ଆଠଗଡ଼: ଆଠଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତ ଅଧିନ ୭୧ଟି ରାଜସ୍ୱ ଗ୍ରାମକୁ ସିଡିଏରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟସରକାରଙ୍କ ପ୍ରସ୍ତାବକୁ ଯୁବ ସଂଗଠକ ତଥା ସାମାଜିକ କର୍ମୀ ଅଭୟ କୁମାର ବାରିକ ବିରୋଧ କରିଛନ୍ତି। ଆଠଗଡ଼କୁ ଜିଲ୍ଲା ମାନ୍ୟତା ଦିଆନଯାଇ ଏହାର ଭୌଗଳିକ ସ୍ଥିତିକୁ ସଂକୁଚିତ କରିବା ପାଇଁ ଏହା ଏକ ହୀନ ଷଡଯନ୍ତ୍ର ବୋଲି ଶ୍ରୀ ବାରିକ କହିବା ସହ ଏହାକୁ ସଂପୃକ୍ତ ଗ୍ରାମାଞ୍ଚଳର ଲୋକେ ବିରୋଧ କରୁଛନ୍ତି ବୋଲି ସେ କହିଥିଲେ। ଗତ ମାର୍ଚ୍ଚ ୩୧ରେ ରାଜ୍ୟ ନଗର ଉନୟନ ବିଭାଗ ଆଠଗଡ଼ର ୭୧ଟି ଗ୍ରାମକୁ ସିଡିଏରେ ମିଶାଇବା ପାଇଁ ପ୍ରସ୍ତାବର ବିଜ୍ଞପ୍ତିର ପ୍ରକାଶ କରିଥିଲେ ମଧ୍ୟ ଆପତ୍ତି ଅଭିଯୋଗ ପାଇଁ ଅନଲାଇନ ପୋର୍ଟାଲ ନଦିଆଯିବା କାରଣ ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ଗ୍ରାମବାସୀ ବିଚାର କରୁଛନ୍ତି। ଏଭଳି ଏକ ନିଷ୍ପତ୍ତି ନେବା ପୂର୍ବରୁ ସଂପୃକ୍ତ ଗ୍ରାମଗୁଡିକର ଅଧିବାସୀଙ୍କ ମତାମତକୁ ପ୍ରାଧାନ୍ୟ ଦିଆଯିବା ଉଚିତ ଥିଲା। କିନ୍ତୁ ଏକତରଫା ଭାବେ ଏହି ନିଷ୍ପତ୍ତି ନିଆଯାଇଥିବାରୁ ସଂପୃକ୍ତ ଗ୍ରାମବାସୀ ବିରୋଧ କରିଛନ୍ତି।
ଏହି ବିଷୟକୁ ନେଇ ଏହା ବିରୋଧରେ ଏକ ସ୍ମାରକପତ୍ର ଶ୍ରୀ ବାରିକଙ୍କ ନେତୃତ୍ୱରେ ମିଶ୍ରଣ ହେଉଥିବା ଅଞ୍ଚଳର ଗ୍ରାମବାସୀ ଶୁକ୍ରବାର ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା, ଓ ବିଭାଗୀୟ ସଚିବଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ଏଥି ସହିତ ସେମାନେ ବିଜୁଜନତା ଦଳର କାର୍ଯ୍ୟନିର୍ବାହୀ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ଭେଟି ଦାବିପତ୍ରର ନକଲ ପ୍ରଦାନ କରି ନଗର ଉନ୍ନୟନ ବିଭାଗର ଏହି ବିବାଦୀୟ ପ୍ରସ୍ତାବକୁ ପ୍ରତ୍ୟାହାର କରିବା ପାଇଁ ଦାବି ଜଣାଇଥିଲେ। ଖୁବ୍ ଶୀଘ୍ର ଶ୍ରୀ ବାରିକଙ୍କ ନେତୃତ୍ୱରେ ସଂପୃକ୍ତ ଗ୍ରାମଗୁଡିକର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ସାକ୍ଷାତ କରି ସେମାନଙ୍କର ଅସନ୍ତୋଷ ଜଣାଇବେ ବୋଲି କହିଛନ୍ତି।



