ଆସାନସୋଲରେ ବିଜେପି ପ୍ରତିନିଧି ଦଳ

0

କଲକାତା : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଦ୍ୱାରା ନିଯୁକ୍ତ ବିଜେପିର ୪ ସଦସ୍ୟ ବିଶିଷ୍ଟ ପ୍ରତିନିଧି ଦଳ ରବିବାର ପଶ୍ଚିମବଙ୍ଗର ଦଙ୍ଗା ପ୍ରଭାବିତ ଆସନସୋଲ ଅଞ୍ଚଳ ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟସଭା ସଦସ୍ୟ ପ୍ରକାଶ ମାଥୁର, ରାଷ୍ଟ୍ରୀୟ ମୁଖପାତ୍ର ଶାହନାୱାଜ ହୁସେନ, ଝାରଖଣ୍ଡର ପୂର୍ବତନ ପୁଲିସ୍‌ ଡିଜି ତଥା ସାଂସଦ ବିଷ୍ଣୁ ଦୟାଲ ରାମ ଏବଂ ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲି ରବିବାର ସକାଳେ ଯାଇ ଆସାନସୋଲରେ ପହଞ୍ଚିଥିଲେ । ସେଠାରେ ବିଜେପିର ପ୍ରତିନିଧିଦଳ ଦଙ୍ଗା ପ୍ରଭାବିତ ଲୋକଙ୍କ ସହ କଥାବାର୍ତ୍ତା କରିବା ସହ ରିଲିଫ୍‌ କ୍ୟାମ୍ପରେ ଲୋକଙ୍କୁ ଭେଟିଥିଲେ । ଗତ ରାମ ନବମୀ ଶୋଭାଯାତ୍ରାରୁ ଆସାନସୋଲରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ସେଠାରେ ଦୁଇ ସମ୍ପ୍ରଦାୟର ଲୋକ ପରସ୍ପରକୁ ପଥର ମାଡ଼ କରିଥିଲା ବେଳେ କେତେକ ସ୍ଥାନରେ ବୋମା ମାଡ଼ ହୋଇଥିଲା । ୩ ଦିନର ସାମ୍ପ୍ରଦାୟିକ ହିଂସାକାଣ୍ଡରେ ଆସାନସୋଲର ଚାନ୍ଦମାରି, ରେଳପାର୍କ ଏବଂ ଶ୍ରୀନଗର ଅଞ୍ଚଳରେ ବହୁ ଗାଡ଼ି ଓ ଦୋକାନ ଭାଙ୍ଗାରୁଜା ଓ ପୋଡ଼ାଜଳାରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସ୍ଥିତି ଅନୁଧ୍ୟାନ ପରେ ବିଜେପିର ପ୍ରତିନିଧି ଦଳ ଏକ ରିପୋର୍ଟ ପ୍ରସ୍ତୁତ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ପ୍ରଦାନ କରିଛନ୍ତି । ତେବେ ଗସ୍ତ ସମୟରେ ବିଜେପି ପ୍ରତିନିଧି ଦଳ ଦଙ୍ଗା ପାଇଁ ମମତାଙ୍କ ନେତୃତ୍ୱାଧୀନ ଟିଏମ୍‌ସି ସରକାରଙ୍କୁ ଦାୟୀ କରିଥିଲେ । ସାମ୍ପ୍ରଦାୟିକ ହିଂସାକାଣ୍ଡ ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ଯାଇ ରାଜନୀତି କରିବାକୁ କଡ଼ା ନିନ୍ଦା କରିଥିଲେ । ଶନିବାର ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀ ଦଙ୍ଗା ପ୍ରଭାବିତ ଆସାନସୋଲ ଅଞ୍ଚଳ ବୁଲି ଦେଖିଥିଲେ । ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ତେଣୁ କୌଣସି ଅଞ୍ଚଳକୁ ରାଜନେତାଙ୍କ ଗସ୍ତ ଉପରେ ନିଷ୍ପତ୍ତି ନେବାର ଅଧିକାର ପୁଲିସ୍‌ ପ୍ରଶାସନ ଉପରେ ରହିଛି ।

Leave A Reply