ସିରିଆ ଉପରେ ଆମେରିକାର ରକେଟ୍‍ ଆକ୍ରମଣ

0

ୱାଶିଂଟନ୍‍: ରାସାୟନିକ ଅସ୍ତ୍ର ଶକ୍ତି ସମ୍ପନ୍ନ ସିରିଆ ଉପରେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏଥିରେ ଆମେରିକାକୁ ଫ୍ରାନ୍ସ ଓ ବ୍ରିଟେନ୍‍ ସହଯୋଗ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦେଶକ୍ରମେ ଜଳ ଓ ଆକାଶ ମାର୍ଗରୁ ସିରିଆ ଉପରକୁ ମିଜାଇଲ୍‍ ଓ ରକେଟ୍‍ ଆକ୍ରମଣ ଆରମ୍ଭ ହୋଇଛି। ସିରିଆ ରାଜଧାନୀ ଡାମାସକସ୍‍ରେ ପ୍ରଥମ ଆକ୍ରମଣ ହୋଇଥିବା ବେଳେ ସେଠାରୁ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଭୁଛି। ସିରିଆର ରାଷ୍ଟ୍ରମୁଖ୍ୟ ବାସାର ଅଲ୍‍ ଆସାଦ୍‍ ରାସାୟନିକ ଅସ୍ତ୍ର ପ୍ରୟୋଗ ଉଦ୍ୟମରୁ କ୍ଷାନ୍ତ ନ ହେବା ପର୍ଯ୍ୟନ୍ତ ଏହି ଆକ୍ରମଣ ଜାରି ରହିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ସେହିପରି ସିରିଆକୁ ସମର୍ଥନ ଓ ସହାୟତା ଯୋଗାଇ ଦେଉଥିବା ରୁଷିଆ ଓ ଇରାନ୍‍କୁ ମଧ୍ୟ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କଟୁ ଭାଷାରେ ସମାଲୋଚନା କରିଛନ୍ତି। ଅପରପକ୍ଷରେ ଏହି କାର୍ଯ୍ୟାନୁଷ୍ଠାନର ପରିଣତି ଭୟାବହ ହେବ ବୋଲି ରୁଷିଆ ପକ୍ଷରୁ ଆମେରିକା ଓ ମିଳିତ ସେନାକୁ ଚେତାବନୀ ଦିଆଯାଇଛି। କେବଳ ସିରିଆର ରାସାୟନିକ ଅସ୍ତ୍ରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ପାଇଁ ହିଁ ଏହି ଆକ୍ରମଣ ହେଉଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀ ଟେରେସା ମେ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‍ ମାକ୍ରନ କହିଛନ୍ତି। ଗତ ସପ୍ତାହରେ ରାସାୟନିକ ଅସ୍ତ୍ର ପ୍ରୟୋଗ ଫଳରେ ସିରିଆରେ ୬୦ ଜଣଙ୍କ ମୃତ୍ୟୁ ଘଟିଥିଲା।

Leave A Reply