www.samajalive.in
Monday, December 15, 2025
24.1 C
Bhubaneswar

ଅବହେଳିତ କେନ୍ଦୁଝର ଷ୍ଟାଡିୟମ ; ପ୍ରଶାସନର ନଜର ପଡିବ କେବେ ?

କେନ୍ଦୁଝରଗଡ : ଜିଲାର କ୍ରୀଡା ପ୍ରତିଭା ଚିହ୍ନଟ କରିବା ସହ ଜାତୀୟ ଓ ଆର୍ନ୍ତଜାତୀୟସ୍ତରର ଖେଳାଳୀ ସୃଷ୍ଟି କରିବାରେ ବିଶେଷ ସହାୟକ ହୋଇଥିବା କେନ୍ଦୁଝର ଷ୍ଟାଡିୟମ ଅବହେଳିତ ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଛି । ଜିଲାସ୍ତରୀୟ ସ୍ୱାଧିନତା ଦିବସ ପାଳନ ଠାରୁ ସାଧାରଣତନ୍ତ୍ର ଦିବସ, ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ କ୍ରୀଡା ପ୍ରତିଯୋଗିତା, ଜିଲାସ୍ତରୀୟ ବିଭିନ୍ନ ଖେଳକୁଦ ପ୍ରତିଯୋଗୀତା ସାଙ୍ଗକୁ ବିଭିନ୍ନ ପ୍ରକାର ପ୍ରଶାସନିକ କାର୍ଯ୍ୟକ୍ରମ ଏହି ଷ୍ଟାଡିୟମରେ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଏହାର ଉପଯୁକ୍ତ ତଦାରଖ ଓ ରକ୍ଷଣାବେକ୍ଷଣ ଦିଗରେ ପ୍ରଶାସନିକ ସ୍ଥାଣୁତା କ୍ରୀଡାପ୍ରେମୀ ମହଲରେ ନୈରାଶ୍ୟ ଖେଳାଇ ଦେଇଛି । ରାଜାରାଜୁଡା ଅମଳରୁ ୧୯୪୪ ମସିହାରୁ କାର୍ଯ୍ୟକ୍ଷମ ଏହି ଷ୍ଟାଡିୟମ ୧୯୪୯ରେ ଜିଲା କ୍ରୀଡା ସଂସ୍ଥା ଗଠନ ହୋଇ ୧୯୬୩ରେ ପଞ୍ଜିକୃତ ହେବା ପରଠାରୁ ଅଦ୍ୟାବଧୀ ଏହା ଜିଲା କ୍ରୀଡା ସଂସ୍ଥା ଅଧିନରେ ପରିଚାଳିତ ହୋଇଆସୁଛି। ତେବେ ପ୍ରାୟ ୯୦ବର୍ଷର ଏହି ପୁରାତନ ଷ୍ଟାଡିୟମ ଗତ କିଛିବର୍ଷ ଧରି ଟାଙ୍ଗରା ଭୂଇଁରେ ପରିଣତ ହେବାସହ ଉପଯୁକ୍ତ ତଦାରଖ ଅଭାବ ସାଙ୍ଗକୁ ମରାମତି ଅଭାବରୁ ଏବେ ଏହା ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଷ୍ଟାଡିୟମର ସମ୍ମୁଖ ଭାଗ ମୁଖ୍ୟଫାଟକର ଗ୍ରୀଲ ଭାଙ୍ଗି ପଡିବା କାରଣରୁ ପ୍ରବେଶ ଦ୍ୱାର ମୁକୁଳା ହୋଇ ପଡି ରହିଛି। ସେହିଭଳି ଷ୍ଟାଡିୟମକୁ ଲାଗି ରହିଥିବା ପୁଲିସ ଅଧିକାରୀଙ୍କ ବାସଭବନ ସଂଲଗ୍ନ ଷ୍ଟାଡିୟମ ପାଚେରୀ ଆଜକୁ ବର୍ଷାଧିକ କାଳ ଭାଙ୍ଗି ପଡିବା ଏବଂ ନିକଟରେ ଗତ ୬ମାସ ତଳେ ଷ୍ଟାଡିୟମର ପୂର୍ବ ଦିଗରେ ଥିବା ପାଚେରୀ ଲଗାଣ ବର୍ଷାରେ ଭାଙ୍ଗି ପଡିଥିଲେ ହେଁ ଏହାର ମରାମତି କାର୍ଯ୍ୟ କରାଯାଉ ନଥିବାରୁ ସନ୍ଧ୍ୟା ହେବାମାତ୍ରେ ଏଠାରେ ଅସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବେଶ୍‌ ବୃଦ୍ଧି ପାଇବାରେ ଲାଗିଛି । ଷ୍ଟାଡିୟମର ଭଙ୍ଗା ପାଚେରୀ ନିର୍ମାଣ ପାଇଁ ଜିଲା କ୍ରୀଡା ସଂସ୍ଥା ସମ୍ପାଦକ ଜନାର୍ଦ୍ଦନ ଦାଶ ପ୍ରଶାସନକୁ ଲିଖିତ ଭାବେ ଅବଗତ କରିଥିଲେ ହେଁ ଅଦ୍ୟାବଧି ମରାମତି ନେଇ ସାମାନ୍ୟ ତତ୍ପରତା ପ୍ରକାଶ ନପାଇବା ଖେଳପ୍ରେମୀଙ୍କୁ ନିରାଶ କରିଛି। ସଦର ମହକୁମାର କେନ୍ଦ୍ରସ୍ଥଳରେ ୬ ଏକର ଜମିରେ ଥିବା ଏହି ଷ୍ଟାଡିୟମ ଦେବୋତ୍ତର ଜମିରେ ଥିବା ନେଇ ଜମିର ସତ୍ତ୍ବ ହାସଲ ନିମନ୍ତେ ମାମଲା କୋର୍ଟରେ ବିଚାରାଧିନ ଥିବା ଦର୍ଶାଇ ଏହାର ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ଆଦୌ କରାଯାଉ ନଥିବା ସାଧାରଣରେ ଆଲୋଚନା ହେଉଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯଦି ବିବାଦୀୟ ଜମିରେ ଥିବା ଏହି ଷ୍ଟାଡିୟମରେ ଜିଲା ପ୍ରଶାସନ ପକ୍ଷରୁ ବର୍ଷ ତମାମ କାର୍ଯ୍ୟକ୍ରମ ଆୟୋଜନ ହେବା ସହିତ ଜିଲାସ୍ତରୀୟ ସମସ୍ତ ଖେଳକୁଦ ପ୍ରତିଯୋଗିତା କିଭଳି ଆୟୋଜନ  କରାଯାଉଛି ସେ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରୟା ପ୍ରକାଶ ପାଇଛି । ନିକଟରେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଜିଲା ଗସ୍ତ ଅବସରରେ ଆୟୋଜିତ ସଭାରେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଯୋଗଦେଇ ଜିଲାର ସର୍ବ ପୁରାତନ ଏହି ଷ୍ଟାଡିୟମର ଉପଯୁକ୍ତ ରକ୍ଷଣାବେକ୍ଷଣ ସାଙ୍ଗକୁ ଆବଶ୍ୟକ ମରାମତି କରିବାକୁ ହେଲେ ଅନ୍ୟୁନ ୧ଶହ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ଉପସ୍ଥାପନ କରିଥିଲେ ହେଁ ଏହା କେବଳ ଦାବିରେ ସୀମିତ ରହିଯାଇଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories