ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଗ୍ରାମରକ୍ଷୀ ସଂଘର ଦାବି ମାସିକ ୧୮ଶହ ନୁହେଁ ୧୫ହଜାର ଟଙ୍କା ଦରମା

ବଡ଼ମ୍ବା :  ମା ଭଟ୍ଟାରିକାଙ୍କ ପୀଠରେ ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘର  ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ରାଜ୍ୟ ସଭାପତି ରତ୍ନାକର ନାଏକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟତଃ ଗ୍ରାମରକ୍ଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜଗତସିଂହପୁର, ଯାଜପୁର, କୋରାପୁଟ, ଗଞ୍ଜାମ ଆଦି ବିଭିନ୍ନ ଜିଲାର ସଂଘ ପ୍ରତିନିଧିମାନେ ଏହି ସଭାରେ ଯୋଗଦେଇ ମୁଖ୍ୟତଃ ୧୧ଦଫା ଦାବି ନେଇ ଆଲୋଚନା କରିଥିଲେ। ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଆଦି ରାଜ୍ୟରେ କାର୍ଯ୍ୟରତ ଗ୍ରାମରକ୍ଷୀମାନେ ୧୫ହଜାର ଟଙ୍କାରୁ ଅଧିକ ମାସିକ ଦରମା ସହିତ ଅନ୍ୟାନ୍ୟ ସୁବିଧା ପାଉଥିବା ବେଳେ ଆମ ରାଜ୍ୟରେ ବାରମ୍ବାର ସରକାରଙ୍କୁ ଗୁହାରୀ କଲେ ସୁଦ୍ଧା ମାସିକ ୧୮ଶହ ଟଙ୍କା ଦରମା ମିଲୁଥିବା ନେଇ ଗ୍ରାମରକ୍ଷୀମାନେ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ସଂଘ ଅସନ୍ତୋଷ ପ୍ରକାଶ କରିଛି । ବଜାରରେ ମୂଲ୍ୟ ବୃଦ୍ଧି ସମୟରେ  ସିମୀତ ଦରମାରେ ଗ୍ରାମରକ୍ଷୀମାନେ ପରିବାର ଭରଣପୋଷଣ କରିବା କଷ୍ଟସାଧ୍ୟ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଅଧିନସ୍ଥ ଏହି କର୍ମଚାରୀଙ୍କ ଦୁଃଖ ଦୂରକରିବା ଦିଗରେ ସରକାର ଉଦାସୀନ ରହିବା ବିଡ଼ମ୍ବନା ବୋଲି ବୈଠକରେ ମତପ୍ରକାଶ ପାଇଛି।

prayash

ସଂଘର ୧୧ଦଫା ଦାବି ରାଜ୍ୟ ସରକାରଙ୍କ ପୂରଣ କରିବାକୁ ଏକ ପ୍ରସ୍ତାବ ଅନୁଷ୍ଠିତ ବୈଠକରେ ଗୃହିତ ହୋଇଛି । ବିଧାନସଭାରେ ଉକ୍ତ ଦାବିଗୁଡ଼ିକ ଆଲୋଚନା କରାଯାଇ ସମାଧାନ କରାଯାଉ ବୋଲି ସଂଘ ତରଫରୁ ଅନୁରୋଧ କରାଯାଇଛି । ପ୍ରସ୍ତାବିତ ଦାବିଗୁଡ଼ିକ ହେଲା ଗ୍ରାମରକ୍ଷୀଙ୍କୁ ୪ର୍ଥଶ୍ରେଣୀ କର୍ମଚାରୀ ମାନ୍ୟତାସହ ମାସିକ ୧୫ହଜାର ଟଙ୍କା ଦରମା ଦେବା, ରାଜ୍ୟରେ ପ୍ରତ୍ୟେକ ଜିଲାର ଥାନା, ଫାଣ୍ଡିରେ ଖାଲିଥିବା ଗ୍ରାମରକ୍ଷୀ ପଦବୀ ତୁରନ୍ତ ପୁରଣ କରିବା ସହିତ ନୂତନ ନିଯୁକ୍ତି ସୁବିଧା ଦେବା, ଅବସର ନେଇଥିବା ଅବା ନେବାକୁଥିବା ଗ୍ରାମରକ୍ଷୀଙ୍କ ପେନସନ ବ୍ୟବସ୍ଥା କରିବା, ପୂର୍ବଭଳି ଅବସର ନେଇଥିବା ଗ୍ରାମରକ୍ଷୀଙ୍କ ଜଣେ ପରିବାର ସଦସ୍ୟଙ୍କୁ ଅଗ୍ରାଧିକାର ନିଯୁକ୍ତି ସୁବିଧା ମିଳିବା, ୨୦ଲକ୍ଷ ଟଙ୍କାର ଜୀବନ ବୀମା ସହିତ ଆତତାୟୀଙ୍କ ଦ୍ୱାରା ନିହତ ହେଉଥିବା ଗ୍ରାମରକ୍ଷୀଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର ତୁରନ୍ତ କ୍ଷତିପୁରଣ, ପୋଷାକ ବାବଦକୁ ବର୍ଷକୁ ୨ହଜାର ଟଙ୍କା, କନେଷ୍ଟେବଳ ଓ ସିପାହୀ ନିଯୁକ୍ତି ସମୟରେ କାର୍ଯ୍ୟରତ ଗ୍ରାମରକ୍ଷୀଙ୍କ ପାଇଁ ୧୦ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା, ସୂଚନା ଏବଂ ଗ୍ରାମର ସୁରକ୍ଷାଲାଗି ସାଇକେଲ ଓ ମାଗଣା ମୋବାଇଲ ଫୋନ ପ୍ରଦାନ ସହିତ କଟକରେ ଗ୍ରାମରକ୍ଷୀଙ୍କ ପାଇଁ ଏକ ସ୍ଥାୟୀ କାର୍ଯ୍ୟାଳୟ ଓ ସଭାଗୃହ ବ୍ୟବସ୍ଥା କରିବାକୁ ସଂଘ ଦାବି କରିଛି । ଅନୁଷ୍ଠିତ ବୈଠକରେ ସଂଘର ରାଜ୍ୟ ସମ୍ପାଦକ ସଞ୍ଜୟ କୁମାର ମଲ୍ଲିକ, ଉପସଭାପତି ବାମନ ମଲ୍ଲିକ, କାର୍ଯ୍ୟକାରୀ ସଭାପତି ବେଦାନ୍ତ ହରିଜନ, ସହସମ୍ପାଦକ କିଶୋର ଚନ୍ଦ୍ର ମଲ୍ଲିକ, କୋଷାଧ୍ୟକ୍ଷ ଲଡ଼ୁକେଶ୍ୱର ନାୟକଙ୍କ ସମେତ ୧୫ଜଣିଆ ଉପଦେଷ୍ଟା ମଣ୍ଡଳୀ ଯୋଗଦେଇ ଦାବି ଉପରେ ସବିଶେଷ ଆଲୋଚନା କରିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ସଂଘ ବିକଳ୍ପ ପନ୍ଥା ଆପଣାଇବାକୁ ସ୍ଥିର କରିଥିବା ଏବଂ ଦରକାର ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବା ସହ ବିଧାନସଭା ସମ୍ମୁଖରେ ଗଣଧାରଣା ଦେବାକୁ ପଛାଇବନାହିଁ ବୋଲି ନିଷ୍ପତ୍ତି  ଗ୍ରହଣ କରିଥିବା ସଭାପତି ଶ୍ରୀ ନାଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Comments are closed.