ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଡଲାର ବିନିମୟ ତୁଳନାରେ ଟଙ୍କା ମୂଲ୍ୟ ମଜଭୁତ ହେବାର ସୁଫଳ ତେଲକମ୍ପାନୀ ଗୁଡ଼ିକୁ ମିଳିଛି। ଫଳରେ ବିମାନ ଇନ୍ଧନ (ଏଟିଏଫ୍) ଦାମ ୧୪.୭% (କିଲୋ ଲିଟର ପିଛା ୯,୯୦୦ ଟଙ୍କା) ହ୍ରାସ ପାଇଛି। ଏହା ହେଉଛି ଆଜିପର୍ଯ୍ୟନ୍ତ ହୋଇଥିବା ଏଟିଏଫ ଦାମରେ ସବୁଠୁ ବଡ଼ ହ୍ରାସ। ଏହି ହ୍ରାସ ସହ ଏଟିଏଫ୍ ମୂଲ୍ୟ ପ୍ରତି କିଲୋ ଲିଟର ୫୮,୦୬୦.୯୭ ଟଙ୍କା ହୋଇଛି।
ପ୍ରକାଶଯୋଗ୍ୟ ଯେ ୧ କିଲୋ ଲିଟର ହେଉଛି ୧୦୦୦ ଲିଟର। ଏହି ହିସାବରେ ଏଟିଏଫ୍ ପ୍ରତି ଲିଟର ଦର ୫୮ ଟଙ୍କା ୬ ପଇସା ହୋଇଛି। ଏହାସହ ଏଟିଏଫ ଦାମ ପେଟ୍ରୋଲ ଓ ଡିଜେଲ ଦାମଠାରୁ ବି ଅଧିକ ଶସ୍ତା ହୋଇଛି। ଏବେ ଜାତୀୟ ରାଜଧାନୀ ଦିଲ୍ଲୀରେ ପୋଟ୍ରୋଲ ଦର ଲିଟର ପିଛା ୬୮ ଟଙ୍କା ୬୫ ପଇସା ଓ ଡିଜେଲ ଦର ଲିଟର ପିଛା ୬୨ ଟଙ୍କା ୬୬ ପଇସା ରହିଛି। ଏପରିକି ଏଟିଏଫର ବର୍ତ୍ତମାନର ମୂଲ୍ୟ ମୁମ୍ବଇ ଅଣରିଆତି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳୁଥିବା କିରୋସିନିଠାରୁ ବି କମ୍ ହୋଇଯାଇଛି। ବର୍ତ୍ତମାନ ମୁମ୍ବଇରେ ଅଣରିଆତି ପିଡିଏସ୍ କିରୋସିନି ପ୍ରତି ଲିଟର ଦର ୫୯ଟଙ୍କା ୫୩ ପଇସା ରହିଛି। ପ୍ରତି ବର୍ଷ ପ୍ରାରମ୍ଭ ଦିନରେ ତେଲକମ୍ପାନୀଗୁଡ଼ିକ ଏଟିଏଫ ମୂଲ୍ୟରେ ସଂଶୋଧନ କରିଥାନ୍ତି। ଏହା ପୂର୍ବରୁ ୨୦୧୮ ଆରମ୍ଭରେ ଏଟିଏଫ କିଲୋ ଲିଟର ମୂଲ୍ୟ ୮,୩୭୨.୮୩ ଟଙ୍କା ହ୍ରାସ କରାଯାଇଥିଲା।
ବିମାନ ଇନ୍ଧନ ହେଲା ପେଟ୍ରୋଲ ଓ ଡିଜେଲଠାରୁ ଶସ୍ତା
Popular Categories



