ଏସିଆ କପ୍ କ୍ରିକେଟ : ଆସନ୍ତାକାଲି ଭାରତ-ଶ୍ରୀଲଙ୍କା ମଧ୍ୟରେ ଫାଇନାଲ ମୁକାବିଲା
ନୂଆଦିଲ୍ଲୀ : ଏସିଆ କପ୍ କ୍ରିକେଟର ୧୬ତମ ସଂସ୍କରଣର ଫାଇନାଲ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାର କଲମ୍ବୋର ଆର. ପ୍ରେମାଦାସ ଷ୍ଟାଡ଼ିୟମରେ ଖେଳାଯିବ। ଭାରତ ୧୧ମ ଥର ଓ ଶ୍ରୀଲଙ୍କା ୧୨ମ ଥର ଲାଗି ଫାଇନାଲ ଖେଳିବାକୁ ଯାଉଛନ୍ତି। ଭାରତ ସର୍ବାଧିକ ୭ଥର ଓ ଶ୍ରୀଲଙ୍କା ଦ୍ବିତୀୟ ସର୍ବାଧିକ ୬ଥର ଚମ୍ପିଆନ ହୋଇଛି। ଅନ୍ୟପକ୍ଷରେ ଭାରତ ଓ ଶ୍ରୀଲଙ୍କା ଏସିଆ କପ୍ ଫାଇନାଲରେ ଅଷ୍ଟମ ଥର ଲାଗି ମୁହାଁମୁହିଁ ହେବାକୁ ଯାଉଛନ୍ତି। ପୂର୍ବରୁ ଉଭୟେ ଦଳ ୭ଥର ଫାଇନାଲ ଖେଳିଛନ୍ତି। ସେଥିମଧ୍ୟରୁ ଭାରତ ୪ଥର ଓ ଶ୍ରୀଲଙ୍କା ୩ଥର ବିଜେତା ହୋଇଛି।
୧୯୮୮ରେ ବାଂଲାଦେଶରେ ଆୟୋଜିତ ଏସିଆ କପ୍ ୩ୟ ସଂସ୍କରଣ ଫାଇନାଲରେ ଭାରତ ଓ ଶ୍ରୀଲଙ୍କା ପ୍ରଥମ ଥର ମୁହାମୁହିଁ ହୋଇଥିଲେ। ଏଥିରେ ଭାରତ ୬ ୱିକେଟରେ ବିଜୟୀ ହୋଇଥିଲା। ୧୯୯୦/୯୧ ଭାରତରେ ଆୟୋଜିତ ୪ର୍ଥ ସଂସ୍କରଣର ଫାଇନାଲରେ ଭାରତ ଓ ଶ୍ରୀଲଙ୍କା ପହଞ୍ଚିଥିଲେ। ଭାରତ ୭ ୱିକେଟରେ ବିଜୟୀ ହୋଇଥିଲା। ୧୯୯୫ରେ ୟୁଏଇରେ ଆୟୋଜିତ ୫ମ ସଂସ୍କରଣ ଫାଇନାଲରେ ମଧ୍ୟ ଭାରତ ଓ ଶ୍ରୀଲଙ୍କା ମୁହଁାମୁହିଁ ହୋଇଥିଲେ। ଏଥିରେ ଭାରତ ୮ ୱିକେଟରେ ବିଜୟୀ ହୋଇଥିଲା। ୧୯୯୭ରେ ଶ୍ରୀଲଙ୍କାରେ ଆୟୋଜିତ ପ୍ରତିଯୋଗିତାର ୬ଷ୍ଠ ସଂସ୍କରଣ ଫାଇନାଲରେ ଭାରତ -ଶ୍ରୀଲଙ୍କାକୁ ଭେଟିଥିଲା। ଏଥିରେ ଶ୍ରୀଲଙ୍କା ପରାଜୟର ପରମ୍ପରାକୁ ଭାଙ୍ଗିଥିଲା। ଶ୍ରୀଲଙ୍କା ୮ ୱିକେଟରେ ଭାରତକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା। ଫାଇନାଲରେ ଭାରତ ବିପକ୍ଷରେ ଶ୍ରୀଲଙ୍କାର ଏହା ପ୍ରଥମ ବିଜୟ ଥିଲା।
୨୦୦୪ରେ ଶ୍ରୀଲଙ୍କାରେ ଆୟୋଜିତ ପ୍ରତିଯୋଗିତାର ଅଷ୍ଟମ ଫାଇନାଲରେ ଭାରତ ଓ ଶ୍ରୀଲଙ୍କା ଭେଟାଭେଟି ହୋଇଥିଲେ। ଏଥିରେ ଶ୍ରୀଲଙ୍କା ୨୫ରନରେ ବିଜୟୀ ହୋଇଥିଲା। ୨୦୦୮ରେ ପାକିସ୍ତାନରେ ଆୟୋଜିତ ପ୍ରତିଯୋଗିତାର ନବମ ଫାଇନାଲରେ ଭାରତ-ଶ୍ରୀଲଙ୍କା ମୁହଁାମୁହିଁ ହୋଇଥିଲେ ।ଏଥିରେ ଶ୍ରୀଲଙ୍କା ୧୦୦ରନରେ ବିଜୟୀ ହୋଇଥିଲା। ୨୦୧୦େର ଶ୍ରୀଲଙ୍କାରେ ଆୟୋଜିତ ପ୍ରତିଯୋଗିତାର ଦଶମ ସଂସ୍କରଣ ଫାଇନାଲରେ ଭାରତ ଓ ଶ୍ରୀଲଙ୍କା ପୁଣି ଥରେ ଭେଟାଭେଟି ହୋଇଥିଲେ। ଏଥିରେ ଭାରତ ବାଜି ମାରିଥିଲା। ଭାରତ ଫାଇନାଲରେ ୮୧ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ୧୨ ବର୍ଷ ପରେ ଭାରତ ଓ ଶ୍ରୀଲଙ୍କା ପୁଣି ଥରେ ଏସିଆ କପର ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି।
Comments are closed.