ଗ୍ରାମୀଣ ଅର୍ଥନୀତି ଓ କୃଷିକ୍ଷେତ୍ର ବିକାଶର ସେବକ ସମବାୟ ସମିତି

ବ୍ଲକ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

ବଡ଼ମ୍ବା : ବଡ଼ମ୍ବା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ରବିବାର ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଆନୁକୂଲ୍ୟରେ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ତେବେ ଆଉ ସାହୁକାର କି ମହାଜନ ନୁହେଁ,ଏଣିକି ଗ୍ରାମୀଣ ଅର୍ଥନୀତି ଓ କୃଷିକ୍ଷେତ୍ର ବିକଶିତ ହେବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛି ସେବା ସମବାୟ ସମିତି ସମୂହ । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସ୍ୱଳ୍ପ ଏବଂ ମଧ୍ୟବର୍ତ୍ତିକାଳୀନ ଋଣ ଯୋଗାଇବାସହ ସେମାନଙ୍କ କୃଷିଜାତ ଦ୍ରବ୍ୟ ଧାନ ମଣ୍ଡି ଜରିଆରେ ବିପଣନ କରି ସମବାୟ ସମିତି ସମୂହ ଉଲ୍ଲେଖନୀୟ କାର୍ଯ୍ୟ କରିପାରୁଥିବା ଏହାର ଉଦାହରଣ ବୋଲି ବଡ଼ମ୍ବା ବ୍ଲକସ୍ତରୀୟ ସମବାୟ ସମିତି ଋଣ କର୍ମଶାଳାରେ ଯୋଗଦେଇଥିବା ଅତିଥିମାନେ ଏହି ମତପୋଷଣ କରିଛନ୍ତି ।  ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସୁବାଷଚନ୍ଦ୍ର ପାଢୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କର୍ମଶାଳାରେ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। କଟକ ଜିଲା(୧) ସମବାୟ ନିବନ୍ଧକ ଲକ୍ଷ୍ମୀଧର ସୁବୁଦ୍ଧି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସମବାୟ ବ୍ୟାଙ୍କ ସମୁହ ଗ୍ରାମୀଣ ଜନସାଧାରଣଙ୍କୁ କେଉଁ ପ୍ରକାରର ବ୍ୟାଙ୍କିଙ୍ଗ ସେବା ଓ ଋଣ ସୁବିଧାରେ ଯୋଗାଇପାରୁଛି ତାହା ଉପରେ ଆଲୋକପାତ କରିଥିଲେ। ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଉପାଧ୍ୟକ୍ଷା ସ୍ୱର୍ଣ୍ଣଲତା ବେହେରା, ଜିଲାପରିଷଦ ସଦସ୍ୟ ରବିନ୍ଦ୍ର କୁମାର ସାହୁ, ସ୍ଥାନୀୟ ସମିତି ସଭ୍ୟା ଗୋଲାପ ସାହୁ, ଆଠଗଡ଼ ସହକାରୀ ସମବାୟ ନିବନ୍ଧକ ବଜେନ୍ଦ୍ର କୁମାର ମହାନ୍ତି, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀ ଅଭୟ କୁମାର ଲେଙ୍କା,ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦେଶକ ଜ୍ଞାନରଞ୍ଜନ ପରିଡ଼ା ପ୍ରମୁଖ ଆୟୋଜିତ କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ସମବାୟବିତଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମବାୟ ସମିତି ନିର୍ଦେଶକ ମନୋଜ କୁମାର ଦେହୁରୀ, ରବିନାରାୟଣ ସ୍ୱାଇଁ, ମନୋଜ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିବା ବେଳେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ବଡ଼ମ୍ବା ଶାଖା ପରିଚାଳକ ସଞ୍ଜୟ କୁମାର ମଲ୍ଲିକ ସ୍ୱାଗତ ଭାଷଣ, ଅତିଥି ପରିଚୟ ସହିତ ଧନ୍ୟବାଦ ପ୍ରଦାନ କରିଥିଲେ। ଅନୁଷ୍ଠିତ ଉତ୍ସବରେ ବ୍ଲକ ଅନ୍ତର୍ଗତ ୧୫ଟି ମିଳିତ ଦେୟ ଗୋଷ୍ଠି, ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠି, ୩୦ଜଣଙ୍କୁ ସ୍ୱଳ୍ପ କାଳୀନ ଏବଂ ଜଣଙ୍କୁ ମଧ୍ୟବର୍ତ୍ତିକାଳୀନ ରଣ ଆକାରରେ ସମୁଦାୟ ପ୍ରାୟ ୨୫ଲକ୍ଷ ଟଙ୍କାର ଋଣ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ସେହିଭଳି ୧୦୫ଜଣଙ୍କୁ ନୂତନ କିଷାନ କ୍ରେଡିଟ କାର୍ଡ଼ ପ୍ରଦାନ କରାଯାଇଥିବା ବେଳେ ଶାଖା ସମ୍ପାଦକ ବସନ୍ତ କୁମାର ଜେନା, ପଦ୍ମନାଭ ଘଡ଼େଇ, ତପନ କୁମାର ପ୍ରଧାନ, ବିକାଶ ମହାନ୍ତି, କେଶବଚନ୍ଦ୍ର ତରାସିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.