ଆଠଗଡରେ ଚନ୍ଦନ ଯାତ୍ରା ଉଦ୍ଯାପିତ
ଆଠଗଡ : ଆଠଗଡରେ ଗତ ଦୁଇଦିନ ଧରି ଚାଲିଥିବା ଚନ୍ଦନ ଯାତ୍ରା ଉଦ୍ଯାପିତ ହୋଇଯାଇଛି । ଶୁକ୍ରବାର ଓ ଶନିବାର ସନ୍ଧ୍ୟାରେ ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ, ଶ୍ରୀ ରାଧାଗୋବିନ୍ଦ, ଶ୍ରୀ ରଘୁନାଥ, ଶ୍ରୀ ଯଜ୍ଞନାରାୟଣ ଏବଂ ଶ୍ରୀ ଲକ୍ଷ୍ମୀନୃସିଂହ ଦେବଙ୍କ ଚଳନ୍ତି ପ୍ରତିମାକୁ ସୁସଜ୍ଜିତ ବିମାନରେ ବିରାଜମାନ କରାଇ ବାଜା, ବାଣ ଓ ରୋଷଣିରେ ଏକ ଭବ୍ୟ ପଟୁଆରରେ ସହର ପରିକ୍ରମା କରିବା ପରେ ଗଦାସାହି ନିକଟବର୍ତ୍ତୀ ଭାଗୀରଥି ସାଗର ନିକଟକୁ ନିଆଯାଇଥିଲା । ସେଠାରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଏକ ସୁସଜ୍ଜିତ ନୌକାରେ ଶ୍ରୀ ଜୀଉମାନେ ଉପବିଷ୍ଟ ହୋଇ ଚାପ ଖେଳିଥିଲେ । ଏହି କାର୍ଯ୍ୟକ୍ରମ ଦେଖିବା ଲାଗି ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଦେବୋତ୍ତର ବିଭାଗ ଓ ଗଦାସାହି ଉନ୍ନୟନ ପରିଷଦ ପକ୍ଷରୁ ୨ଦିନ ଧରି ସେଠାରେ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଭଜନ ସନ୍ଧ୍ୟା ପକ୍ଷରୁ ଭଜନ ପରିବଷଣ କରାଯାଇଥିଲା । ସନ୍ତୋଷ କୁମାର ବେହେରା ଓ ଭଗବାନ ସାହୁଙ୍କ ନିର୍ଦ୍ଦେଶନାରେ ସୁନାମଧନ୍ୟ ଗାୟିକା ସୌଜନ୍ୟା ରଥ, ମୋହିନୀ ସେଠୀ, ଗାୟକ ଜ୍ଞାନରଞ୍ଜନ ସାହୁ, ପ୍ରଦୀପ ସାହୁ, ଇନ୍ଦ୍ରମଣୀ ବେହେରା, ସୁକାନ୍ତ କୁମାର ସାହୁ ଓ ଶିଶୁ କଳାକାର ପ୍ରତୀକ ମହାପାତ୍ର ଭଜନ ପରିବେଷଣ କରିଥିଲେ। ଦେବୋତ୍ତର ସହକାରୀ ନିର୍ବାହୀ ଅଧିକାରୀ ତଥା ତହସିଲଦାର ପ୍ରିୟବ୍ରତ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଚନ୍ଦନ ଯାତ୍ରା କାର୍ଯ୍ୟକ୍ରମକୁ ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା ଓ ଅନ୍ୟ କର୍ମଚାରୀ ପରିଚାଳନା କରିଥିଲେ।
Comments are closed.