ମା କାଳିକା କାମନାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

ଆଠଗଡ: ଆଠଗଡ ବ୍ଲକର ବେଣ୍ଟପଦା ପଞ୍ଚାୟତ ଅଧିନ ଧନୁର୍ଜୟପୁର ଠାରେ ମା କାଳିକା କାମନାଙ୍କର ନୂତନ ମନ୍ଦିର ଏକ ଭକ୍ତିମୟ ତଥା ପବିତ୍ର ପରିବେଶରେ ପ୍ରତିଷ୍ଠିତ ହୋଇଯାଇଛି। ଦୋଳପୂର୍ଣ୍ଣିମା ଅବସରରେ ସୋମବାର ଅଙ୍କୁରାରୋପଣ ଓ ଅଧିବାସ ହୋଇଥିବାରୁ ମଙ୍ଗଳବାର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଜଳକଳସ ଧାରଣ କରି ଏକ ଶୋଭାଯାତ୍ରାରେ ନୂତନ ମନ୍ଦିରର ଯଜ୍ଞମଣ୍ଡପ ନିକଟରେ ପହଞ୍ôଚବା ପରେ ଘଟସ୍ଥାପନ କରାଯାଇଥିଲା। ସେହି ଦିନ ସୂର୍ଯ୍ୟାର୍ଘ୍ୟ, କ୍ଷେତ୍ରପାଳ ପୂଜା, ସର୍ବ ଦେବାଦେବୀ ପୂଜା ପରେ ଯଜ୍ଞ କୁଣ୍ଡରେ ଅଗ୍ନିସ୍ଥାପନ କରାଯିବା ସହ ଯଜ୍ଞାରମ୍ଭ ହୋଇଥିଲା।

ବୁଧବାର ସୂର୍ଯ୍ୟପୂଜା, ଗୋପୂଜା ପରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ ହେବା ସହ ଯଜ୍ଞାହୁତି ଓ ସିଂହାସନ ପ୍ରତିଷ୍ଠା ସଙ୍ଗେ ସଙ୍ଗେ ନ୍ୟାସ ଓ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଗୁରୁବାର ସର୍ବଦେବାଦେବୀ ପୂଜା, ଠାକୁରାଣୀ ପରିକ୍ରମା ପରେ ଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା। ତେବେ ନୂତନ ମନ୍ଦିରରେ ମା ଙ୍କ ବିଗ୍ରହ ଆସନ୍ତା ଏପ୍ରିଲ ୧ ତାରିଖ ମେରୁ ବା ଦଣ୍ଡଯାତ୍ରା ଆରମ୍ଭ ପୂର୍ବରୁ ପ୍ରତିଷ୍ଠା ହେବ ବୋଲି ଆୟୋଜକ ଧନୁର୍ଜୟପୁର ଗ୍ରାମବାସୀଙ୍କ ସୁତ୍ରରୁ ପ୍ରକାଶ। ଏହି ଆଧ୍ୟାତ୍ମିକ କାର୍ଯ୍ୟରେ ଧନୁର୍ଜୟପୁର ଏବଂ ବେଣ୍ଟପଦାର ଆଖପାଖ ଗ୍ରାମାଞ୍ଚଳର ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖାଯାଇଛି। ନବନିର୍ମିତ ମା ଙ୍କର ଏହି ମନ୍ଦିର ପ୍ରତିଷ୍ଠାରେ ଗ୍ରାମବାସୀ ଅକୁଣ୍ଠ ଚିତ୍ତରେ ସାହାଯ୍ୟ ସହଯୋଗ କରିଥିଲେ।

Comments are closed.