ଡାକ୍ତରୀ ଛାତ୍ର ମୃତ୍ୟୁ ମାମଲା: ରାଗିଂ ଅଭିଯୋଗ ଆଣିଲେ ବାପା-ମା ଓ ମାମୁ, ସାଇଣ୍ଟିଫିକ୍ ଟିମର ଛାନଭିନ

ବଲାଙ୍ଗିର: ପୁଅ ଡାକ୍ତରୀ ପାଠ ପଢିବ। ପଢାପଢି ପରେ ଡାକ୍ତର ହେବ। ଏକମାତ୍ର ପୁଅକୁ ନେଇ ଏଭଳି ସ୍ୱପ୍ନ ଦେଖୁଥିଲେ ପ୍ରାଧ୍ୟାପକ ବାପା ଓ ମା’ ତଥା ସଂପର୍କୀୟ। ହରିୟାଣାର ନିଶାନ୍ତ କୁମାର ବଲାଙ୍ଗିର ଭୀମ ଭୋଇ ସରକାରୀ ମେଡିକାଲ କଲେଜରେ ନାମ ଲେଖାଇଥିଲେ। ୧୦ ଦିନ ତଳେ ପରିବାର ଲୋକେ ତାଙ୍କୁ ମେଡିକାଲ କଲେଜରେ ଛାଡି ଯାଇଥିଲେ। ନୂଆ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିବା ବେଳେ ପ୍ରାଥମିକ ପାଠ ପଢା ହେଉଥିଲା। ଶନିବାରଠାରୁ ବିଧିବଦ୍ଧ ଭାବେ ଡାକ୍ତରୀ ପାଠ ପଢା ହୋଇଥାନ୍ତା। ଏହା ପୂର୍ବରୁ ଅଘଟଣ ଘଟିଗଲା। ନିଶାନ୍ତ କୁମାରଙ୍କ ମୃତ୍ୟୁ ହୋଇଗଲା। ସେ ଛାତରୁ ପଡି ପ୍ରାଣ ହରାଇଥିବା କୁହାଯାଉଥିଲେ ବି ଶନିବାର ବାପା, ମା’ ଓ ମାମୁଁ ପହଞ୍ଚି ବରିଷ୍ଠ ଛାତ୍ରଙ୍କ ର୍ୟାଗିଂ ଯୋଗୁଁ ସେ ମାନସିକ ଚାପରେ ଥିଲେ। ସେହି କାରଣରୁ ତାଙ୍କର ମୃତ୍ୟୁ ହୋଇଛି। ଆତ୍ମହତ୍ୟା ନୁହେଁ, ରାଗିଂ ସହି ନପାରି ମାନସିକ ଚାପରେ ତାଙ୍କର ମୃତ୍ୟୁ ହୋଇଛି। ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତ ନିଶାନ୍ତ ରହୁଥିବା ହଷ୍ଟେଲରେ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡୁଥିଲା। ଏଥିସହିତ କଲେଜ କର୍ତୃପକ୍ଷଙ୍କ ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି ମୃତକଙ୍କ ପରିବାର ଲୋକେ। ପୁଲିସ ମଧ୍ୟ ମାମଲାକୁ ଗୁରୁତର ସହ ନେଇଛି। ସାଇଣ୍ଟିଫିକ୍ ଟିମ୍ ଯାଞ୍ଚ କରିଥିବା ବେଳେ ମୃତକଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ମାଟ୍ରିକ, ଯୁକ୍ତ ଦୁଇରେ ଭଲ ପରୀକ୍ଷା ଫଳ କରିଥିଲେ। ବିନା ତାଲିମରେ ସେ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇଥିଲେ। ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢିବା ପାଇଁ ନାମ ଲେଖାଇଥିଲେ। ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ ଥିବା ଡ.କ୍ରିଷ୍ଣ କୁମାର ଓ ସନ୍ତୋଷ କୁମାରଙ୍କ ଏକ ମାତ୍ର ପୁଅ ନିଶାନ୍ତ। ପିଲାଟି ଦିନରୁ ମେଧାବୀ ଛାତ୍ର ଥିଲେ। ଗତ ୧୨ ତାରିଖରେ ପରିବାର ଲୋକେ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଆଣି ଛାଡିଥିଲେ। ସେ ନୂଆ ଶିକ୍ଷାର୍ଥୀଙ୍କ ପାଇଁ ଥିବା ଛାତ୍ରାବାସର ୩୧୨ ନମ୍ବର ପ୍ରକୋଷ୍ଠରେ ଏକୁଟିଆ ରହୁଥିଲେ। ଇତିମଧ୍ୟରେ ନୂଆ ଶିକ୍ଷାର୍ଥୀଙ୍କ ସ୍ୱାଗତ ପର୍ବ ମଧ୍ୟ ଶେଷ ହୋଇଥିଲା। କିଛି କିଛି ବନ୍ଧୁ ଗଢି ଉଠିଥିଲେ ତାଙ୍କର କିନ୍ତୁ ସଂପର୍କ ଘନିଷ୍ଠ ହୋଇ ନଥିଲା। ଶୁକ୍ରବାର ପ୍ରାରମ୍ଭିକ ପର୍ଯ୍ୟାୟ ପାଠ ପଢା ପରେ ସେ ରୁମକୁ ଆସିଥିଲେ। ମଧ୍ୟାହ୍ନ ଭୋଜନ କରି ଅନ୍ତେବାସୀମାନେ ବିଶ୍ରାମ ନେଇଥିଲେ। ଦିନ ପ୍ରାୟ ୩ଟା ବେଳକୁ ଛାତ ଉପରୁ ତଳକୁ କିଛି ପଡିବାର ଶବ୍ଦ ଶୁଣିଥିଲେ ସୁରକ୍ଷା କର୍ମୀ। ଅନ୍ତେବାସୀମାନଙ୍କୁ ଡାକିଥିଲେ। ଏସଂପର୍କରେ କଲେଜର ଡିନ୍ ଡା.ସବିତା ମହାପାତ୍ରଙ୍କୁ ସୂଚନା ଦିଆଯିବା ସହ ଆମ୍ବୁଲାନ୍ସକୁ ଡକାଯାଇଥିଲା। ଭୀମ ଭୋଇ ଡାକ୍ତରଖାନାକୁ ତୁରନ୍ତ ଗୁରୁତର ନିଶାନ୍ତଙ୍କୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମଧ୍ୟାହ୍ନ ଭୋଜନ ପରେ ସମସ୍ତେ ବିଶ୍ରାମ ନେଇଥିବା ବେଳେ ନିଶାନ୍ତ ପ୍ରବଳ ଖରାରେ ଛାତ୍ରାବାସର ସବା ଉପରା ମହଲାକୁ କାହିଁକି ଯାଇଥିଲେ? ଛାତ ଉପରେ ୪ ଫୁଟ ଉଚ୍ଚର ପ୍ରତିରୋଧ ପାଚେରୀ ରହିଥିବା ବେଳେ ସେଠାରୁ ନିଶାନ୍ତ କେମିତି ତଳକୁ ପଡିଗଲେ? ଚପଲ ଛାତ ଉପରେ ଥିବା ବେଳେ ସେ ପଡିଯିବା ପଛର ରହସ୍ୟ କ’ଣ? ଏମିତି ଅନେକ ପ୍ରଶ୍ନ ଉଠିଥିଲା। ଆଉ ସାମ୍ନାକୁ ଆସିଥିଲା ରାଗିଂ ପ୍ରସଙ୍ଗ। କଲେଜ ଡିନ୍ ଡା.ମହାପାତ୍ର କହିଥିଲେ ଯେ, କଲେଜରେ ଛାତ୍ରୀ ନିବାସ ଓ ଛାତ୍ର ନିବାସ ପାଇଁ ଆଣ୍ଟି ରାଗିଂ ସେଲ୍ ରହିଛି। ପ୍ରତିଦିନ ସଂଧ୍ୟା ଓ ରାତିରେ ଆଣ୍ଟି ର୍ୟାଗିଂ ସେଲ୍ ଦାୟିତ୍ୱରେ ଥିବା ପ୍ରାଧ୍ୟାପକମାନେ ଛାତ୍ରଛାତ୍ରୀଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝନ୍ତି। ଯେମିତି ରାଗିଂ ନହେବ ସେଥିପ୍ରତି ଦୃଷ୍ଟି ଦିଅନ୍ତି। ଏଭଳି ପରିସ୍ଥିତିରେ ନିଶାନ୍ତଙ୍କ ମୃତ୍ୟୁ ରାଗିଂ କାରଣରୁ ହୋଇ ନଥିବ ବୋଲି ଡିନ୍ ଡା.ମହାପାତ୍ର କହିଥିଲେ। ମାମଲାର ଗୁରୁତ୍ୱକୁ ଅନୁଭବ କରି ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ମେଡିକାଲ କଲେଜକୁ ଯାଇ ଅନ୍ତେବାସୀଙ୍କ ପ୍ରତିକ୍ରିୟା ଓ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଅନ୍ୟପଟେ ମୃତ ନିଶାନ୍ତଙ୍କ ମୃତଦେହକୁ ଶବାଗାରରେ ଫ୍ରିଜର୍ରେ ରଖାଯାଇଥିଲା। ପରିବାର ଲୋକଙ୍କୁ ସୂଚନା ଦିଆଯିବା ପରେ ଶନିବାର ସକାଳେ ମାମୁଁ ରବିନ୍ଦର କୁମାର ମେଡିକାଲ କଲେଜରେ ପହଞ୍ଚିଥିଲେ। ପୁଲିସ ସାଇଣ୍ଟିଫିକ୍ ଟିମ୍ ଦଳ ମୃତ ନିଶାନ୍ତ ରହୁଥିବା ୩୧୨ ନମ୍ବର ପ୍ରକୋଷ୍ଠରୁ ଆବଶ୍ୟକ ଦସ୍ତାବେଜ ଜବତ କରିଥିଲେ। ଶୁକ୍ରବାରଠାରୁ ପୁଲିସ ମୃତକଙ୍କ ମୋବାଇଲ୍ ଜବତ କରି ରଖିଥିବା ବେଳେ ଆଜି ସାଇଣ୍ଟିଫିକ୍ ଟିମ୍ ନିଶାନ୍ତ ବ୍ୟବହାର କରୁଥିବା ଲାପଟପ୍, କିଛି ନୋଟସ୍, ଡାଏରୀ, ଏକ ବଂଶୀ ଯାଞ୍ଚ ପାଇ ନେଇଥିଲେ। ସେହିପରି ମଧ୍ୟାହ୍ନରେ ସଡକ ପଥରେ ବାପା ଡା.କ୍ରିଷ୍ଣ କୁମାର, ମା’ ସନ୍ତୋଷ ଓ ସଂପର୍କୀୟମାନେ ଆସି ମେଡିକାଲ କଲେଜରେ ପହଞ୍ଚିଥିଲେ। ହାତ ଯୋଡି ମୋ ଏକମାତ୍ର ପୁଅକୁ ଫେରାଇ ଦିଅ। ଏଠି ରାଗିଂ ହୁଏ ନାହିଁ ବୋଲି କହୁଥିଲେ। କିନ୍ତୁ ମୋ ପୁଅକୁ ବାରମ୍ବାର ବରିଷ୍ଠ ଛାତ୍ରମାନେ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିଲେ। ରାତି ୧୨ଟା ଯାଏ ପଡିଆରେ ବସାଉଥିଲେ। ଗାଳିଗୁଲଜ କରୁଥିଲେ। ଗତ ୪ଦିନ ହେଲା ସେ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଫୋନ୍ ଯୋଗେ କହି ଆସୁଥିଲେ ବୋଲି ମା’ ସନ୍ତୋଷ ପ୍ରତିକ୍ରିୟାରେ କହିଛନ୍ତି। ଜଗନ୍ନାଥ ଧାମକୁ ପାଠ ପଢାଇବାକୁ ପଠାଇଥିଲି। ମୋ’ ପୁଅ ଆତ୍ମହତ୍ୟା ନୁହେଁ, ତାକୁ ହତ୍ୟା କରାଯାଇଛି ମା’ ବାହୁନି ବାହୁନି କାନ୍ଦି କହୁଥିଲେ। ଏଥିସହିତ ପୁଅ ରହୁଥିବା ପ୍ରକୋଷ୍ଠକୁ ଯିବା ସହ ଡିନ୍ ଡା.ମହାପାତ୍ରଙ୍କୁ ସାକ୍ଷାତ କରି ଦୁଃଖ ଜଣାଇଥିଲେ। ଡିନ୍ ଡା.ମହାପାତ୍ର ସମବେଦନା ଜଣାଇଥିଲେ ପରିବାର ଲୋକଙ୍କୁ। ଏହାପରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ତୋଫାନ ବାଗ, ସଦର ଥାନା ଅଧିକାରୀ ଶ୍ରୀ କାନ୍ତ ସାହୁ, ସହରାଞ୍ଚଳ ଥାନା ଅଧିକାରୀ କେ.ପ୍ରିୟଙ୍କା ରାଉତରାୟ ପ୍ରମୁଖ ପରିବାର ଲୋକଙ୍କୁ ନେଇ ଶବାଗାରକୁ ଯାଇଥିଲେ। ସେଠାରେ ପୁଲିସ ଆବଶ୍ୟକ କାଗଜପତ୍ର କାମ କରିବା ପରେ ମୃତ ନିଶାନ୍ତଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ତେବେ ନିଶାନ୍ତଙ୍କ ସହପାଠୀମାନେ ରାଗିଂ ନେଇ ମୁହଁ ଖୋଲୁ ନାହାନ୍ତି। ଏଭଳି କିଛି ହେଉ ନଥିବା ସେମାନେ ପ୍ରତିକ୍ରିୟାରେ କହିଥିଲେ। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ, ଜବତ ହୋଇଥିବା ଡାଏରୀ, ଲାପଟପ୍, ମୋବାଇଲ ଛାନଭିନ କଲା ପରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବାହାରି ପାରିବ ବୋଲି ପୁଲିସ ଆଶା ରଖିଥିବା ଏସଡିପିଓ ଶ୍ରୀ ବାଗ ମତ ଦେଇଛନ୍ତି।

Comments are closed.