ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ, ସମୀକ୍ଷା କଲେ କେନ୍ଦ୍ରୀୟ ଦଳ

ଆଠଗଡ: ଆଠଗଡ ଏନଏସି ଅଞ୍ଚଳରେ ଗତ ଫେବୃଆରୀ ୧୦ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ଚାଲିଥିବା ବାତଜ୍ୱର ନିରାକରଣ ପାଇଁ ସାମୁହିକ ବାତଜ୍ୱର ଔଷଧ ସେବନ ଅଭିଯାନ କାର୍ଯ୍ୟକ୍ରମକୁ ଏକ କେନ୍ଦ୍ରୀୟ ଦଳ ଦ୍ୱାରା ସମୀକ୍ଷା କରାଯାଇଥିଲା। ଜାତୀୟ କୀଟବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଓ ଉପଖଣ୍ଡ ଚିକିତ୍ସାଳୟର ମିଳିତ ଆନୁକୁଲ୍ୟରେ ଏନଏସିର ୧୮ଟି ଯାକ ୱାର୍ଡରେ ଘରକୁ ଘର ବୁଲି ଏବଂ ବିଭିନ୍ନ ସ୍କୁଲ, କଲେଜ ଓ କାର୍ଯ୍ୟାଳୟରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଶୁକ୍ରବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କେନ୍ଦ୍ର ଓ ରାଜ୍ୟର ଏକ ଦଳ ମିଳିତ ଭାବେ ଆଠଗଡ ଆସି ଉପଖଣ୍ଡ ଡାକ୍ତରଖାନାରେ ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ବାତଜ୍ୱର ନିରାକରଣ ପାଇଁ ଅନୁଷ୍ଠିତ ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା ବରିଷ୍ଠ ସେକ୍ଟର ଅଧିକାରୀ ମହମ୍ମଦ ଅସଲମଙ୍କ ସହ ଉକ୍ତ ପ୍ରତିନିଧି ଦଳ ସହରର ବିଭିନ୍ନ ଅଞ୍ଚଳ ବୁଲି ବାତଜ୍ୱର ରୋଗୀ ଏବଂ ସାଧାରଣ ଲୋକଙ୍କୁ ଔଷଧ ସେବନ ସଂପର୍କରେ ପଚାରି ବୁଝିଥିଲେ।

ଏହି କେନ୍ଦ୍ରୀୟ ଦଳରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜାତୀୟ ବୃତ୍ତିଗତ ଅଧିକାରୀ ଡାକ୍ତର କମଳା କର, ବାତଜ୍ୱର ଉପଦେଷ୍ଟା ଡାକ୍ତର ଭି ଲା, ଇଆଇଏସ ଅଧିକାରୀ ଧନଲକ୍ଷ୍ମୀ, ରାଜ୍ୟ ସଂଯୋଜକ ଡାକ୍ତର ଭି ପି ଦତ୍ତ, ଆଞ୍ଚଳିକ ସଂଯୋଜକ ଡାକ୍ତର ନିଶିଥ୍‌‌ ଦାଶ, ଜିଲ୍ଲା କୀଟବାହିତ ରୋଗ କାର୍ଯ୍ୟକ୍ରମ ପରିଦର୍ଶକ ବିଜୟ କୁମାର ବେଉରା ପ୍ରମୁଖ ଆସି କାର୍ଯ୍ୟକ୍ରମର ସମୀକ୍ଷା କରିବା ପରେ ଏହା ସୂଚାରୁରୂପେ ଓ ସଫଳତାର ସହ ଆୟୋଜନ କରାଯାଇଥିବାରୁ ଶ୍ରୀ ଅସଲମଙ୍କ ସମେତ ଏଥିରେ ନିୟୋଜିତ ସାମୁହିକ ଔଷଧ ସେବନ ସେନା, ଆଶା ଓ ଅଙ୍ଗନବାଡି କର୍ମୀ ଏବଂ ସ୍ୱେଚ୍ଛାସେବୀଙ୍କୁ ପ୍ରଶଂସା କରିଥିଲେ। ଆଠଗଡରୁ ବାତଜ୍ୱରମୁକ୍ତ କରିବା ପାଇଁ ଏହି ଅବସରରେ ସଂକଳ୍ପ କରାଯାଇଥିଲା। ଡାକ୍ତରଖାନା ପରିଚାଳକ ରୋଜାଲିନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.