ଫେରାର ଅଭିଯୁକ୍ତ ଗିରଫ

ଆଠଗଡ: ଆଠଗଡ, ଖୁଣ୍ଟୁଣୀ ଓ ତିଗିରିଆ ଥାନା ଅଧିନରେ ଥିବା କେତେକ ଗ୍ରାମରେ ମଦପ୍ରସ୍ତୁତି ଓ ଚାଲାଣ ଏକ କୁଟୀରଶିଳ୍ପରେ ପରିଣତ ହୋଇଛି। ଆଠଗଡର କୋରଙ୍ଗା, ତିଗିରିଆର ଭିରୁଡା, ପଣସପାଟଣା, ଖୁଣ୍ଟୁଣୀ ଥାନା ଅଧିନ ଡାଳୁଆ, ଖଣ୍ଡୁଆଳୀ ଓ କଅଁସର ଅଞ୍ଚଳରେ ଶତାଧିକ ଚୋରା ମଦଭାଟିରେ ପ୍ରସ୍ତୁତ ହେଉଥିବା ହଜାର ହଜାର ଲିଟର ମଦ ପ୍ରତିଦିନ ବିଭିନ୍ନ ଚାରିଚକିଆ ଓ ଦୁଇଚକିଆ ଯାନରେ କଟକ ସହର ସମେତ ଜିଲାର ବିଭିନ୍ନ ସ୍ଥାନ, ଭୁବନେଶ୍ୱର, ଢେଙ୍କାନାଳ ଓ ଚୌଦ୍ୱାର ଆଦି ଅଞ୍ଚଳକୁ ଚାଲାଣ ହୋଇଥାଏ।

ଗତ ଫେବୃଆରୀ ୨୩ତାରିଖରେ ଏକ ସୁଜୁକି କ୍ୟାରିଅର ପିକ୍‌‌ଅପ୍‌‌ ଭ୍ୟାନରେ ୧୮୯୦ଲିଟର ଦେଶୀମଦ କଟକ ଚାଲାଣ ହେଉଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ଗୋଡିଝରିଆ ଠାରେ ଚଢାଉ କରାଯାଇ ଗାଡି ସହିତ ମଦ ଜବତ କରାଯିବା ସଙ୍ଗେ ସଙ୍ଗେ ଗାଡି ମାଲିକ ତଥା ଚାଳକ ଗୋଡିଝରିଆର ଏସପି ସନ୍ଦୀପ କୁମାରଙ୍କୁ ଗିରଫ କରାଯାଇଥିଲା। ପଚରାଉଚୁରା ବେଳେ ଅବକାରୀ ବିଭାଗ ତାଙ୍କଠାରୁ ଏଥିରେ ସଂପୃକ୍ତ ତାଙ୍କର ସହଯୋଗୀ ସାନମୁଣ୍ଡଳି ଗ୍ରାମର ଦୁଷ୍ମନ୍ତ ଲେଙ୍କା ଓରଫ ଧକୁଙ୍କ ବିଷୟରେ ଜାଣିବାକୁ ପାଇଥିଲେ।

ସନ୍ଦୀପ ଓ ଦୁଷ୍ମନ୍ତ ଦୁହେଁ ମିଶି ଏହି ବ୍ୟବସାୟ କରିବା ସହ ନିୟମିତ ଚୋରା ମଦ କଟକ ଓ ଆଖପାଖ ଅଞ୍ଚଳକୁ ଚାଲାଣ କରୁଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିଲା। କଟକ ଜିଲା ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ସକାଳେ ସାନମୁଣ୍ଡଳିରେ ଆଠଗଡ ଅବକାରୀ ନିରୀକ୍ଷକ ହେମନ୍ତ ମହାନନ୍ଦିଆ, ଉପନିରୀକ୍ଷକ ଅରୁଣ କୁମାର ଭୋଇ, କଟକ ସଦର ନିରୀକ୍ଷକ ଶୃତିକାନ୍ତ ରାଉତ ଓ ଜିଲା ଅବକାରୀ ଗୁଇନ୍ଦା ସଂସ୍ଥାର ନିରୀକ୍ଷକ କମଳ ଲୋଚନ ପାଇକରାୟ ସଦଳବଳେ ଚଢାଉ କରି ଦୁଷ୍ମନ୍ତ ଓରଫ ଧକୁକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ।

Comments are closed.