ମାଓ କ୍ୟାଡର୍ଙ୍କ ଦୌରାତ୍ମ ବି ଅନେକ ଓଡ଼ିଆ ମାଓବାଦୀଙ୍କ ପାଇଁ ଅସହ୍ୟ ହୋଇଥିଲା। ବିଶେଷ କରି ମହିଳା କ୍ୟାଡର୍ମାନେ ଲାଞ୍ଛିତ ହେବା ସାଧାରଣ କଥା ପାଲଟି ଯାଇଥିଲା ବିବିଏମ୍ରେ। ତେଣୁ ଓଡ଼ିଆ ମାଓବାଦୀ ବିବିଏମ୍ ସଂଗଠନରୁ ଦୂରେଇବା ଯୋଗୁଁ ସଂଗଠନ ଅବସ୍ଥା ଦୁର୍ବଳ ହୋଇଥିଲା। କିଛି ଦିନ ତଳେ ବିବିଏମ୍ ପକ୍ଷରୁ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ପାଇଁ ଆହ୍ୱାନ ଦେଇଥିବା ବ୍ୟାନର୍ ମିଳିଥିବା ବେଳେ ସେଭଳି କୌଣସି ଅଘଟଣ ସେମାନେ ଘଟାଇ ନାହାନ୍ତି।
କଳାହାଣ୍ଡି ଜିଲା ମହନଗିରି ନିକଟରେ କେକେବିଏନ୍ ପକ୍ଷରୁ ଲଗାଯାଇଥିବା ବ୍ୟାନର୍ ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଯୋଗୁଁ ରୋହିତ ବିଶ୍ୱାଳ ନାମକ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ବାଲିଗୁଡ଼ା ଅଞ୍ଚଳରେ ମଧ୍ୟ କେକେବିଏନ୍ ସଂଗଠନ ଜଣେ ଯୁବକଙ୍କୁ ହତ୍ୟା କରିଥିବା ଜଣାପଡିଛି। ସାମ୍ବାଦିକ ମୃତ୍ୟୁ ପାଇଁ ସଂଗଠନ ପକ୍ଷରୁ ଶୋକ କି ସ୍ପଷ୍ଟିକରଣ ଦିଆଯାଇନି। ହେଲେ କେକେବିଏନ୍ ସଂଗଠନ ଆର୍ଥିକ ଦୃଷ୍ଟିକୋଣରୁ ବେଶ ଶକ୍ତିଶାଳି। ବିଶେଷ କରି ଗଞ୍ଜେଇ ଚାଷ, ଠିକାଦାର, ପୁଞ୍ଜିପତିଙ୍କଠାରୁ ବିପୁଳ ପରିମାଣର ରାଜସ୍ୱ ଆଦାୟ କରୁଥିବା ମାଓ ସଂଗଠନ କେକେବିଏନ୍ ପାଇଁ ବିପଦ ହୋଇଛି ପୁଲିସ ଓ ପ୍ରଶାସନ ସହ କେନ୍ଦ୍ରୀୟ ସୁରକ୍ଷା ବଳ। ପୁଲିସ-ପ୍ରଶାସନ ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ ଉଜାଡି ଦିଆଯାଉଥିବା ବେଳେ ଠିକାଦାର ଓ ପୁଞ୍ଜିପତିମାନେ ଧରାଛୁଆଁ ଦେଉ ନାହାନ୍ତି।
କେକେବିଏନ୍ ସଂଗଠନର ରାଜସ୍ୱ ଉପରେ ଏହାର ପ୍ରଭାବ ପଡୁଛି। ତେଣୁ ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ସହ ନିଜ ଉପସ୍ଥିତି ଓ ଦବଦବା ଦେଖାଇବା ପାଇଁ କେକେବିଏନ୍ ସଂଗଠନ ପଞ୍ଚାୟତ ନିର୍ବାଚନ ବର୍ଜନର ଆଳ ଦେଖାଇ ଏଭଳି ହତ୍ୟା କୌଶଳ ଆପଣାଉଛି। କଳାହାଣ୍ଡି ଜିଲା ସହ ବଲାଙ୍ଗିର ଜିଲାର ଗୁଡଭେଲା ବ୍ଲକର ଗ୍ରାମାଞ୍ଚଳଗୁଡ଼ିକୁ ଜଙ୍ଗଲ ପଥରେ ସଂଯୋଗ ରହିଛି। ତେଣୁ ସେମାନେ ବଲାଙ୍ଗିର ଜିଲା ପାଇଁ ବି ବିପଦ ସୃଷ୍ଟିକାରୀ ହୋଇପାରନ୍ତି ବୋଲି ମାଓ ସଂଗଠନ ସଂପର୍କରେ ଅଭିଜ୍ଞତା ରଖିଥିବା ଲୋକେ ମତ ଦିଅନ୍ତି।
Comments are closed.