ଜେଟଲୀଙ୍କୁ କ୍ଷମା ମାଗିଲେ କେଜେରିୱାଲଙ୍କ ସହ ଆପ ନେତା

0

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଆପ)ର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜେରିୱାଲଙ୍କ ସହ ଆପ ନେତା ସଞ୍ଜୟ ସିଂହ, ଆଶୁତୋଷ ଏବଂ ରାଘବ ଚଢା କେନ୍ଦ୍ର ଅର୍ଥ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କୁ ନିସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି। ଏହାସହ ଜେଟଲୀଙ୍କ ବିରୋଧରେ କରିଥିବା ଅଭିଯୋଗକୁ ସେମାନେ ପ୍ରତ୍ୟାହାର କରିନେଇଛନ୍ତି । ଅରୁଣ ଜେଟଲୀ ଦିଲ୍ଲୀ ଜିଲା କ୍ରିକେଟ ସଂଘ (ଡିଡିସିଏ)ର ସଭାପତି ଥିବାବେଳେ ଅନେକ ଟଙ୍କାର ଆର୍ଥିକ ହେରଫେର ହୋଇଥିଲା ବୋଲି ଏହି ନେତାମାନେ ଅଭିଯୋଗ କରିଥିଲେ । ଏହି ଟିପ୍ପଣୀ ବିରୋଧରେ ଜେଟଲୀ ୨୦୧୫ରେ କେଜେରିୱାଲ ଓ ଆପର ଅନ୍ୟ ୫ ନେତାଙ୍କ ବିରୋଧରେ ୧୦ କୋଟି ଟଙ୍କାର ମାନହାନି ମକଦ୍ଦମା ଦାଏର କରିଥିଲେ । ଅଦାଲତରେ ଏହି ମକଦ୍ଦମା ବିଚାରଧୀନ ଥିବାବେଳେ କେଜେରିୱାଲ ଜେଟଲୀଙ୍କୁ କ୍ଷମା ମାଗି ମାମଲା ପ୍ରତ୍ୟାହାର କରିନେବାକୁ କହିଥିଲେ । ମାତ୍ର ସେତେବେଳେ ଜେଟଲୀ କ୍ଷମାପ୍ରାର୍ଥନା ଗ୍ରହଣ କରିନଥିଲେ । ମାମଲାରେ ଥିବା ସବୁ ଅଭିଯୁକ୍ତ ମିଳିତ ଭାବେ କ୍ଷମା ମାଗିଲେ ହିଁ ସେ କ୍ଷମାପ୍ରାର୍ଥନା ଗ୍ରହଣ କରିବେ ବୋଲି କହିଥିଲେ । ଏବେ କେଜେରିୱାଲଙ୍କ ସମେତ ଅନ୍ୟ ନେତମାନେ ମିଳିତ ଭାବେ କ୍ଷମାପ୍ରାର୍ଥନା କରିଛନ୍ତି । ସେମାନେ କ୍ଷମା ପ୍ରାର୍ଥନାରେ ଉଲ୍ଲେଖ କରିଛନ୍ତି ଯେ ଡିଡିସିଏରେ ଦୁର୍ନୀତି ନେଇ ଭୁଲ ତଥ୍ୟ ମଳିିଥିଲା । ଏହି ଭୁଲ ତଥ୍ୟ ଆଧାରରେ ଆମେ ଦୁର୍ନୀତି ଅଭିଯୋଗ କରିଥିଲୁ । ଏଥିପାଇଁ ସେମାନେ ଜେଟଲୀ ଓ ତାଙ୍କ ପରିବାରକୁ କ୍ଷମାପ୍ରାର୍ଥନା କରିଛନ୍ତି । ଏହି ଘଟଣା ପରେ ଦିଲ୍ଲୀ ହାଇକୋର୍ଟରେ ଉଭୟ ଜେଟଲୀ ଓ କେଜରିୱାଲ ମିଳିତ ଭାବେ ମାନହାନି ମକଦ୍ଦମା ପ୍ରତ୍ୟାହାର କରିବାକୁ ଆବେଦନ କରିଛନ୍ତି। ଏହା ପୂର୍ବରୁ କେଜେରିୱାଲ ଅକାଳି ଦଳ ନେତା ତଥା ପଞ୍ଜାବର ପୂର୍ବତନ ରାଜସ୍ୱମନ୍ତ୍ରୀ ବିକ୍ରମ ସିଂହ ମାଜିଥିଆ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ, କଂଗ୍ରେସ ନେତା କପିଲ ସିବଲ ଓ ତାଙ୍କ ପୁଅଙ୍କୁ କ୍ଷମାପ୍ରାର୍ଥନା କରିସାରିଛନ୍ତି ।

Leave A Reply