ମହିଳା ଦଳଗତ ସ୍କ୍ୱାସ୍‌ରେ ଭାରତକୁ ରୌପ୍ୟ

0

ଜାକର୍ତ୍ତା  : ଚଳିତ ଏସୀୟ କ୍ରୀଡ଼ାର ମହିଳା ଦଳଗତ ସ୍କ୍ୱାସ୍‌ ବିଭାଗରେ ଭାରତକୁ ରୌପ୍ୟ ପଦକ ମିଳିଛି। ଶନିବାର ଖେଳାଯାଇଥିବା ଫାଇନାଲରେ ଭାରତକୁ ହଂକଂ ପରାସ୍ତ କରିଥିଲା। ଦୁଇ ଭାରତୀୟ ମହିଳା ଖେଳାଳି ସୁନୈନା କୁରୁଭିଲା ଓ ଜ୍ୟୋତ୍ସ୍ନା ଚିନ୍ନପା ନିଜ ନିଜର ସିଙ୍ଗଲ୍‍ସ ମ୍ୟାଚ୍‍ରେ ପରାସ୍ତ ହୋଇଥିଲେ।
ମାଲେସିଆକୁ ସେମିଫାଇନାଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ମହିଳା ଦଳ ଫାଇନାଲରେ ଶକ୍ତିଶାଳୀ ହଂକଂ ଦଳ ବିପକ୍ଷରେ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା। ପ୍ରଥମ ମ୍ୟାଚ୍‍ରେ ଭାରତର ସୁନୈନାଙ୍କୁ ହଂକଂର ଲୋକ୍‍ ହୋ ୮-୧୧, ୬-୧୧, ୧୨-୧୦, ୩-୧୧ ପଏଣ୍ଟରେ ପରାସ୍ତ କରିଥିଲେ। ଏହି ମ୍ୟାଚ୍‍ରେ ମୂଳରୁ ହୋ ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହ ପ୍ରଥମ ଦୁଇଟି ଗେମ୍‍ରେ ବିଜୟୀ ହୋଇଥିଲେ। ତୃତୀୟ ଗେମ୍‍ରେ ସୁନୈନା ଲଢ଼ୁଆ ଖେଳ ପ୍ରଦର୍ଶନ କରି ବିଜୟୀ ହୋଇ ମ୍ୟାଚ୍‍କୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ କରିଥିଲେ। ତେବେ ଚତୁର୍ଥ ଗେମ୍‍ରେ ହୋ ଚମତ୍କାର ପ୍ରଦର୍ଶନ କରି ସହଜରେ ସୁନୈନାଙ୍କୁ ପରାସ୍ତ କରିଥିଲେ। ଦ୍ୱିତୀୟ ମ୍ୟାଚ୍‍ରେ ଭାରତର ତାରକା ଖେଳାଳି ଜ୍ୟୋତ୍ସ୍ନା ଚିନ୍ନପାଙ୍କ ମୁକାବିଲା ହଂକଂର ନିକୋଲ୍‍ ଡେଭିଡଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‍ରେ ନିକୋଲ୍‍ ଭଲ ପ୍ରଦର୍ଶନ କରି ଏକତରଫା ଭାବେ ଜ୍ୟୋତ୍ସ୍ନାଙ୍କୁ ୩-୧୧, ୯-୧୧ ଓ ୫-୧୧ ପଏଣ୍ଟରେ ପରାସ୍ତ କରିଥିଲେ। ସୂଚନାଥାଉକି ଏସୀୟ କ୍ରୀଡ଼ାରେ ଭାଗ ନେଇଥିବା ଭାରତୀୟ ସ୍କ୍ୱାସ୍‌ ଦଳର ଖେଳାଳିମାନେ ପ୍ରଶିକ୍ଷକ ସାଇରସ୍‍ ପୋନ୍‍ଚାଙ୍କୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଖେଳାଳିମାନେ ଜଣେ ବିଦେଶୀ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରିବାକୁ ଦାବି କରି ଆସୁଥିବା ବେଳେ ଏସୀୟ କ୍ରୀଡ଼ାରେ ପ୍ରଶିକ୍ଷକଙ୍କ ଉପରେ ନିର୍ଭରଶୀଳ ନ ହୋଇ ପରସ୍ପର ସହ ଆଲୋଚନା କରି ରଣନୀତି ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଥିଲା।

Leave A Reply