ଓଡ଼ିଶାର ଲକ୍ଷ୍ୟ ଅଲିମ୍ପିକ୍‍ ପଦକ : ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶା ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିବା ପରେ ଏବେ ବ୍ୟାଡମିଣ୍ଟନ ଏକାଡେମୀ କରି ଅଲମ୍ପିଆନ୍‍ ସୃଷ୍ଟି କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏହାକୁ ନେଇ ଶୁକ୍ରବାର ସଚିବାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ହାଇଦରାବାଦ୍‍ସ୍ଥିତ ପୁଲୈଲା ଗୋପୀଚାନ୍ଦ ଫାଉଣ୍ଡେସନ୍‍ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ବ୍ୟାଡ୍‍ମିଣ୍ଟନ ଏକାଡ଼େମୀ ପ୍ରତିଷ୍ଠା ଲାଗି ଚୁକ୍ତିମାନା ସ୍ୱାକ୍ଷରିତ ହୋଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଓଡ଼ିଶାକୁ କିଭଳି ଅଧିକ ଅଲିମ୍ପିକ ମେଡ଼ାଲ ମିଳିବ ସେଥିପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି। ରାଜ୍ୟରେ ବ୍ୟାଡ଼ମିଣ୍ଟନ ଖେଳକୁ ପ୍ରୋତ୍ସାହିତ କରିବା ରହିଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ବ୍ୟାଡ୍‍ମିଣ୍ଟନ କ୍ରୀଡ଼ା କ୍ଷେତ୍ରରେ ଆବଶ୍ୟକ ବୈଷୟିକ ଜ୍ଞାନ କøଶଳ ପ୍ରଦାନ କ୍ଷେତ୍ରରେ ଗୋପୀଚାନ୍ଦ ବ୍ୟାଡ଼ମିଣ୍ଟନ ଫାଉଣ୍ଡେସନର ବହୁ ଅଭିଜ୍ଞତା ରହିଛି। ଏହି ଅଭିଜ୍ଞତାକୁ ଓଡ଼ିଶାର ଖେଳାଳୀଙ୍କ ମାଧ୍ୟମରେ ବିଶ୍ୱସ୍ତରରେ ପହଞ୍ଚାଇବା ସହିତ ଅଧିକ ଅଲମ୍ପିକ ମେଡାଲ ଜିତିବା ସରକାରଙ୍କ ଲକ୍ଷ୍ୟ ରହିଛି। ଗୋପୀଚାନ୍ଦ ଦେଶର ଅଲିମ୍ପିକ ମେଡ଼ାଲ ଧାରୀ ଖେଳାଳି ସୃଷ୍ଟି କରିଛନ୍ତି। ଗୋପୀଚାନ୍ଦ ରାଜ୍ୟର ଖେଳାଳିମାନଙ୍କ ଏହି ସ୍ୱପ୍ନକୁ ପୂରଣ କରିବାରେ ସହାୟକ ହେବେ। ଖେଳାଳିଙ୍କ ପ୍ରଶିକ୍ଷଣ ଲାଗି ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ଆଥ୍‍ଲେଟିକ ଫେଡେରେସନ ଅଫ ଇଣ୍ଡିଆର ଚ୍ୟାଲେଞ୍ଜକୁ ଗ୍ରହଣ କରି ରାଜ୍ୟ ସରକାର ୯୦ ଦିନ ମଧ୍ୟରେ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାକୁ ସଫଳତାର ସହିତ ଆୟୋଜନ କରିବାରେ ସଫଳ ହୋଇଥିଲେ। ଯେଉଁଥିରେ ୪୨ଟି ଦେଶର ୧୦୦୦ ଖେଳାଳି ଅଂଶଗ୍ରହଣ କରିଥିଲେ। ଏବେ ଭୁବନେଶ୍ୱରକୁ ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ କରିବା ଲାଗି ସବୁ ପ୍ରକାର ଉଦ୍ୟମ କରାଯାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
କ୍ରୀଡ଼ାର ବିକାଶ ଲାଗି ରାଜ୍ୟ ସରକାର ଆଗେଇ ଆସିଛନ୍ତି। ଓଡ଼ିଶା ଦେଶ ପାଇଁ ଏବେ କ୍ରୀଡ଼ା କ୍ଷେତ୍ରରେ ଆଦର୍ଶ ଓ ଉଦାହରଣ ପାଲଟିଛି ବୋଲି ଭାରତୀୟ ବ୍ୟାଡମିଣ୍ଟନ ଦଳର ମୁଖ୍ୟ ପ୍ରଶିକ୍ଷକ ଗୋପୀଚାନ୍ଦ କହିଛନ୍ତି। ସେ କହିଛନ୍ତି ଯେ ବିଶ୍ୱ ମାନଚିତ୍ରରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ପାଇବାରେ ସକ୍ଷମ ହୋଇଛି। ଏସୀୟ ଦୌଡ଼କୁଦ, ବିଶ୍ୱ ହକି ଲିଗ୍‍, ଆଇଟିଏଫ୍‍ ଭଳି ପ୍ରତିଯୋଗିତା ଆୟୋଜନ କରିଥିବା ବେଳେ ଆଗକୁ ବିଶ୍ୱକପ୍‍ ହକି ପ୍ରତିଯୋଗିତା ଆୟୋଜନ କରିବ। ଦେଶର ଖେଳାଳିଙ୍କୁ ଉତ୍ତମ ପ୍ରଶିକ୍ଷଣ ପାଇଁ ହାଇପର୍ଫମାନ୍‍ସ ଆଥ୍‍ଲେଟିକ୍‍ ଏକାଡ଼େମୀ ଓ କଳିଙ୍ଗ କ୍ରୀଡ଼ା କମ୍ପେ୍ଲକ୍ସ ନିର୍ମାଣ ଲକ୍ଷ୍ୟ ରହିଛି। ବ୍ୟାଡ଼ମିଣ୍ଟନ ଲାଗି ରାଜ୍ୟ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ବଡ ଉପଲବ୍ଧି। ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଯିଏ କି ବ୍ୟାଡ଼ମିଣ୍ଟନର ଉନ୍ନତି ଲାଗି ଏଭଳି ପଦକ୍ଷେପ ନେଇଛି ବୋଲି ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ପି. ଗୋପୀଚାନ୍ଦ କହିଛନ୍ତି। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡା ସଚିବ ବିଶାଳ ଦେବ ଏବଂ ଏକାଡେମୀ ପକ୍ଷରୁ ଗୋପୀଚାନ୍ଦଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଉତ୍ସବ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା, କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି, ଏମ୍‍ଏସ୍‍ଏମ୍‍ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply