ଅଂଶୁଘାତ ପ୍ରତିରୋଧ ଓ ସତର୍କତା ଲାଗି ସଚେତନତା
ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ସମୂହ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ଅଂଶୁଘାତରୁ ପ୍ରତିରୋଧ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ରାଧାଗୋବିନ୍ଦପୁର ପଞ୍ଚାୟତର ଗୋବିନ୍ଦପୁର ଓ ରାଧାମାଧବପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଅଛି । ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶରେ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍ ଅସଲମ୍ ସଂଯୋଜନା କରି ସତର୍କତା ଦ୍ୱାରା ଅଂଶୁଘାତକୁ ପ୍ରତିରୋଧ କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଟାଣ ଖରାରେ ବାହରକୁ ଯାଉଥିଲେ ମୁଣ୍ଡରେ ଓଦା ଗାମୁଛା ଘୋଡାନ୍ତୁ, ଛତା, କଳାଚଷମା ଓ ଚପଲ ବ୍ୟବହାର କରନ୍ତୁ । ଘରେ ଟିଣ ବା ଆଜେବଷ୍ଟସ୍ ଛାତ ଥିଲେ ତା ଉପରେ ନଡା ବିଛାନ୍ତୁ କିମ୍ବା ଧଳା ରଙ୍ଗ ଲେପିବା ପାଇଁ ଶ୍ରୀ ଅସଲମ ପରାମର୍ଶ ଦେଇଥିଲେ । ପ୍ରଚୁର ପରିମାଣରେ ପାଣି, ତୋରାଣି, ପଣା, ଘୋଳଦହି, ସର୍ବତ ଇତ୍ୟାଦି ପିଇବା, ହାଲିଆ ଲାଗିଲେ ଛାଇ ଓ ପବନ ଚଳାଚଳ ସ୍ଥାନ ଅବା ଗଛତଳେ ବିଶ୍ରାମ ନିଅନ୍ତୁ । ଢିଲା ହାଲୁକା ରଙ୍ଗର ସୁତା କପଡା ପିନ୍ଧନ୍ତୁ । ଅଂଶୁଘାତର ପ୍ରତିରୋଧ ପାଇଁ ଦିନ ୧୧ଟାରୁ ୩ଟା ଟାଣ ଖରାକୁ ଯାଆନ୍ତୁ ନାହିଁ କିମ୍ବା ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହରେ ପୀଡିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ । ଅଧିକ ଖରା ସମୟରେ ନିଆଁ ପାଖରେ କୌଣସି କାର୍ଯ୍ୟ ବା ରୋଷେଇ ଆଦି କରନ୍ତୁ ନାହିଁ । ମାଦକ ଦ୍ରବ୍ୟ ଯଥା ମଦ, ବିଡି, ସିଗାରେଟ୍, ତମ୍ବାଖୁ ଇତ୍ୟାଦି ସେବନ କରନ୍ତୁ ନାହିଁ। ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କ ଦେହରେ କେବେହେଲେ ବରଫ ଘଷନ୍ତୁ ନାହିଁ । କୌଣସି ବ୍ୟକ୍ତିଙ୍କ ଠାରେ ଅଂଶୁଘାତର ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ। ଗ୍ରୀଷ୍ମ ପ୍ରବାହ ସମୟରେ କେହି ହଠାତ୍ ଅସୁସ୍ଥ ଅନୁଭବ କଲେ ତାଙ୍କ ଚିକିତ୍ସାରେ ଆଦୌ ଅବହେଳା କରନ୍ତୁ ନାହିଁ । ମେଘା ସେକ୍ଟର ୩୩ଗୋଟି ଗାଁ କଲ୍ୟାଣ ସମିତି ମାଧ୍ୟମରେ ଜଳଛତ୍ର, ଓଆରଏସ୍ ବଣ୍ଟନ, ଓ ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା, ସ୍ୱାସ୍ଥ୍ୟକାନ୍ଥରେ ଲିଖନ ସହ ଘରେ ଘରେ ସଚେତନତା କରାଯାଉଛି ବୋଲି ଶ୍ରୀ ଅସଲମ ସୂଚାଇଥିଲେ । ଏଥି ନିମନ୍ତେ କୌଣସି ପରାମର୍ଶ, ଆଶୁଚିକିତ୍ସା ଓ ପ୍ରେରଣା ବିନାମୂଲ୍ୟରେ ଯୋଗାଇ ଦିଆଯାଉଅଛି। ଅଧିକ ସେବା ଓ ସଚେତନତା ପାଇଁ ଆଶାକର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ଯୋଗାଯୋଗ କରିବାକୁ ସ୍ୱାସ୍ଥ୍ୟ ପରିଦର୍ଶକ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ବିଜୟ କୁମାର ଜେନା, ସିଏଚଓ ଜ୍ୟୋସ୍ନାରାଣୀ ମହାନ୍ତି, ଅଙ୍ଗନବାଡି କର୍ମୀ ସସ୍ମିତା ସେଠୀ, ଆଶାକର୍ମୀ ଆରତୀ ବେଉରା, ମହିଳା ସ୍ୱୟଂ ସହାୟକ ଦଳ ଓ ଗାଁ କଲ୍ୟାଣ ସମିତିର ସଭ୍ୟ-ସଭ୍ୟା ଯୋଗଦେଇ ସହଯୋଗର ହାତ ବଢାଇଥିଲେ।
Comments are closed.