ଜିଲାପାଳଙ୍କୁ ମିଛ କହିବା ପଡ଼ିଲା ମହଙ୍ଗା, ନିଲମ୍ବିତ ହେଲେ ପୌର ଯନ୍ତ୍ରୀ
ବଲାଙ୍ଗିର: ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣାଙ୍କୁ ମିଛ କହିବା ପୌରପାଳିକାର ଯନ୍ତ୍ରୀ ଗୋଲକବିହାରୀ ସାହୁଙ୍କୁ ମହଙ୍ଗା ପଡିଛି। ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଜଣାପଡିଛି। ଏଥିସହିତ ସେ କରିଥିବା କାମର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ସ୍ଥାନୀୟ କଚେରୀ ଛକରେ ଉଠା ଦୋକାନୀ ଓ ଜବରଦଖଲ ଉଚ୍ଛେଦ କରାଯାଇଥିବା ଦୋକାନୀଙ୍କ ଥଇଥାନ ପାଇଁ ୨ କୋଟି ଟଙ୍କାରେ ନିର୍ମାଣଧୀନ ମାର୍କେଟ କମ୍ପେ୍ଲକ୍ସରେ ବିଦ୍ୟୁତ ବ୍ୟବସ୍ଥା କରାଯାଇଥିବା ଯନ୍ତ୍ରୀ ଶ୍ରୀ ସାହୁ ଜିଲାପାଳ ଶ୍ରୀ ରାଣାଙ୍କୁ କହିଥିଲେ। ଏହି କମ୍ପେ୍ଲକ୍ସରେ ୭୦ରୁ ଅଧିକ ଷ୍ଟଲ ରହିଛି। ୨ବର୍ଷ ହେଲା ନିର୍ମାଣ କାମ ଚାଲିଥିଲେ ବି ସରୁ ନାହିଁ। ତେବେ ଜିଲାପାଳ ସ୍ପଷ୍ଟ ଭାବେ ସୂଚନା ପାଇଥିଲେ ଯେ, ବିଦ୍ୟୁତ ବ୍ୟବସ୍ଥା କରାଯାଇ ନାହିଁ। ତେଣୁ ସେ କମ୍ପେ୍ଲକ୍ସ ପରିଦର୍ଶନ କରିଥିଲେ। ସେଠାରେ ବିଦ୍ୟୁତ ବ୍ୟବସ୍ଥା ହିଁ କରାଯାଇ ନଥିବା ଦେଖିଥିଲେ। ଏମିତିକି ନିର୍ମାଣ ସଂସ୍ଥା ସହ ହୋଇଥିବା ଚୁକ୍ତି ଓ ବ୍ୟୟବରାଦରେ ବିଦ୍ୟୁତ ବ୍ୟବସ୍ଥା ନେଇ କୌଣସି ତଥ୍ୟ ନଥିବା ଜିଲାପାଳ ଜାଣିବାକୁ ପାଇଥିଲେ। ଏହାକୁ ନେଇ ଜିଲାପାଳ ଶ୍ରୀ ରାଣା ଅସନ୍ତୋଷ ପ୍ରକାଶ କରିବା ସହ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି। ଯନ୍ତ୍ରୀ ଶ୍ରୀ ସାହୁ ମିଛ କହି ନିଲମ୍ବିତ ହେବା ଘଟଣା ପୌରପାଳିକାରୁ ପ୍ରଘଟ ହୋଇଥିବା ବେଳେ ମିଛ ମହଙ୍ଗା ପଡିଲା ବୋଲି ଆଲୋଚନା ହେଉଛି। ଜିଲାପାଳଙ୍କୁ ଆଗକୁ ମିଛ କହିଲେ ନିଲମ୍ବନ ହେବାର ସମ୍ଭାବନା ଥିବାରୁ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।
Comments are closed.